ହାଇଦ୍ରାବାଦ:ପୂର୍ବ ଲଦାଖରେ ଥିବା ବାସ୍ତବିକ ନିୟନ୍ତ୍ରଣ ରେଖା (LAC)କୁ ନେଇ ଜାରି ରହିଛି ବିବାଦ । ଏହି ବିବାଦରେ ପୂର୍ଣ୍ଣଚ୍ଛେଦ ଟାଣିବାକୁ ଭାରତ ଏବଂ ଚୀନ ଏକ ଚୁକ୍ତିନାମା କରିବାର ଦିନକ ପରେ ଚୀନର ଏକ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଯେଉଁଥିରେ ଉଲ୍ଲେଖ ରହିଛି ଯେ, ଦ୍ବିପାକ୍ଷିକ ସମ୍ପର୍କରେ 4 ବର୍ଷ ଧରି ଅସ୍ଥିରତା ଲାଗି ରହିଥିବାବେଳେ ବର୍ତ୍ତମାନ ଏହି ପଡୋଶୀ ଦେଶ ନିଜର ବୁଝାମଣାକୁ ଗୁରୁତ୍ବ ଦେଇଛନ୍ତି ।
'ଚୀନ୍-ଭାରତ ସମ୍ପର୍କର ନୂତନ ବିକାଶର ନିରନ୍ତର ତଦାରଖ ଏବଂ ଦୃଢତା ଆବଶ୍ୟକ' ଶୀର୍ଷକ ଏକ ସମ୍ପାଦକୀୟରେ ଗ୍ଲୋବାଲ୍ ଟାଇମ୍ସ ପକ୍ଷରୁ କୁହାଯାଇଛି ଯେ, ଏହି ଚୁକ୍ତି 'ଦ୍ବିପାକ୍ଷିକ ସମ୍ପର୍କରେ ସ୍ଥିରତା ଏବଂ ବିକାଶ ଆବଶ୍ୟକ କରେ' । ଶାନ୍ତିପୂର୍ଣ୍ଣ ଆଲୋଚନା ମାଧ୍ୟମରେ ମତଭେଦ ଦୂର କରିବା ପାଇଁ ଏହା ଉଭୟ ଦେଶର ପ୍ରତିବଦ୍ଧତାକୁ ମଧ୍ୟ ଦର୍ଶାଏ । 5 ମେ 2020 ରେ ପୂର୍ବ ଲଦାଖ ସୀମାରେ ବିବାଦ ଉପୁଜିଥିଲା । ପାଙ୍ଗୋଙ୍ଗ ସ୍ତୋ ହ୍ରଦ ଅଞ୍ଚଳରେ ଉଭୟ ପାର୍ଶ୍ବରୁ ସୈନ୍ୟଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ଦେଖିବାକୁ ମିଳିଥିଲା। ସେବେଠାରୁ ବାଣିଜ୍ୟ ସମ୍ପର୍କ ବ୍ୟତୀତ ଭାରତ ଏବଂ ଚୀନ୍ ମଧ୍ୟରେ ଅନ୍ୟ ସମ୍ପର୍କରେ ତିକ୍ତତା ଦେଖାଦେଇଥିଲା । ତେବେ ଚଳିତ ମାସରେ ଋଷରେ ହେବାକୁ ଥିବା ବ୍ରିକ୍ସ (ବ୍ରାଜିଲ, ଋଷ, ଚୀନ, ଭାରତ, ଦକ୍ଷିଣ ଆଫ୍ରିକା) ଶିଖର ସମ୍ମିଳନୀ ପୂର୍ବରୁ ଭାରତ ପୂର୍ବ ଲଦାଖର ସୀମାନ୍ତ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର କରିବାକୁ ସହମତି ପ୍ରକାଶ କରିଛି ।
BRICS ଶିଖର ସମ୍ମିଳନୀ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଜାନ ଯାତ୍ରା ସମୟରେ ଋଷର ଏକ ଗଣମାଧ୍ୟମରେ ସୂଚନା ଦେଇ ବୈଦେଶିକ ସଚିବ ବିକ୍ରମ ମିସ୍ତ୍ରୀ କହିଥିଲେ ଯେ, ଗତ କିଛି ସପ୍ତାହ ଧରି ଭାରତ ଓ ଚୀନ ମଧ୍ୟରେ କୂଟନୈତିକ ତଥା ସାମରିକ ଆଲୋଚନା ହୋଇଛି । ଯାହାର ଫଳ ସ୍ବରୂପ, ସୀମାରେ ପାଟ୍ରୋଲିଂ ବ୍ୟବସ୍ଥା ଉପରେ ଏକ ଚୁକ୍ତିନାମା ହୋଇଛି । 2020ରେ ହୋଇଥିବା ବିବାଦର ସମାଧାନ ନେଇ ଆଶା ବ୍ୟକ୍ତ କରାଯାଉଛି । " ପରବର୍ତ୍ତୀ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ବ୍ରିକ୍ସ ଶିଖର ସମ୍ମିଳନୀରେ ଦ୍ବିପାକ୍ଷିକ ଆଲୋଚନା କରିଥିଲେ । ଯାହା ସେମାନଙ୍କର ପାଞ୍ଚ ବର୍ଷ ମଧ୍ୟରେ ପ୍ରଥମ ବୈଠକ। ଏହି ଆଲୋଚନାବେଳେ ମୋଦି କହିଥିଲେ , "ଉଭୟ ଦେଶ ମଧ୍ୟରେ ବିଶ୍ବାସ, ପରସ୍ପର ପ୍ରତି ସମ୍ମାନ ଏବଂ ସମ୍ବେଦନଶୀଳତା ଆମର ସମ୍ପର୍କର ଆଧାର ହୋଇ ରହିବ।"
ଏହା ମଧ୍ୟ ପଢନ୍ତୁ:-LACର ବିବାଦୀୟ ପୋଷ୍ଟରୁ ସେନା ପ୍ରତ୍ୟାହାର ଆରମ୍ଭ କଲେ ଭାରତ-ଚୀନ