ମସ୍କୋ: ରାଷ୍ଟ୍ରପତି ନିର୍ବାଚନରେ ବିପୁଳ ବିଜୟ ପରେ ସାମ୍ନାକୁ ଆସିଲା ଋଷିଆ ରାଷ୍ଟ୍ରପତି ଭ୍ଲାଦିମାର ପୁଟିନଙ୍କ ଉଗ୍ରରୂପ । ପଞ୍ଚମ ଥର ପାଇଁ ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ତୃତୀୟ ବିଶ୍ବଯୁଦ୍ଧର ଚେତାବନୀ ଦେଇଛନ୍ତି । ପ୍ରଥମ ସମ୍ବୋଧନ ସମୟରେ ନାଟୋକୁ ଧମକାଇଛନ୍ତି ଭ୍ଲାଦିମାର ପୁଟିନ । ପଞ୍ଚମ ପାଳିର ପ୍ରଥମ ସମ୍ବୋଧନରେ ପୁଟିନ କହିଛନ୍ତି, "ଋଷ ଏବଂ ଆମେରିକାର ନେତୃତ୍ବ ନାଟୋ ଯଦି ୟୁକ୍ରେନ ଯୁଦ୍ଧରେ ସାମିଲ ହୁେ, ତାହାଲେ ଏହାର ଅର୍ଥ ତୃତୀୟ ବିଶ୍ବଯୁଦ୍ଧଠାରୁ ମାତ୍ର ଗୋଟିଏ ପାଦ ଦୂରରେ ରହିବ ବିଶ୍ବ ।"
ପୁଟିନଙ୍କ ଦାବି-ଏବେ ବି ୟୁକ୍ରେନରେ ନାଟୋ ସୈନିକ:1962 କ୍ୟୁବା ମିସାଇଲ ସଙ୍କଟ ପରେ ଋଷ ଏବଂ ପାଶ୍ଚାଦ୍ୟ ଦେଶ ମଧ୍ୟରେ ସମ୍ପର୍କ ଖରାପ ହେବାରେ ଲାଗିଛି । ଗତ ମାସରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଭବିଷ୍ୟତରେ ନିଜ ସୈନ୍ୟକୁ ୟୁକ୍ରେନ ପଠାଇବା ସମ୍ଭାବନାକୁ ଏଡାଇ ନଥିଲେ । ଏହାର ଅର୍ଥ ଆବଶ୍ୟକ ପଡିଲେ ୟୁକ୍ରେନ ମଇଦାନକୁ ନିଜ ସୈନ୍ୟବାହିନୀକୁ ଓହ୍ଲାଇବ ଫ୍ରାନ୍ସ । ଯେତେବେଳେ ପୁଟିନଙ୍କୁ ଏହି ବିଷୟରେ ପଚରାଯାଇଥିଲା ସେ କହିଥିଲେ, "ଆଜିର ଆଧୁନିକତା ସମୟରେ ସବୁ କିଛି ସମ୍ଭବ । କିନ୍ତୁ ଯଦି ଏହା ହୁଏ ତାହେଲେ ତୃତୀୟ ବିଶ୍ବଯୁଦ୍ଧ ଆଉ ଦୂରରେ ନାହିଁ । ବାସ୍ତବରେ ଏବେ ମଧ୍ୟ ନାଟୋ ସୈନିକମାନେ ୟୁକ୍ରେନରେ ରହିଛନ୍ତି । " ଋଷ ଜାଣିବାକୁ ପାଇଛି ଯେ, ୟୁକ୍ରେନ ଯୁଦ୍ଧ କ୍ଷେତ୍ରରେ ଇଂରାଜୀ ଏବଂ ଫରାସୀ କହୁଥିବା ସୈନିକମାନେ ରହିଛନ୍ତି । କିନ୍ତୁ ଏଭଳି କରିବା ଠିକ ନୁହେଁ କାରଣ ସେମାନେ ଏଠାରେ ଅଧିକ ମୃତ୍ୟୁବରଣ କରୁଛନ୍ତି ବୋଲି କହିଛନ୍ତି ପୁଟିନ ।