ନୂଆଦିଲ୍ଲୀ:ମାଳଦ୍ବୀପରୁ ସୈନ୍ଯ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ କରିଛି ଭାରତ । ସଶସ୍ତ୍ର ବଳର ଯବାନଙ୍କୁ ଅପସାରଣ କରଯାଇ ତାଙ୍କ ସ୍ଥାନରେ ବେସାମରିକ ଅଧିକାରୀଙ୍କୁ ନିଯୁକ୍ତି କରାଯାଉଛି । ଦୁଇ ଦେଶ ମଧ୍ୟରେ ଏକାଧିକ ରାଉଣ୍ଡର ଆଲୋଚନା ପରେ ଏହି ନିଷ୍ପତ୍ତି ହୋଇଥିଲା । ହେଲେ ଏବେ ଏହାକୁ ସ୍ଥାନୀୟ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଏବେ ବିରୋଧ କରିଛନ୍ତି । ମାଳଦ୍ବୀପରେ ଜଣେ ହେଲେ ମାତ୍ର ଭାରତୀୟ ସୈନିକ ସାଧା ପୋଷାକରେ ମଧ୍ୟ ରହିପାରିବେ ନାହିଁ ବୋଲି ମୁଇଜୁ କହିଛନ୍ତି ।
ସ୍ଥାନୀୟ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁସାରେ, ମୁଇଜୁ ଏକ ସଭାକୁ ସମ୍ବୋଧିତ କରିବା ବେଳେ ଏହି ମନ୍ତବ୍ୟ ରଖିଛନ୍ତି । କହିଛନ୍ତି, ‘‘ଦେଶରେ ଜଣେ ହେଲେ ମଧ୍ୟ ଭାରତୀୟ ବଳର ଯବାନଙ୍କୁ ରହିବାକୁ ଦିଆଯିବ ନାହିଁ । ସେ ସେନା ପୋଷାକରେ ହୁଅନ୍ତୁ, କିମ୍ବା ସାଧା ପୋଷାକରେ । କୌଣସି ଆକାରରେ ମଧ୍ୟ ଭାରତୀୟ ସେନାର ଉପସ୍ଥିତି ମାଳଦ୍ବୀପରେ ଦେଖିବାକୁ ମିଳିବନାହିଁ । ଏହା ମୁଁ ଦୃଢତାର ସହ କହିପାରିବି ।’’
ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ, ନିକଟରେ ରାଷ୍ଟ୍ରପତି ମୁଇଜୁ ଭାରତକୁ ପରୋକ୍ଷ ସମାଲୋଚନା କରିଥିଲେ । ଭାରତ ନାଲିଆଖି ଦେଖାଉଛି ଓ ଏହାକୁ ବରଦାସ୍ତ କରାଯିବନି ବୋଲି ମୁଇଜୁ ପରୋକ୍ଷରେ କହିଥିଲେ । ବିଦେଶ ବ୍ୟାପାର ମନ୍ତ୍ରୀ ଜୟଶଙ୍କର ଏହାକୁ କଡା ଭାଷାରେ ଜବାବ ଦେଇଥିଲେ । ଭାରତ ପଡୋଶୀ ପ୍ରଥମ ନୀତିରେ ବିଶ୍ବାସ କରେ, ଏବେ ନିକଟରେ ଭାରତ କେଉଁ ସବୁ ଦେଶକୁ କେଉଁ କ୍ଷେତ୍ରରେ ସହଯୋଗ କରିଛି ତାର ଉଦାହରଣ ଦେଇଥିଲେ ଜୟଶଙ୍କର ।