ହାଇଦ୍ରାବାଦ:ଯାହା ଆଶଙ୍କା କରାଯାଉଥିଲା, ତାହା ହିଁ ହେଲା । ଇସ୍ରାଏଲ ଉପରେ ବଡଧରଣର ଆକ୍ରମଣ କରିଛି ଇରାନ । ଗତକାଲି ରାତିରେ ଏକକାଳୀନ ପ୍ରାୟ 2ଶହରୁ ଅଧିକ କ୍ଷେପଣାସ୍ତ୍ର ମାଡ କରି ଇସ୍ରାଏଲର ଏକାଧିକ ଅଞ୍ଚଳକୁ ଟାର୍ଗେଟ କରିଛି ଇରାନ ସେନା । ଇସ୍ରାଏଲର ବାୟୁ ପ୍ରତିରକ୍ଷା ପ୍ରଣାଳୀ ‘ଆଇରନ୍ ଡୋମ୍’ କିଛି ଇରାନୀ କ୍ଷେପଣାସ୍ତ୍ରକୁ ମଝି ଆକାଶରେ ଇଣ୍ଟରସେପ୍ଟ କରିଥିଲେ ସୁଦ୍ଧା କିଛି କ୍ଷେପଣାସ୍ତ୍ର ଟାର୍ଗେଟ ହିଟ୍ କରିବାରେ ସଫଳ ହୋଇଛି । ଭାରତୀୟ ସମୟ ରାତି ପ୍ରାୟ ସାଢେ 10 ଟାରେ ଏହି ଆକ୍ରମଣ ହୋଇଛି ।
- ଏକକାଳୀନ 2ଶହ ରକେଟ୍ ମାଡ:
ଇସ୍ରାଏଲର ସାମରିକ ପ୍ରତିଷ୍ଠାନ ଓ ସାଧାରଣ ଜନବସତିକୁ ଏଥିରେ ଟାର୍ଗେଟ କରାଯାଇଛି । କେତେକ ସ୍ଥାନରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ବମ୍ ସେଲଟର ବା ବୋମା ନିରୋଧୀ ଆଶ୍ରୟସ୍ଥଳୀରେ ଇସ୍ରାଏଲୀ ନାଗରିକଙ୍କୁ ରଖାଯାଇଥିବାର ସୂଚନା ମିଳିଛି । ମୃତାହତ ଓ ଅନ୍ୟ କ୍ଷୟକ୍ଷତି ସମ୍ପର୍କରେ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନି । ସମଗ୍ର ଇସ୍ରାଏଲରେ ହାଇଆଲର୍ଟ ଜାରି ହୋଇଛି । ପାଲଟା ଜବାବ ଦେବାକୁ ଇସ୍ରାଏଲ ସେନା ପ୍ରସ୍ତୁତ ହେଉଛି । ଇସ୍ରାଏଲ ବିରୋଧରେ ଆତଙ୍କବାଦୀ ସଂଗଠନକୁ ପ୍ରଚ୍ଛଦ ପୃଷ୍ଠପୋଷକତା କରିଆସୁଥିବା ଇରାନ ପ୍ରଥମ ଥର ନିଜ ଦେଶରୁ ସିଧାସଳଖ ଇସ୍ରାଏଲ ଉପରେ ଆକ୍ରମଣ କରିଛି ।
- ପ୍ରଚଣ୍ଡ ଆକ୍ରମଣ କରିପାରେ ଇସ୍ରାଏଲ
ଏହି ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଖଣ୍ଡଯୁଦ୍ଧ ଏବେ ପୂର୍ଣ୍ଣଯୁଦ୍ଧରେ ପରିଣତ ହେବାକୁ ଯାଉଥିବା ଏକପ୍ରକାର ସ୍ପଷ୍ଟ ହେଉଛି । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି, ଇରାନ ବଡ ଭୁଲ କରିଛି । ଏହାର ପରିଣାମ ଭୋଗିବାକୁ ପଡିବ । ଇସ୍ରାଏଲ ଡିଫେନ୍ସ ଫୋର୍ସ (ଆଇଡିଏଫ) କହିଛି, ଇରାନର ଏକାଧିକ କ୍ଷେପଣାସ୍ତ୍ରକୁ ମଝି ଆକାଶରେ ନଷ୍ଟ କରାଯାଇଛି । ଦକ୍ଷିଣ-ଇସ୍ରାଏଲରେ କିଛି ରକେଟ ମାଡ ହୋଇଛି । ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ । କୌଣସି ସମୟରେ, କୌଣସିଠାରେ ଓ କୌଣସି ପ୍ରକାରେ ଆମେ ଏହାର ପ୍ରତିଜବାବ ଦେବୁ । ଅନ୍ୟପଟେ ଆକ୍ରମଣର ପ୍ରତିଜବବାବ ଦେବାକୁ ଇସ୍ରାଏଲ ପ୍ରୟାସ କଲେ ସ୍ଥିତି ଭୟାବହ ହେବ ବୋଲି ଇରାନ ମଧ୍ୟ ଚେତାଇ ଦେଇଛି ।