ହାଇଦ୍ରାବାଦ:କିଛି ଦିନର ବ୍ୟବଧାନ ମଧ୍ୟରେ ଗାଜାରେ ପୁଣି ବଡଧରଣର ଆକ୍ରମଣ କରିଛି ଇସ୍ରାଏଲ ସେନା । ଉତ୍ତର ଗାଜାରେ ଥିବା ଏକ ଶରଣାର୍ଥୀ କ୍ୟାମ୍ପରେ ଏହି ଆକ୍ରମଣ ହୋଇଛି । ଏଥିରେ ପ୍ରାୟ ଶତାଧିକ ପାଲେଷ୍ଟାନୀୟଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଗାଜାର ଅଭିଯୋଗ ଅନୁସାରେ, ଏହି କ୍ୟାମ୍ପରେ ଖାଦ୍ୟ ଓ ଅନ୍ୟ ରିଲିଫ ସାମଗ୍ରୀ ବିତରଣ ହେଉଥିବା ବେଳେ ଇସ୍ରାଏଲୀ ଫୋର୍ସ ଏହି ଅତର୍କିତ ଆକ୍ରମଣ କରିଛି । ଏବେ ସୁଦ୍ଧା 104ଜଣଙ୍କ ମୃତ୍ୟୁ ହୋଇଥିବା ସ୍ଷଷ୍ଟ ହୋଇଥିବା ବେଳେ ପ୍ରାୟ 7ଶହ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁ ମଧ୍ୟ ରହିଛନ୍ତି । ଆହତଙ୍କ ମଧ୍ୟରେ ବହୁ ଗୁରୁତର ଥିବାରୁ ମୃତ୍ୟୁସଂଖ୍ୟା ମଧ୍ୟ ବଢିବାର ଯଥେଷ୍ଟ ଆଶଙ୍କା ରହିଥିବା ଗାଜା ପକ୍ଷରୁ ଦାବି କରାଯାଇଛି ।
ତେବେ ଇସ୍ରାଏଲ ପକ୍ଷରୁ ଏହି ଘଟଣା ସମ୍ପର୍କରେ କୁହାଯାଇଛି ଯେ, ଉତ୍ତର ଗାଜାର ଏକ ସ୍ଥାନରେ ଏକତ୍ରିତ ହୋଇଥିବା ଲୋକଙ୍କ ଠାରୁ କୌଣସି ବିପଦ ଆଶଙ୍କା କରି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତେବେ ମୃତାହତ ସଂଖ୍ୟା ନେଇ ଇସ୍ରାଏଲ ଡିଫେନ୍ସ ଫୋର୍ସ କୌଣସି ସୂଚନା ଦେଇନି । 104 ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ଓ 7ଶହରୁ ଅଧିକ ସାଧାରଣ ଲୋକେ ଆହତ ହୋଇଥିବା ଗାଜା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଅଭିଯୋଗ ହୋଇଛି ।