ନଦନଦୀ, ସମୁଦ୍ର, ହ୍ରଦ, ସୁଉଚ୍ଚ ପାହାଡ, ଘଞ୍ଚ ଅରଣ୍ୟ ନାନାଦି ପ୍ରାକୃତିକ ଶୋଭାରାଜିରେ ଭରପୂର ଭାରତ । ଏହାସହିତ ଏଠାରେ ଏମିତି ମଧ୍ୟ କେତେକ ରହସ୍ୟମୟ ସ୍ଥାନ ରହିଛି, ଯାହାର ରହସ୍ୟ ଆଜି ଯାଏଁ କେହି ଭେଦ କରିପାରିନାହାନ୍ତି । ଯେଉଁ ସ୍ଥାନଗୁଡିକୁ ଯିବା ତ ଦୂରର କଥା, ନାଁ ଶୁଣିବା ମାତ୍ରେ ଲୋକଙ୍କ ଲୋମଟାଙ୍କୁରି ଉଠେ । ଜନମାନସରେ ଏସବୁ ସ୍ଥାନକୁ ନେଇ ଅନେକ ଭୂତ-ପ୍ରେତ କାହାଣୀ ପ୍ରଚଳିତ । କେହି ଏହାକୁ ଅନ୍ଧବିଶ୍ବାସ କହୁଥିବାବେଳେ ଆଉ ଏହାର ବାସ୍ତବତା ନେଇ ଦାବି କରନ୍ତି । ଚାଲନ୍ତୁ ଜାଣିବା ସେହି ରହସ୍ୟମୟ ସ୍ଥାନଗୁଡିକ ସମ୍ପର୍କରେ...
ଭାନଗଡ କିଲ୍ଲା, ରାଜସ୍ଥାନ:
ଭାରତର ସବୁଠୁ ରହସ୍ୟମୟ ସ୍ଥାନ ମଧ୍ୟରୁ ଅନ୍ୟତମ ରାଜସ୍ଥାନର ଭାନଗଡ କିଲ୍ଲା । ଏହାକୁ 'ଭୂତିଆ କିଲ୍ଲା' କୁହାଯାଏ । ଏହି ସ୍ଥାନ ବିଷୟରେ ଭାବିବା ମାତ୍ରେ ଲୋକଙ୍କ ଲୋମଟାଙ୍କୁରି ଯାଏ । ଭାନଗଡ ଏକ ଜଙ୍ଗଲ ନିକଟରେ ଅବସ୍ଥିତ ଏବଂ ନିଜର ଭୂତପ୍ରେତ କାହାଣୀ ପାଇଁ ସାରା ଦେଶରେ ଜଣାଯାଏ । ସୂର୍ଯ୍ୟାସ୍ତ ପରେ କୌଣସି ପର୍ଯ୍ୟଟକଙ୍କୁ ଏହି ଜାଗାକୁ ଯିବାକୁ ଅନୁମତି ମିଳେନି । ଲୋକମାନେ କୁହନ୍ତି, ଜଣେ ଯାଦୁଗର ଏହି ଅଞ୍ଚଳର ରାଜକୁମାରୀଙ୍କୁ ପ୍ରେମ କରୁଥିଲା । ସେ ରାଜକୁମାରୀଙ୍କୁ ନିଜ ବଶରେ କରିବାକୁ କଳାଯାଦୁର ସାହାଯ୍ୟ ନେଇଥିଲା । ଏ କଥା ରାଜକୁମାରୀ ଜାଣିବା ପରେ ତାକୁ ହତ୍ୟା କରିଥିଲେ । ମରିବା ସମୟରେ ଯାଦୁଗର ଏହି କିଲ୍ଲାକୁ ଅଭିଶାପ ଦେଇଥିବାରୁ ସେବେଠୁ ଏହା ଶ୍ରାପିତ ସ୍ଥାନ ହୋଇରହିଛି । ଏଠାକୁ ରାତି ସମୟରେ ଯିବା ମରଣକୁ ନିୟନ୍ତ୍ରଣ କରିବା ସହ ସମାନ ବୋଲି କୁହାଯାଏ ।
କୁଲଧରା ଗାଁ, ରାଜସ୍ଥାନ:
ରାଜସ୍ଥାନରେ ଏପରି ଆଉ ଏକ ସ୍ଥାନ ହେଲା କୁଲଧରା ଗ୍ରାମ । ଏହି ଗାଁ ଖୁବ୍ ନିର୍ଜନ ଏବଂ ଭୂତିଆ ଗାଁ ରୂପେ ପରିଚିତ । ଏଠି ମଣିଷ ତ ଦୂରର କଥା ପକ୍ଷୀଟିଏ ବି ବସା ବାନ୍ଧି ନାହିଁ । କୁହାଯାଏ ଏହି ଗାଁ ଅଭିଶପ୍ତ ଏବଂ ଏଠାରେ ଭୂତମାନେ ବାସ କରନ୍ତି । ଅନେକ ପୈଶାଚିକ ଘଟଣା ଦେଖାଯାଉଥିବାରୁ ଏହି ଗାଁକୁ ଯିବାକୁ ଆଖପାଖର ଲୋକେ ଭୟ କରନ୍ତି । 1291 ମସିହାରେ ପଲିୱାଲ ବ୍ରାହ୍ମଣଙ୍କ ଦ୍ବାରା କୁଲଧରା ଗାଁ ପ୍ରତିଷ୍ଠା ହୋଇଥିଲା । ସେତେବେଳେ ଏହା କୃଷି ଜ୍ଞାନକୌଶଳ ଓ ବେପାର ବାଣିଜ୍ୟରେ ବେଶ୍ ସମୃଦ୍ଧ ଥିଲା । ହେଲେ 1825 ମସିହାରେ ହଠାତ୍ ଗାଁରୁ ସବୁ ଲୋକ ଖାଲି ହୋଇଗଲେ । ସେବେଠାରୁ ଏହି ଅଞ୍ଚଳ ଜନଶୂନ୍ୟ ହୋଇପଡିଛି ।
ଜାତିଙ୍ଗା, ଆସାମ:
ଆସାମର ଜାତିଙ୍ଗାରେ ଅନେକ ରହସ୍ୟମୟ ଓ ବିଚିତ୍ର ଘଟଣା ଦେଖିବାକୁ ମିଳେ । ଯାହାର ରହସ୍ୟ ଆଜି ଯାଏ କେହି ଭେଦ କରିପାରି ନାହାନ୍ତି । ଏହି ସ୍ଥାନ ଆସାମର ଡିମା ହାସାଓ ଜିଲ୍ଲାରେ ଅବସ୍ଥିତ । ଏଠାରେ ପ୍ରତିବର୍ଷ ମୌସୁମୀ ଋତୁ ଶେଷ ବେଳକୁ ପକ୍ଷୀଙ୍କ ଆତ୍ମହତ୍ୟା ଘଟଣା ଦେଖିବାକୁ ମିଳେ । ଖାସ୍ କରି ଅମାବାସ୍ୟାର ଘନ ଅନ୍ଧାର ରାତିରେ ସନ୍ଧ୍ୟା 6ଟାରୁ ରାତି 10ଟା ମଧ୍ୟରେ ଶହ ଶହ ପକ୍ଷୀ ଏଠାକୁ ଆସି ଆତ୍ମହତ୍ୟା କରିଥାନ୍ତି । କିପରି ଏହି ପକ୍ଷୀମାନଙ୍କର ମୃତ୍ୟୁ ହୁଏ ତାହାର କାରଣ ଆଜି ଯାଏଁ ରହସ୍ୟ ହୋଇରହିଛି । ଏହି ଘଟଣା ବୈଜ୍ଞାନିକମାନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟନ୍ବିତ କରିଥାଏ ।
ଶାନିୱାରୱାଡା ଦୁର୍ଗ, ପୁଣେ:
ମହାରାଷ୍ଟ୍ରର ପୁଣେ ସହରରେ ରହିଛି ଶାନିୱାରୱାଡା ଦୁର୍ଗ । 1818 ମସିହା ଯାଏଁ ଏଠି ମରହଟ୍ଟା ପେଶୱାମାନଙ୍କ ରାଜତ୍ବ ଥିଲା । କୁହାଯାଏ ପୂର୍ଣ୍ଣିମା ରାତିରେ ଏଠି ଅଧିକ ଅଲୌକିକ ଗତିବିଧି ଦେଖାଯାଏ । ଏହା ପଛର କାହାଣୀ ଶୁଣିବାକୁ ମିଳେ କି, ଜଣେ ରାଜକୁମାରୀଙ୍କୁ ଏହି ସ୍ଥାନରେ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ସେବେଠୁ ତାଙ୍କର ଆତ୍ମା ଏଠି ଘୁରି ବୁଲିଛି । ରାତି ସମୟରେ ଏଠାରେ ଭୟାନକ ଚିତ୍କାର ଶୁଣାଯାଉଥିବାର ସ୍ଥାନୀୟ ଲୋକେ କୁହନ୍ତି ।