ଭୁବନେଶ୍ବର: ବ୍ୟସ୍ତବହୁଳ ଜୀବନରେ ମଣିଷ ଦୈନନ୍ଦିନ ଜୀବନରେ ମାନସିକ ଚାପରେ ସମ୍ମୁଖୀନ ହେଉଛି । ସବୁବେଳେ ମାନସିକ ଚାପ ମଣିଷ ପ୍ରତି କ୍ଷତିକାରକ ହୋଇଥାଏ । ତେବେ ମୁଖ୍ୟତଃ ଦେଖିବାକୁ ମିଳିଥାଏ ଯେ, ମହିଳାମାନେ ଗର୍ଭାବସ୍ଥା ଓ ପିଲା ଜନ୍ମ ହେବାପରେ ମାନସିକ ଚାପରେ ରୁହନ୍ତି । ଶିଶୁ ଜନ୍ମ ପରେ ଆସୁଥିବା ମାନସିକ ଚାପକୁ ପୋଷ୍ଟପାର୍ଟମ ବ୍ଲୁ ଏବଂ ପୋଷ୍ଟ ପାର୍ଟମ ସାଇକୋସିସ କୁହାଯାଉଥିଲା । ଅନେକ ସମୟରେ ମନ ବିଭ୍ରାନ୍ତ ହୋଇଯାଏ । ମନ ଦୁଃଖରେ ରୁହନ୍ତି । ଏହାସହ ଅନେକ ସମୟରେ ମଧ୍ୟ ଚିଡଚିଡାପଣ ମଧ୍ୟ ଦେଖାଯାଇଥାଏ । ତେବେ ଏହା କାହିଁକି ହୋଇଥାଏ । କିଭଳି ଏହି ସମସ୍ୟାରୁ ବର୍ତ୍ତିହେବ ସେନେଇ ପରାମର୍ଶ ଦେଇଛନ୍ତି ମନସ୍ତତ୍ତ୍ୱବିତ୍ ଉମାପ୍ରସାଦ ବିଶ୍ଵାଳ ।
Depression After Pregnancy (ETV Bharat Odisha) ମାନସିକ ଚାପର ମୁଖ୍ୟ କାରଣ:
ମନସ୍ତତ୍ଵବିତ ଉମାପ୍ରସାଦ ବିଶ୍ଵାଳ କହିଛନ୍ତି, "ପୁରୁଷମାନଙ୍କ ଅପେକ୍ଷା ମହିଳାମାନଙ୍କଠାରେ ମାନସିକ ଚାପ ଜନିତ ସମସ୍ୟା ଅଧିକ ଦେଖିବାକୁ ମିଳିଥାଏ । ଅନେକ ବ୍ୟକ୍ତି ବଂଶାନୁଗତ କାରଣ ଯୋଗୁଁ ମାନସିକ ଚାପ ପ୍ରତି ଅତ୍ୟଧିକ ସମ୍ବେଦନଶୀଳ ହୋଇଥାନ୍ତି । ଆଜିକାଲିର ଆଧୁନିକ ଜୀବନଶୈଳୀ ମଧ୍ୟ କେତେକାଂଶରେ ମାନସିକ ଚାପ ଆରମ୍ଭ କାରଣ ହେଉଛି । ଏହାସହ କାର୍ଯ୍ୟକ୍ଷେତ୍ରରେ ଅତ୍ୟଧିକ ପ୍ରତିଦ୍ଵନ୍ଦ୍ଵିତାମୂଳକ ମନୋଭାବ ରଖି କାମ କରୁଥିବା ବ୍ୟକ୍ତିମାନେ ମାନସିକ ଚାପରେ ବେଶୀ ଶିକାର ହେଉଛନ୍ତି । ଜୀବନରେ ଘଟୁଥିବା କେତେକ ଜଟିଳ ସମସ୍ୟା ଯୋଗୁଁ ମାନସିକ ଚାପ ସୃଷ୍ଟି ହୋଇଥାଏ । ସବୁବେଳେ ନକରାତ୍ମକ ଚିନ୍ତାଧାରାରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ଅନ୍ୟମାନଙ୍କ ଅପେକ୍ଷା ଅଧିକ ମାନସିକ ଚାପରେ ସମ୍ମୁଖୀନ ହୋଇଥାନ୍ତି ।"
Depression After Pregnancy (ETV Bharat Odisha) ଏଭଳି କାହିଁକି ହୋଇଥାଏ: "ଗର୍ଭାବସ୍ଥା ପରେ ବିଶେଷ ଭାବରେ ମହିଳାମାନେ ହରମୋନାଲ ସମସ୍ୟାରୁ ଆରମ୍ଭ କରି ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ଚିନ୍ତାଗ୍ରସ୍ତ ରହିଥାନ୍ତି । ଏହାଦ୍ବାରା ମାନସିକ ଚାପ ବଢ଼େ । ଅନେକ ସମୟରେ ପିଲା ଜନ୍ମ କରିଥିବା ମାଆ ଉପରେ ଖାଦ୍ୟକୁ ନେଇ ପ୍ରତିବନ୍ଧକ ଥାଏ । ସଠିକ ଭାବରେ ଖାଦ୍ୟପେୟ ନହେବା ଦ୍ବାରା ମାନସିକ ଚାମ ମଧ୍ୟ ବଢିଥାଏ । ସେହିପରି ଚାକିରି କରିଥିବା ମାଆମାନଙ୍କୁ କର୍ମକ୍ଷେତ୍ରକୁ ଯିବାକୁ ପଡ଼େ । ଫଳରେ ସେମାନେ ଅଫିସ କାମ ସହ ପିଲା କାମ କରିଥାନ୍ତି । ସେମାନଙ୍କୁ ବିଶ୍ରାମ ନେବା ପାଇଁ ଯଥେଷ୍ଟ ସମୟ ମିଳେନାହିଁ, ଏହା ମଧ୍ୟ ମାନସିକ ଚାପର କାରଣ ହୋଇପାରେ ।
Depression After Pregnancy (ETV Bharat Odisha) ଶିଶୁ ଉପରେ କେଉଁ ପ୍ରଭାବ ପଡ଼େ:
ମନସ୍ତତ୍ଵବିତ ଉମାପ୍ରସାଦ ବିଶ୍ଵାଳ କହିଛନ୍ତି, "ମାଆର ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଦେଖାଗଲେ ବିଶେଷ ଭାବରେ ଛୁଆ ଉପରେ ପ୍ରଭାବ ପଡିଥାଏ । ପ୍ରତିଟି ମୁହୂର୍ତ୍ତରେ ମାଆ ଉପରେ ଯେଉଁ ସମସ୍ଯା ଆସେ ସବୁ କିଛି ସିଧାସଳଖ ଭାବରେ ଛୁଆ ଉପରେ ପ୍ରଭାବ ପଡିବ । ମାଆ ଠାରୁ ଛୁଆ ମଧ୍ୟ ଶିଖିବା ଆରମ୍ଭ କରିଥାଏ । ଯଦି ମାଆ କିଛି ଜିନିଷକୁ ଦେଖି ଡ଼ରିଯାଏ ତେବେ ଛୁଆ ମଧ୍ୟ ଡ଼ରିବାର ସମ୍ଭାବନା ରହିଛି । ଯଦି ସେହି ଜିନିଷକୁ ମାଆ ଦେଖି ହସି ଦିଏ ତେବେ ଛୁଆ ମଧ୍ୟ ନ ଡରି ହସିବାକୁ ଲାଗିଥାଏ । ତେଣୁ ମାଆ ଯେଉଁଭଳି ବ୍ୟବହାର କରିବ ତାହା ପିଲା ଉପରେ ପ୍ରଭାବ ପକାଇବ । "
Depression After Pregnancy (ETV Bharat Odisha) କ'ଣ କରିବା ଆବଶ୍ୟକ:"ପ୍ରଥମ କରି ମାଆର ସଠିକ ଭାବରେ ଯତ୍ନ ନେବା ଆବଶ୍ୟକ । ଗର୍ଭାବସ୍ଥା ସମୟରେ ନିଜକୁ ଭଲ ଭାବରେ ପ୍ରସ୍ତୁତ କରିବା ଏବଂ ଶିଶୁ ଜନ୍ମ ହେଲା ପରେ ମଧ୍ୟ ନିଜକୁ କିଭଳି ସମ୍ଭାଳିବା ସେନେଇ ପରାମର୍ଶ ଦେବା ଆବଶ୍ୟକ । ଠିକ ଭାବରେ କାର୍ଯ୍ୟସୂଚୀ ପ୍ରସ୍ତୁତ କରିବା । ଖାଦ୍ୟପେୟ ଆଦିକୁ ସଠିକ ଭାବରେ ପରିଚାଳନା କରିବା ଅବଶ୍ୟକ । ସମସ୍ତେ ମାଆକୁ ସମର୍ଥନ ଦେବା ଆବଶ୍ୟକ। ମାଆକୁ କେବେହେଲେ ଏକା ଅନୁଭବ କରିବାକୁ ନ ଦେବା ଉଚିତ ।"
ସନ୍ତାନ ଜନ୍ମପରେ ମହିଳାମାନେ ଡିପ୍ରେସନର ଶିକାର: "ସନ୍ତାନ ଜନ୍ମ ହେବା ପରେ ମହିଳାମାନେ ବିଭିନ୍ନ ପ୍ରକାର ମାନସିକ ସମସ୍ୟାର ଶିକାର ହୋଇଥାନ୍ତି । ଏପରି କି ସନ୍ତାନ ଜନ୍ମ ହେବା ପରେ ଶରୀରରେ ହରମୋନ ପରିବର୍ତ୍ତନ ଯୋଗୁଁ ଏପରି ସମସ୍ୟା ହୋଇଥାଏ । ସନ୍ତାନ ଜନ୍ମ ହେବା ପରେ ଅଧିକାଂଶ ସମୟରେ ମହିଳାମାନେ ଆଉ କିଛି କାମ କରିପାରିବେ ନାହିଁ ବୋଲି ମନେ କରନ୍ତି । ଏହି ଭାବନା ହିଁ ସେମାନଙ୍କୁ ମାନସିକ ଭାବେ ଅବସାଦଗ୍ରସ୍ତ କରିଦେଇଥାଏ । ପ୍ରସବ ପରେ ବିଭିନ୍ନ କ୍ଷେତ୍ରରେ ମହିଳାମାନେ ନିଜକୁ ଅସହାୟ ବୋଲି ମନେ କରିଥାନ୍ତି । ପିଲାମାନଙ୍କର ଦେଖାଶୁଣା କରିବା ନେଇ ଚାପରେ ରହୁଥିବାବେଳେ ତାହା ବଢିଗଲେ ମାନସିକ ଅବସାଦର ରୂପ ନେଇଥାଏ । ଏଭଳି ସ୍ଥିତିରେ ସେମାନେ କୌଣସି ନିର୍ଣ୍ଣୟ ନେଇପାରନ୍ତି ନାହିଁ । ପୁଣି ସବୁ କଥା ଭୁଲିବାକୁ ଆରମ୍ଭ କରନ୍ତି । ବିଶେଷ ଭାବରେ ସେମାନଙ୍କୁ ଠିକ ସମୟରେ ଭୋକ କମ ଲାଗିଥାଏ । ତେଣୁ ଖାଦ୍ୟ ପ୍ରତି ଅରୁଚି ସାଧାରଣତଃ ବଢିଥାଏ ।"
କିପରି ରକ୍ଷା ପାଇବେ:
"ଏଭଳି ସ୍ଥିତିରୁ ରକ୍ଷା ପାଇବା ପାଇଁ ଲୋକମାନଙ୍କ ସହ ମିଶିବାକୁ ଅଭ୍ୟାସ କରିବା ଆବଶ୍ୟକ । ଖାଦ୍ୟ ଉପରେ ସ୍ୱତନ୍ତ୍ର ଭାବେ ଧ୍ୟାନ ଦେଲେ ଶକ୍ତି ଫେରିଥାଏ, ଯାହାଦ୍ୱାରା ଆତ୍ମବିଶ୍ୱାସ ବଢିଥାଏ । ଏହାସହ ସ୍ୱାମୀ ବା ପରିବାରବର୍ଗଙ୍କ ସହ ବାହାରକୁ ବୁଲିବାକୁ ଗଲେ ମଧ୍ୟ ମନ ପରିବର୍ତ୍ତନ ହୋଇଥାଏ । କିଛି ମହିଳା ମାଆ ହେବା ପରେ ନିଜର ଓଜନ ବୃଦ୍ଧିକୁ ନେଇ ଚିନ୍ତିତ ହୋଇପଡ଼ନ୍ତି । ଏହି ସମସ୍ୟାରୁ ରକ୍ଷା ପାଇବା ଲାଗି ଜିମ୍ ଯିବା ଆବଶ୍ୟକ ବୋଲି ଭବିଥାନ୍ତି । ଏହାସହ ଶିଶୁଟି ବଡ ହେଲେ ସେମାନଙ୍କ କ୍ଯାରିୟରକୁ ନେଇ ମଧ୍ୟ ମାଆମାନେ ବେଶି ଚିନ୍ତିତ ନ ରହିବା ଭଲ ।"
ଇଟିଭି ଭାରତ, ଭୁବନେଶ୍ବର