ହାଇଦ୍ରାବାଦ: ବଡ଼ ଦିନରେ ବଡ଼ ଅଘଟଣ । ଅବତରଣ ପୂର୍ବରୁ କ୍ରାସ ହୋଇଗଲା ବିମାନ । କାଜାଖସ୍ତାନରେ ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଛି । ଅକତାଉ ଏୟାରପୋର୍ଟରେ ଜରୁରୀ ଅବତରଣ ପୂର୍ବରୁ ବିମାନଟି କ୍ରାସ ହୋଇଯାଇଛି । ଦୁର୍ଘଟଣାରେ 38 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଉପ-ପ୍ରଧାନମନ୍ତ୍ରୀ କାନାଟ ବୋଜୁମ୍ବାଏଭ ଆଜେରବାଇଜାନର ଅଧିକାରୀଙ୍କ ସହ ଆଲୋଚନା ବେଳେ ଏହି ତଥ୍ୟ ପ୍ରକାଶ କରିଛନ୍ତି ବୋଲି ଋଷର ନ୍ୟୁଜ୍ ଏଜେନ୍ସି ଇଣ୍ଟରଫ୍ୟାକ୍ସ ରିପୋର୍ଟ କରିଛି । ଦୁର୍ଘଟଣାର କାରଣ ଜାଣିବାକୁ ତଦନ୍ତ ଚାଲିଛି ।
ବିମାନରେ ଥିଲେ 67 ଯାତ୍ରୀ:
କାଜାଖସ୍ତାନର ଅକତାଉ ଏୟାରପୋର୍ଟରେ ବିମାନଟି କ୍ରାସ ହୋଇଛି । କାଜାଖସ୍ତାନ ଟ୍ରାନ୍ସପୋର୍ଟ ମନ୍ତ୍ରଣାଳୟ ସୂଚନା ଅନୁସାରେ, ବିମାନରେ 67 ଜଣ ଥିଲେ । 62 ଜଣ ଯାତ୍ରୀ, 5 ଜଣ କ୍ରୁ ମେମ୍ବର । ବିମାନଟି ଅଜରବୈଜାନରୁ ଋଷିଆ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛି । 38 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 29 ଜଣଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଛି । । ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଛି । କେଉଁ କାରଣରୁ ବିମାନଟି କ୍ରାସ ହେଲା ତାହାର ମଧ୍ୟ ଯାଞ୍ଚ କରାଯାଉଛି ।
- ଅଜରବୈଜାନ ଏୟାର ଲାଇନ୍ସର ବିମାନ ଅକତାଉ ଏୟାରପୋର୍ଟରେ ଲ୍ୟାଣ୍ଡିଂ କରୁଥିଲା
- ଲ୍ୟାଣ୍ଡିଂ ବେଳେ କ୍ରାସ ହୋଇଗଲା ବିମାନ
- ବିମାନଟି ଋଷ ଯାଉଥିଲା
- ବିମାନରେ ଥିଲେ 67 ଜଣ
କ୍ରାସ ବେଳର ଭିଡିଓ ଭାଇରାଲ:
ବିମାନଟି ଜରୁରୀ ଅବତରଣ କରିବା ପୂର୍ବରୁ କ୍ରାସ ହୋଇଯାଇଥିଲା । ବିମାନ କ୍ରାସ ହେବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳୁଛି କି, ଲ୍ୟାଣ୍ଡିଂ କରିବାକୁ ଯାଉଥିବା ବେଳେ ବିମାନଟି କ୍ରାସ ହୋଇ ନିଆଁ ଲାଗିଯାଉଛି । ତେବେ ଏହି ବିମାନଟି ଅଜରବୈଜାନ ଏୟାର ଲାଇନ୍ସର ବୋଲି କୁହାଯାଉଛି । ସ୍ଥାନୀୟ ସ୍ବାସ୍ଥ୍ୟ ଅଧିକାରୀଙ୍କ ସୂଚନା ଅନୁସାରେ, ଏହି ଦୁର୍ଘଟଣାରେ 14 ଜଣଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି ।