ଆଜିର ଖରାପ ଲାଇଫଷ୍ଟାଇଲ ଲାଗି ଅଧିକାଂଶ ଲୋକେ ମାଇଗ୍ରେନ ବା ଅର୍ଦ୍ଧକପାଳି ସମସ୍ୟାରେ ପୀଡିତ । ମାଇଗ୍ରେନ ଏକ ସାଧାରଣ ସମସ୍ୟା, ଯେଉଁଥିରେ ମୁଣ୍ଡର ଗୋଟିଏ ପାଖ ପ୍ରବଳ ବିନ୍ଧା ହୋଇଥାଏ । କିଛି ପୀଡିତଙ୍କୁ ଅନୁଭବ ହୁଏ କେହି ଯେପରି ମୁଣ୍ଡରେ ଢୋଲ ବଜାଉଛି । ଏହି ସମୟରେ ପୀଡିତଙ୍କୁ ଲାଇଟ୍ ଓ ଆଖପାଖର ଶବ୍ଦ ଅତି ବିରକ୍ତିକର ଲାଗିଥାଏ । ଏଥିସହ ଦେହ ବୁଲାଇବା ଓ ବାନ୍ତି ହେବା ଭଳି ଲକ୍ଷଣ ଦେଖାଯାଏ । ଅନେକ ଲୋକଙ୍କ ଧାରଣା ଅଛି, ଏହି ମାଇଗ୍ରେନ ସମସ୍ୟା କେବଳ ଔଷଧ ଦ୍ବାରା ଭଲ ହୋଇପାରିବ । କିନ୍ତୁ ବିଶେଷଜ୍ଞ କୁହନ୍ତି ଯେ, ମାଇଗ୍ରେନରୁ ମୁକ୍ତି ପାଇଁ ଔଷଧ ସହ ଜୀବନଶୈଳୀରେ ପରିବର୍ତ୍ତନ ତଥା ନିୟମିତ ବ୍ୟାୟାମ ଓ ଯୋଗ କରିବା ଲାଭଦାୟକ ହୋଇଥାଏ ।
ମାଇଗ୍ରେନ ପାଇଁ ବ୍ୟାୟାମ:
'ଇଶ ଧ୍ୟାନ କେନ୍ଦ୍ର'ର ମେଡିଟେସନ ପ୍ରଶିକ୍ଷକ ତଥା ଯୋଗ ପ୍ରଶିକ୍ଷକ ଏରିକ ଲୋବୋ କହିଛନ୍ତି ଯେ, ମୁଣ୍ଡବିନ୍ଧା ବିଶେଷକରି ମାଇଗ୍ରେନ ସମସ୍ୟା କ୍ଷେତ୍ରରେ ଯୋଗ ଓ ଅନ୍ୟ କେତେକ ବ୍ୟାୟାମ ଲାଭକାରୀ ହୋଇପାରେ । ଏଥିପାଇଁ ଉପଯୁକ୍ତ ପ୍ରଶିକ୍ଷକଙ୍କ ପରାମର୍ଶ ଓ ନିରୀକ୍ଷଣରେ ଅଭ୍ୟାସ କରିବା ଉଚିତ୍ । ନିୟମିତ ବ୍ୟାୟାମ କରିବା ଦ୍ବାରା ମାଇଗ୍ରେନ ଯନ୍ତ୍ରଣା କମ୍ ହୋଇପାରିବ ।
କ'ଣ କୁହନ୍ତି ବିଶେଷଜ୍ଞ ?
ମାଇଗ୍ରେନରେ ଯୋଗ ଓ ବ୍ୟାୟାମର ଫାଇଦା ନେଇ ଦେଶ ବିଦେଶରେ କରାଯାଇଥିବା ଅନୁସନ୍ଧାନରେ ଦର୍ଶାଯାଇଛି, ବ୍ୟାୟାମ ଶରୀରରେ ଏଣ୍ଡୋର୍ଫିନ (ପ୍ରାକୃତିକ ଯନ୍ତ୍ରଣା ନିବାରକ ହରମୋନ) ଉତ୍ପାଦନ କରିଥାଏ, ଯାହା ଚାପକୁ କମାଇଥାଏ । ଏହି ଚାପ ମାଇଗ୍ରେନ ପାଇଁ ଏକ ସାଧାରଣ ଟ୍ରିଗର ହୋଇପାରେ । ବ୍ୟାୟାମ ଓ ଯୋଗ ଚାପ ହ୍ରାସ କରିବାରେ ସାହାଯ୍ୟ କରେ ।
ଏହାବ୍ୟତୀତ ଲାଇଫଷ୍ଟାଇଲରେ ବ୍ୟାୟାମ ସାମିଲ କରିବା ତଥା ସୁସ୍ଥ ଆହାର ସେବନ କରିବା ଦ୍ବାରା ରକ୍ତ ପ୍ରବାହ ଉନ୍ନତ ହୋଇଥାଏ । ଏହାଦ୍ବାରା ମୁଣ୍ଡବିନ୍ଧା କମିପାରେ । ଯୋଗ ସହ ହାଲୁକା ଓ ମଧ୍ୟମ ତୀବ୍ରତାର ବ୍ୟାୟାମ ମାଇଗ୍ରେନ ଲକ୍ଷଣକୁ କମ୍ କରିବାରେ ସାହାଯ୍ୟ କରିପାରେ । କିନ୍ତୁ ସବୁ ପ୍ରକାର ବ୍ୟାୟାମ ଓ ଯୋଗାଭ୍ୟାସ ମାଇଗ୍ରେନ ସମସ୍ୟା ପାଇଁ ଲାଭଦାୟକ ହୋଇନଥାଏ । ଏଥିସହ ମାଇଗ୍ରେନ ରୋଗୀ କେଉଁ ପରିସ୍ଥିତିରେ ଓ କେଉଁ ପରିବେଶରେ ଯୋଗ କିମ୍ବା ବ୍ୟାୟାମ କରୁଛି ତାହା ମଧ୍ୟ ଧ୍ୟାନ ରଖିବା ନିହାତି ଜରୁରୀ । କାରଣ ବ୍ୟାୟାମ ସମୟରେ କିଛି ଜରୁରୀ ବିଷୟ ପ୍ରତି ଧ୍ୟାନ ନଦେଲେ ସମସ୍ୟା ଆହୁରି ବଢିପାରେ ।
କେଉଁ ବ୍ୟାୟାମ ଲାଭଦାୟକ ?
ଏରିକ ଲୋବୋ କହିଛନ୍ତି, ମାଇଗ୍ରେନ ପୀଡିତ କିଛି ବିଶେଷ ପ୍ରକାର ଯୋଗ ଅଭ୍ୟାସ ଏବଂ ହାଲୁକା କିମ୍ବା ମଧ୍ୟମ ତୀବ୍ରତା ସମ୍ପନ୍ନ ଷ୍ଟ୍ରେଚିଂ, ହାଲୁକା କାର୍ଡିଓ, ବ୍ରିସ୍କ ୱାକ, ସାଇକେଲିଂ ଓ ସୁଇମିଂ କଲେ ଫାଇଦା ମିଳିଥାଏ । ସେହିପରି ଯଦି ଯୋଗ କଥା କହିବା ତେବେ କିଛି ବିଶେଷ ଯୋଗାସନ ଅଛି ଯାହାର ଅଭ୍ୟାସ ଦ୍ବାରା ମାଇଗ୍ରେନ ଯନ୍ତ୍ରଣା କମ୍ କରିବାରେ ସହାୟକ ହୋଇଥାଏ । ସେଥିମଧ୍ୟରୁ କେତେକ ନିମ୍ନୋଲିଖିତ ଅଟେ
ବାଲାସନ:
ପ୍ରଥମେ ଆଣ୍ଠୁ ମାଡି ବସିବା ପରେ ଗୋଇଠି ଉପରେ ବସନ୍ତୁ ।
ଏବେ ଧୀରେ ଧୀରେ ନିଶ୍ବାସ ଛାଡି ଆଗକୁ ନଇଁପଡନ୍ତୁ ଓ ମଥାକୁ ଭୂମିରେ ଲଗାନ୍ତୁ ।
ଧୀରେ ଧୀରେ ଦୁଇ ହାତକୁ ଆଗକୁ ବଢାନ୍ତୁ ।
ଧୀରେ ଧୀରେ ନିଶ୍ବାସ ନେଇ 1-2 ମିନିଟ୍ ଯାଏ ଏହି ମୁଦ୍ରାରେ ରୁହନ୍ତୁ । 2 ମିନିଟ୍ ପରେ ପୂର୍ବାବସ୍ଥାକୁ ଫେରିଯାଆନ୍ତୁ ।
ଅଧୋମୁଖୀ ଶ୍ବାନାସନ
ପ୍ରଥମେ ନିଜ ହାତ ଓ ଗୋଡକୁ ଭୂମିରେ ଲଗାନ୍ତୁ ।