ଓଡିଶା

odisha

ବାଂଲାଦେଶ ସଙ୍କଟ: ପ୍ରଧାନମନ୍ତ୍ରୀଙ୍କ ପରେ ପଦ ଛାଡିଲେ ପ୍ରଧାନ ବିଚାରପତି, ଘଣ୍ଟାଏ ମହଲତ ଦେଇଥିଲେ ବିଦ୍ରୋହୀ - Bangladesh Chief Justice Resigns

By ETV Bharat Odisha Team

Published : Aug 10, 2024, 4:09 PM IST

Bangladesh crisis: ଅନ୍ତରୀଣ ସରକାର ଗଠନ ପରେ ସୁଦ୍ଧା ଅଶାନ୍ତ ବାଂଲାଦେଶ । ପଦରୁ ଇସ୍ତଫା ଦେଲେ ହସିନାଙ୍କ ଅନୁଗତ କୁହାଯାଉଥିବା ପ୍ରଧାନ ବିଚାରପତି ଅବଦ୍ଦୁଲ ହାସନ । ଘଣ୍ଟାଏ ମହଲତ ଦେଇଥିଲେ ଆନ୍ଦୋଳନକାରୀ । ଅଧିକ ପଢନ୍ତୁ

ବାଂଲାଦେଶ ସଙ୍କଟ: ପ୍ରଧାନମନ୍ତ୍ରୀଙ୍କ ପରେ ପଦ ଛାଡିଲେ ପ୍ରଧାନ ବିଚାରପତି, ଘଣ୍ଟାଏ ମହଲତ ଦେଇଥିଲେ ବିଦ୍ରୋହୀ
ବାଂଲାଦେଶ ସଙ୍କଟ: ପ୍ରଧାନମନ୍ତ୍ରୀଙ୍କ ପରେ ପଦ ଛାଡିଲେ ପ୍ରଧାନ ବିଚାରପତି, ଘଣ୍ଟାଏ ମହଲତ ଦେଇଥିଲେ ବିଦ୍ରୋହୀ (ETV Bharat Odisha)

ଢାକା: ଅନ୍ତରୀଣ ସରକାର ଗଠନ ହୋଇସାରିଥିଲେ ସୁଦ୍ଧା ବାଂଲାଦେଶରେ ହିଂସା ଥମିବାର ନାଁ ନେଉନି । ବିଭିନ୍ନ ସ୍ଥାନରେ ହିଂସା, ଜଳାପୋଡା, ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଆକ୍ରମଣ ଓ ପୂର୍ବ ଶାସକ ଦଳ ‘ଆଓ୍ବାମୀ ଲିଗ’ର ନେତାଙ୍କୁ ହତ୍ୟା କରାଯିବା ଜାରି ରହିଛି । ଏବେ ସୁଦ୍ଧା ମୃତ୍ୟୁସଂଖ୍ୟା ପ୍ରାୟ 5ଶହରେ ପହଞ୍ଚିଲାଣି । ଆଜି ଏହାରି ମଧ୍ୟରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଅବଦ୍ଦୁଲ ହାସନ ଇସ୍ତଫା ଦେବାକୁ ବାଧ୍ୟ ହୋଇଛନ୍ତି । ସେ ଆଜି ସଂଧ୍ୟାରେ ରାଷ୍ଟ୍ରପତି ମହମ୍ମଦ ସାହାବୁଦ୍ଦିନଙ୍କୁ ନିଜ ଇସ୍ତଫାପତ୍ର ପ୍ରଦାନ କରିବା ନେଇ ସ୍ଥାନୀୟ ଓ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଛି । ବିଦ୍ରୋହୀ ଗୋଷ୍ଠୀଙ୍କ ପକ୍ଷରୁ ପ୍ରଧାନ ବିଚାରପତିଙ୍କୁ ପଦ ଛାଡିବାକୁ ମହଲତ ମିଳିଥିଲା ।

ଘଣ୍ଟାଏ ମହଲତ ଦେଇଥିଲେ ବିଦ୍ରୋହୀ:-

ପ୍ରଧାନ ବିଚାରପତି ଅବଦ୍ଦୁଲ ହାସନ ବର୍ତ୍ତମାନର ସ୍ଥିତିକୁ ନେଇ ନ୍ୟାୟପାଳିକାର ଏକ ଜୁରରୀ ବୈଠକ ଡାକିଥିଲେ । ଏହାକୁ ଆନ୍ଦୋଳନକାରୀଙ୍କ ପକ୍ଷରୁ ତୀବ୍ର ବିରୋଧ କରାଯାଇଥିଲା । ଜଷ୍ଟିସ ଅବଦ୍ଦୁଲ ହାସନଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ସେଖ ହସିନାଙ୍କ ଅନୁଗତ ଭାବେ ମଧ୍ୟ ବିଚାର କରାଯାଏ । ତେଣୁ ଜରୁରୀ ବୈଠକ ଡକାଯିବା ଖବର ପ୍ରସାରିତ ହେବା ପରେ ସିଧା ଆନ୍ଦୋଳନକାରୀଙ୍କ ଆକ୍ରୋଶ ମଧ୍ୟକୁ ଆସିଥିଲେ ପ୍ରଧାନ ବିଚାରପତି ଜଷ୍ଟିସ ହାସନ ।

ଆନ୍ଦୋଳକାରୀମାନେ ତାଙ୍କୁ ତୁରନ୍ତ ପଦରୁ ଇସ୍ତଫା ଦେବା ପାଇଁ ଚାପ ସୃଷ୍ଟି କରିବା ସହ ମାତ୍ର ଘଣ୍ଟାଏ ମହଲତ ଦେଇଥିଲେ । ଏହା ପରେ ଉତ୍ୟକ୍ତ ଆନ୍ଦୋଳନକାରୀ ସୁପ୍ରିମକୋର୍ଟ ସହ ବିଭିନ୍ନ କୋର୍ଟ ପରିସରରେ ମଧ୍ୟ ଆକ୍ରମଣ କରିବାର ଆଶଙ୍କା ରହିଥିଲା । ତେବେ ଆଜି ସଂଧ୍ୟା ସୁଦ୍ଧା ଜଷ୍ଟିସ ହାସନ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ହୋଇଥିବା ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଛି ।

ଏହା ମଧ୍ୟ ପଢନ୍ତୁ :- ବାଂଲାଦେଶରେ ନୂଆ ସରକାର, ମଧ୍ୟବର୍ତ୍ତୀକାଳୀନ ସରକାରର ମୁଖ୍ୟ ହେଲେ ନୋବେଲ ବିଜେତା ମହମ୍ମଦ ୟୁନୁସ - YUNUS APPOINTED INTERIM GOVT HEAD

କେବେ ଭାରତରୁ ଫେରିବେ ହସିନା:-

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ସେଖ ହସିନାଙ୍କ ରାଜନୈତିକ ଭବିଷ୍ୟତ କ’ଣ ହେବ, ସେନେଇ ନାନା କଳ୍ପନା ଜଳ୍ପନା ଜାରି ରହିଛି । ବାଂଲାଦେଶରେ ହିଂସା ଏବେ ଚରମ ସୀମାରେ ପହଞ୍ଚିଛି । ସୋମବାରଠାରୁ ହସିନା ଦିଲ୍ଲୀରେ ଅଛନ୍ତି । ସେ ବ୍ରିଟେନ କିମ୍ବା ଅନ୍ୟ କୌଣସି ୟୁରୋପୀୟ ଦେଶ ଯାତ୍ରା କରିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲେ ସୁଦ୍ଧା ସେ ଏପର୍ଯ୍ୟନ୍ତ ଦିଲ୍ଲୀରେ ଶରଣ ନେଇଛନ୍ତି ।

ଅନ୍ୟପଟେ ହିଂସା ଅଣାୟତ ହେବା ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ଓ ତଥ୍ୟ ମଧ୍ୟ ଉଜାଗର ହେବାରେ ଲାଗିଛି । ବାଂଲାଦେଶ ସେନା ହିଁ ଆନ୍ଦୋଳନକୁ ବ୍ୟାପକ କରିବାର କ୍ଷେତ୍ର ପ୍ରସ୍ତୁତ କରିଥିବା ଓ ବିଦ୍ରୋହୀଙ୍କୁ ଦମନ କରିବା ପରିବର୍ତ୍ତେ ପ୍ରଧାନମନ୍ତ୍ରୀ ହସିନାଙ୍କୁ ଦେଶ ଛାଡିବା ପାଇଁ ମହଲତ ଦେଇଥିବା ଚର୍ଚ୍ଚା ହେଉଛି । ସେନାର ଉଦ୍ଦେଶ୍ୟମୂଳକ କୋହଳ ଆଭିମୁଖ୍ୟ ପାଇଁ ଦେଶରେ ହିଂସା କମିବା ପରିବର୍ତ୍ତେ ବଢିବାରେ ଲାଗିିଥିବା ଚର୍ଚ୍ଚା ହେଉଛି । ଆଜି ସେହିକ୍ରମରେ ପ୍ରଧାନମନ୍ତ୍ରୀଙ୍କ ପରେ ପ୍ରଧାନ ବିଚାରପତି ମଧ୍ୟ ନିଜ ପଦରୁ ଇସ୍ତଫା ଦେବାକୁ ବାଧ୍ୟ ହୋଇଛନ୍ତି ।

ଗୁରୁବାର ଗଠନ ହୋଇଥିଲା ଅନ୍ତରୀଣ ସରକାର:-

ଗୁରୁବାର (8 ତାରିଖ) ସଂଧ୍ୟାରେ ବାଂଲାଦେଶରେ ନୋବେଲ ବିଜେତା ପ୍ର. ମହମ୍ମଦ ୟୁନୁସ ଅନ୍ତରୀଣ ସରକାରର ମୁଖ୍ୟ ଭାବେ ଶପଥ ଗ୍ରହଣ କରିସାରିଛନ୍ତି । ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ 84ବର୍ଷୀୟ ୟୁନୁସଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ତେବେ ଏହି ଅନ୍ତରୀଣ ସରକାର କାର୍ଯ୍ୟ ଆରମ୍ଭ କରିସାରିଥିଲେ ସୁଦ୍ଧା ବିଦ୍ରୋହୀ ଆନ୍ଦୋଳନ ବନ୍ଦ କରିନାହାନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details