ହାଇଦ୍ରାବାଦ:ଯୁଦ୍ଧ କେବଳ ଦଶନ୍ଧି ଧରି ଛାପ ଛାଡିଯାଉଥିବା ଯନ୍ତ୍ରଣା ଓ ଦୁର୍ଦ୍ଦଶାର ଏକ ଅଧ୍ୟାୟ । ଏପରି ଏକ ଉକ୍ତିକୁ ମଧ୍ୟପ୍ରାଚ୍ୟରେ ଦେଖାଯାଇଥିବା ଗାଜା ସଙ୍କଟ ଯଥାର୍ଥରେ ବ୍ୟାଖ୍ୟା କରିଛି । ପାଲେଷ୍ଟାଇନ- ଇସ୍ରାଏଲ ଦ୍ବନ୍ଦ୍ବ ମଧ୍ୟରେ ମାନବୀୟ ସଙ୍କଟର ଏକାଧିକ ଛାତିଥରା ଘଟଣା ବିଶ୍ବବାସୀଙ୍କୁ ବିଚଳିତ କରୁଛି । ସେହିପରି ଏକ ସମ୍ବେଦନଶୀଳ ଘଟଣା ଏବେ ଗାଜାରୁ ସାମ୍ନାକୁ ଆସିଛି । ଦୁନିଆ ଦେଖିବା ପୂର୍ବରୁ ବାପା-ମା‘ ଓ ପରିବାର ଛେଉଁଣ୍ଡ ହୋଇଯାଇଛି ଜଣେ ନିଷ୍ପାପ ନବଜାତ ଶିଶୁ । ଇସ୍ରାଏଲର ଆକ୍ରମଣରେ ଶିଶୁକୁ ଜନ୍ମଦେବା ପାଇଁ ଅପେକ୍ଷା କରିଥିବା ଆସନ୍ନପ୍ରସବା ମା’ ଆଖି ବୁଜିଛି । ମାତ୍ର ମୃତ ମା’ ଗର୍ଭରୁ ଜନ୍ମ ନେଇଛି ଶିଶୁକନ୍ୟା । ଇଜିପ୍ଟ ସୀମାବର୍ତ୍ତୀ ରଫା ଅନ୍ତର୍ଜାତୀୟ ବର୍ଡର ପୋଷ୍ଟ ନିକଟରେ ଥିବା ଦକ୍ଷିଣ ଗାଜାରେ ଇସ୍ରାଏଲ ସେନାର ଆକ୍ରମଣରେ ଜଣେ ପ୍ରସୂତୀ ମହିଳା, ତାଙ୍କ ସ୍ବାମୀ ଓ ଝିଅ ପ୍ରାଣ ହରାଇଛନ୍ତି । ମାତ୍ର ମହିଳାଙ୍କ ଠାରୁ ଡାକ୍ତରମାନେ ଶିଶୁ କନ୍ୟାଟିକୁ ସୁରକ୍ଷିତ ପ୍ରସବ କରାଇବାରେ ସଫଳ ହୋଇଛନ୍ତି ।
ତେବେ ସ୍ଥାନୀୟ ଓ ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁସାରେ, ଏହି ମହିଳାଜଣକ ନାମ ସର୍ବିନ ଅଲ ସକାନୀ (Sabreen Al-Sakani) ଓ ସେ 30 ସପ୍ତାହର ଗର୍ଭବତୀ ଥିଲା । ନିକଟରେ ତାଙ୍କର ପ୍ରସବ ହେବାର ଥିଲା । ଗତ ଦୁଇଦିନ ତଳେ ରଫା ବର୍ଡର ପୋଷ୍ଟ ଏରିଆରେ ଇସ୍ରାଏଲ ସେନା ଅତର୍କିତ ଆକ୍ରମଣ କରିଥିଲା । ଏଥିରେ ଦୁଇ ପରିବାରର ପ୍ରାୟ 19 ଜଣଙ୍କ ମୃତ୍ୟୁ ହୋଇଥିବା ଗାଜା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅଭିଯୋଗ କରିଛି । ମୃତକଙ୍କ ମଧ୍ୟରେ କେବଳ 13 ଶିଶୁ ରହିଛନ୍ତି । ଏଥିରେ ପ୍ରସୂତୀ ସର୍ବିନ ଅଲ ସକାନୀଙ୍କ ସମେତ ତାଙ୍କ ସ୍ବାମୀ ଓ ଝିଅଙ୍କ ମୃତ୍ୟୁ ହୋଇଥିଲା । ଉଦ୍ଧାର କାର୍ଯ୍ୟ ବେଳେ ମହିଳାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ତାଙ୍କର ମୃତ୍ୟୁ ହୋଇସାରିଥିବା ଜଣାପଡିଥିଲା । ମୃତ ମହିଳାଙ୍କ ଠାରୁ ଡାକ୍ତରମାନେ ଶିଶୁ କନ୍ୟାଙ୍କୁ ପ୍ରସବ କରାଯାଇଥିଲେ । ଶିଶୁ କନ୍ୟାଟିର ଓଜନ 1.4 କେଜି ରହିଛି । ତାକୁ ବର୍ତ୍ତମାନ ସ୍ବତନ୍ତ୍ର ଡାକ୍ତରୀ ଟିମ ଚିକିତ୍ସା କରୁଛନ୍ତି ।