ହାଇଦ୍ରାବାଦ:ଆଜି କାନାଡା ରାଜଧାନୀ ଟରାଣ୍ଟୋରେ ଶିଖର ଧର୍ମର ଖଲସା ଦିବସ ପାଳନ କରାଯାଇଛି । ଏଥିରେ ସେଠାରେ ଥିବା ଶିଖ ଧର୍ମାବଲମ୍ବୀଙ୍କ ସହ ସାମିଲ ହୋଇଛନ୍ତି ସ୍ଥାନୀୟ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ । ଟ୍ରୁଡୋ ମୁଣ୍ଡରେ ଏକ ନାରଙ୍ଗୀ କପଡା ବାନ୍ଧି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । କାନାଡାର ବିରୋଧୀ ଦଳ ନେତା ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ହେଲେ ଏଥିରେ ଖଲିସ୍ତାନୀ ସପକ୍ଷବାଦୀ ନାରା ଲାଗିଥିବା ଦେଖିବାକୁ ମିଳିଛି । କାର୍ଯ୍ୟକ୍ରମ ସମ୍ପର୍କରେ ସ୍ଥାନୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଛି । ଟ୍ରୁଡୋ ଭାଷଣ ଦେବା ସମୟରେ ତଳେ ଥିବା ଲୋକେ ଖଲିସ୍ତାନୀ ସମର୍ଥିତ ବୟାନବାଜୀ (ଖଲିସ୍ତାନ ଜିନ୍ଦାବାଦ) ନାରା ଦେଇଥିଲେ ।
ପୂର୍ବରୁ ଏହି ଖଲିସ୍ତାନ ପ୍ରସଙ୍ଗରେ ଭାରତ-କାନାଡା ମଧ୍ୟରେ ସମ୍ପର୍କ ତିକ୍ତତାପୂର୍ଣ୍ଣ ହୋଇଥିଲା । ଯାହା ଏବେ ସୁଦ୍ଧା ମଧ୍ୟ ସ୍ବାଭାବିକ ହୋଇନି । ଖଲିସ୍ତାନୀ ଆତଙ୍କବାଦୀ ନିଜ୍ଜାରର ହତ୍ୟାରେ କାନାଡା ଭାରତର ସମ୍ପୃକ୍ତି ନେଇ ଅଭିଯୋଗ କରିଥିଲା । ଏପରିକି ନିଜେ ପ୍ରଧାନମନ୍ତ୍ରୀ ଜଷ୍ଟିନ ଜି20 ସମ୍ମିଳନୀରେ ଅଂଶଗ୍ରହଣ କରି ଭାରତରୁ ଫେରିବା ପରେ ସିଧା ଏହି ଅଭିଯୋଗ ଆଣିଥିଲେ । ଏହାକୁ ନେଇ ନୂଆଦିଲ୍ଲୀ ତୀବ୍ର ପ୍ରତିକ୍ରିୟାଶୀଳ ହୋଇଥିଲା । ଏପରିକି ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସେବା ମଧ୍ୟ ପ୍ରଭାବିତ ହୋଇଥିଲା । ଭିସା ସେବା ସାମୟିକ ବନ୍ଦ କରିଥିଲା ଭାରତ । ପରେ ଅବଶ୍ୟ ଏହି ସେବାକୁ ପୁନଃକାର୍ଯ୍ୟକ୍ଷମ କରାଯାଇଥିଲା ।