ଇସଲାମାବାଦ: ବ୍ୟାପକ ହିଂସା ଘଟଣା ମଧ୍ୟରେ ଆଜି ପାକିସ୍ତାନରେ ସାଧାରଣ ନିର୍ବାଚନ ପାଇଁ ଚାଲିଛି ଭୋଟ୍ ଗ୍ରହଣ । ମତଦାନ କରି ଆଗାମୀ 5 ବର୍ଷ ପାଇଁ ମନ ପସନ୍ଦର ନେତାଙ୍କୁ ବାଛିବେ ଜନତା । ନିର୍ବାଚନୀ ମଇଦାନରେ 44 ଦଳର 5 ହଜାର 121 ପ୍ରାର୍ଥୀ ରହିଥିବା ବେଳେ 266 ଆସନ ପାଇଁ ମତଦାନ ହେଉଛି । ସେଥିମଧ୍ୟରୁ 60ଟି ସିଟ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ 10 ଜଣ ସଂଖ୍ୟାଲଘୁଙ୍କ ପାଇଁ ସଂରକ୍ଷିତ ରହିଛି । ଦେଶର 241 ମଲିୟନ ଜନସଂଖ୍ୟା ମଧ୍ୟରୁ 128 ମିଲିୟନ ଭୋଟର ଆଜି ମତ ସାବ୍ୟସ୍ତ କରୁଛନ୍ତି । ସକାଳ 9ଟାରୁ ଭୋଟ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା 5ଟରେ ଶେଷ ହେବ ।
ନିର୍ବାଚନ ପୂର୍ବରୁ ହିଂସା ଘଟଣା ଘଟିଥିବାରୁ ମତଦାନ ପାଇଁ ସୁରକ୍ଷା ବ୍ୟବସ୍ଥା କଡା କଡି କରାଯାଇଛି । ସୁରକ୍ଷା ବ୍ୟବସ୍ଥା ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ ପାକିସ୍ତାନର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ପକ୍ଷରୁ ଏକ 'କଣ୍ଟ୍ରୋଲ୍ ରୁମ୍' ସ୍ଥାପନ କରାଯାଇଛି। ପାକିସ୍ତାନର ମୁସଲିମ ଲିଗର ନଓ୍ବାଜ ସରିଫ, ପିପୁଲ୍ସ ପାର୍ଟିର ବିଲାଓ୍ବଲ ଭୁଟ୍ଟେ-ଜର୍ଦ୍ଦାରୀ ଏବଂ ଇମ୍ରାନଖାନଙ୍କ ପାର୍ଟି ପିଟିଆଇର ପ୍ରାର୍ଥୀଙ୍କ ମଧ୍ୟରେ ତ୍ରିମୁଖୀ ଲଢ଼େଇ ହେଉଥିବା ବେଳେ, ନୱାଜ ସରିଫଙ୍କ ଦଳ ସୁବିଧାଜନକ ସ୍ଥିତିରେ ଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।
ନଓ୍ବାଜ ସରିଫ:ବିଭିନ୍ନ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦେଶ ଛାଡି ପଳାଇଥିବା ନଓ୍ବାଜ ପାକିସ୍ତାନ ଫେରିସାରିଛନ୍ତି । ଚଳିତ ବର୍ଷ ନିର୍ବାଚନ ସେ ଲଢୁଥିବାରୁ ଚତୁର୍ଥ ଥର ପାଇଁ ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବା ଆଶା ରଖିଛନ୍ତି । ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେବା ପରେ ସେ ଲଣ୍ଡନରେ ଚାରି ବର୍ଷ ରହିଥିଲେ । ଗତ ବର୍ଷ ଅକ୍ଟୋବରରେ ପାକିସ୍ତାନକୁ ଫେରିବା ପରେ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ପାକିସ୍ତାନର ଜନତା ତାଙ୍କ ଉପରେ ଭରସା କରୁଛନ୍ତି ନା ନାହିଁ ତାହା ନିର୍ବାଚନ ଫଳାଫଳ ପରେ ସ୍ପଷ୍ଟ ହେବ ।