ଓଡିଶା

odisha

ନିର୍ବାଚନ ବେଳେ ବାଇଡେନଙ୍କ ମେମୋରି ଫେଲ୍ ! ଜେଲେନସ୍କିଙ୍କୁ ପୁଟିନ, କମଲା ହାରିସଙ୍କୁ କହିଲେ ଟ୍ରମ୍ପ - Biden gaffe at NATO Summit

By ETV Bharat Odisha Team

Published : Jul 12, 2024, 12:58 PM IST

Updated : Jul 12, 2024, 2:20 PM IST

Biden's gaffe at NATO Summit: ପୁଣିଥରେ ବଡମଞ୍ଚରେ ବାଉଳା ହେଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ପୁଟିନ ବୋଲି ସମ୍ବୋଧନ କଲେ । ଯାହାପରେ ତାଙ୍କର ରାଷ୍ଟ୍ରପତି ପ୍ରାର୍ଥିତ୍ବକୁ ନେଇ ପୁଣିଥରେ ଉଠିଛି ପ୍ରଶ୍ନ । ଅଧିକ ପଢନ୍ତୁ

Etv Bharat
Etv Bharat (Etv Bharat)

ୱାସିଂଟନ: ଆସନ୍ତା ନଭେମ୍ବରରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ । ଏଥର ପୁଣି ବାଇଡେନ ଓ ଟ୍ରମ୍ପ ଟକ୍କର ଦେଖିବ ବିଶ୍ବ । ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବା ବେଳେ ଏପରି ସମୟରେ ନିଜର ମାନସିକ ସ୍ଥିତି ଏବଂ ଫିଟେନସକୁ ନେଇ ପୁଣିଥରେ ସମାଲୋଚନାର ଶିକାର ହୋଇଛନ୍ତି ୮୧ ବର୍ଷୀୟ ରାଷ୍ଟ୍ରପତି ଜୋ ବାଇଡେନ । ତାଙ୍କର ଶାରିରୀକ ଓ ମାନସିକ ସୁସ୍ଥତାକୁ ନେଇ ବାରମ୍ବାର ପ୍ରଶ୍ନ ଉଠୁଛି । କାରଣ ଅନେକ ସମୟରେ ସର୍ବସାଧାରଣରେ ଭାଷଣ ଦେବାବେଳେ ସାଂଘାତିକ ଭୁଲ୍ କରୁଛନ୍ତି ବାଇଡେନ । କେତେବେଳେ ବିଶ୍ବସ୍ତରୀୟ ନେତାଙ୍କ ନାଁ ଭୁଲି ଯାଉଛନ୍ତି ତ କେତେବେଳେ ନିଜ ନେତାଙ୍କୁ ଅନ୍ୟ ନାଁରେ ସମ୍ବୋଧନ କରୁଛନ୍ତି । ପୁଣିଥରେ ବଡ ମଞ୍ଚରେ ବାଇଡେନଙ୍କ ଏପରି ଭୁଲ୍ ସାମ୍ନାକୁ ଆସିଛି । ଯାହାପରେ ସେ ଆସନ୍ତା ରାଷ୍ଟ୍ରପତି ନିର୍ବାଚନ ଲଢିବା ପାଇଁ ଫିଟ୍ କି ? ବୋଲି ପ୍ରଶ୍ନ ଉଠୁଛି ।

ଘଟଣା ହେଉଛି ଜୁଲାଇ ୧୦ ନାଟୋ ସମ୍ମିଳନୀ ସମୟର । ୱାସିଂଟନଠାରେ ଆୟୋଜିତ ଏହି ସମ୍ମିଳନୀରେ ବାଇଡେନ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଋଷ୍ ରାଷ୍ଟ୍ରପତି ପୁଟିନଙ୍କ ନାଁରେ ସମ୍ବୋଧନ କରିଥିଲେ । ସେହିପରି ଆଉ ଏକ ସମ୍ମିଳନୀରେ ଆମେରିକା ଉପରାଷ୍ଟ୍ରପତି କମଲା ହାରିସଙ୍କୁ ଭୁଲରେ ରିପବ୍ଲିକାନ ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ କହିଥିଲେ ।

ନାଟୋ ସମ୍ମିଳନୀରେ ଜେଲେନସ୍କିଙ୍କୁ ପରିଚିତ କରିବା ଅବସରରେ ବାଇଡେନ କହିଥିଲେ, ''ଏବେ ମୁଁ ୟୁକ୍ରେନର ରାଷ୍ଟ୍ରପତି ପୁଟିନଙ୍କୁ ଡାକିବାକୁ ଚାହୁଁଛି, ଯିଏ ଯେତିକି ସାହାସୀ ସେତିକି ଦୃଢ ପରିକର ମଧ୍ୟ ।'' ଏହାପରେ ସଙ୍ଗେ ସଙ୍ଗେ ସେ ନିଜ ତ୍ରୁଟିକୁ ସୁଧାରି କହିଥିଲେ, ''ରାଷ୍ଟ୍ରପତି ପୁଟିନଙ୍କୁ ହରାଇବାକୁ ଯାଉଛନ୍ତି ରାଷ୍ଟ୍ରପତି ଜେଲେନସ୍କି । ପୁଟିନଙ୍କ ପରାଜୟ ପାଇଁ ମୋର ଲକ୍ଷ୍ୟ ।'' ତେବେ ଜେଲେନସ୍କିଙ୍କୁ ପୁଟିନ କହିବା ପରେ ବାଇଡେନ ଉପରାଷ୍ଟ୍ରପତି କମଲା ହାରିସଙ୍କୁ ପୂର୍ବତନ ଆମେରିକା ରାଷ୍ଟ୍ରପତି ବା ନିଜର ପ୍ରତିଦ୍ବନ୍ଦୀ ଡୋନାଲ୍ଡ ଟ୍ରମ୍ପଙ୍କ ନାଁରେ ସମ୍ବୋଧନ କରିଥିଲେ ।

ବାଇଡେନଙ୍କୁ ପଚରା ଯାଇଥିଲା, ଯଦି ସେ ପୁନର୍ବାର ନିର୍ବାଚନ ନ ଲଢନ୍ତି ତାହେଲେ କମଲା ହାରିସ୍ ଡୋନାଲ୍ଡ ଟ୍ରମ୍ପକୁ ହରାଇପାରିବେ କି ? ଜବାବରେ ବାଇଡେନ କହିଥିଲେ, ଯଦି ସେ ଯୋଗ୍ୟ ହୋଇନଥାନ୍ତେ ତାହେଲେ ଉପରାଷ୍ଟ୍ରପତି ଟ୍ରମ୍ପକୁ ଉପରାଷ୍ଟ୍ରପତି ଭାବେ ବାଛି ନଥାନ୍ତି ।

ଏହି ବୟାନକୁ ନେଇ ସୋସିଆଲ ମିଡିଆରେ ବାଇଡେନଙ୍କୁ କଟାକ୍ଷ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ତେବେ ବାଇଡେନ ଏପରି ବାଉଳା ହେବା ପ୍ରଥମ ଥର ନୁହେଁ, ସେ ପୂର୍ବରୁ ମଧ୍ୟ ଅନେକ ବିଶ୍ବସ୍ତରୀୟ ନେତାଙ୍କ ନାଁ ଭୁଲ୍ କହିଛନ୍ତି । ଏଥିପାଇଁ ତାଙ୍କ ରାଷ୍ଟ୍ରପତି ପଦ ଉପରେ ମଧ୍ୟ ପ୍ରଶ୍ନ ଉଠିସାରିଛି । ବୟସାଧିକ ଏବଂ ମାନସିକ ଅସୁସ୍ଥତା କାରଣରୁ ସେ ରାଷ୍ଟ୍ରପତି ରେସ୍‌ରୁ ବାହାରିବାକୁ ବିଭିନ୍ନ ମହଲରେ ଦାବି କରାଯାଉଛି । ଏମିତିକି ତାଙ୍କର ନିଜ ଦଳ ଡେମକ୍ରୋଟିକ ନେତା ଜର୍ଜ କ୍ଲୋନି ମଧ୍ୟ ଏଥର ରାଷ୍ଟ୍ରପତି ନିର୍ବାଚନ ନ ଲଢିବାକୁ ବାଇଡେନଙ୍କୁ ପରାମର୍ଶ ଦେଇଛନ୍ତି ।

ଏହାସତ୍ତ୍ବେ ଚଳିତ ରାଷ୍ଟ୍ରପତି ନିର୍ବାଚନ ଲଢିବେ ବୋଲି ସ୍ପଷ୍ଟ କରିଛନ୍ତି ଜୋ ବାଇଡେନ । ଗତ ସୋମବାର ଦିନ ସେ କହିଥିଲେ, ମୁଁ ନିର୍ବାଚନ ଲଢିବି । ଶେଷ ପର୍ଯ୍ୟନ୍ତ ଲଢେଇ କରିବାକୁ ଓ ଡୋନାଲ୍ଡ ଟ୍ରମ୍ପକୁ ହରାଇକୁ ମୁଁ ପ୍ରତିଶ୍ରୁତିବଦ୍ଧ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 12, 2024, 2:20 PM IST

ABOUT THE AUTHOR

...view details