ହାଇଦ୍ରାବାଦ: ଆଜିକାଲି କେଶ ଝଡିବା ଓ ଚନ୍ଦାପଣ ଏକ ବଡ ସମସ୍ୟା ଭାବେ ଉଭା ହୋଇଛି । ପୁଅ ହେଉ କି ଝିଅ ସମସ୍ତେ ଏହାକୁ ନେଇ ଚିନ୍ତିତ । ବିଭିନ୍ନ କାରଣରୁ କେଶ ଝଡିଥାଏ । ଏହାକୁ ରୋକିବାକୁ ଲୋକମାନେ ଭିନ୍ନ ଭିନ୍ନ ଉପାୟ କରୁଛନ୍ତି । କିଏ ନାନା ତେଲ ଲଗାଇ ଓ ଘରୋଇ ଉପଚାର କରୁଛନ୍ତି ତ ଆଉ କିଏ ଔଷଧ ଖାଉଛନ୍ତି । ତେବେ ନିଜର ଖାଦ୍ୟପେୟ ପ୍ରତି ଧ୍ୟାନ ଦେଇ କେଶ ଝଡା କମ୍ କରାଯାଇପାରିବ । ଏଠି ଆମେ ଆପଣଙ୍କୁ ସେପରି କିଛି ପୁଷ୍ଟିକର ଖାଦ୍ୟ ବିଷୟରେ କହିବୁ, ଯାହାକି କେଶ୍ ଝଡିବା କମ୍ କରିବା ସହ ଘନ କେଶ ବୃଦ୍ଧି ପାଇଁ ଲାଭଦାୟକ ହେବ ।
ଆଇରନ ଯୁକ୍ତ ଖାଦ୍ୟ: ଆପଣଙ୍କ କେଶ ମୂଳ ପର୍ଯ୍ୟନ୍ତ ଅମ୍ଲଜାନ ପହଞ୍ଚିବା ପାଇଁ ଆଇରନ ବହୁତ ଜରୁରୀ । ଶରୀରରେ ଆଇରନ ଅଭାବ ହେଲେ କେଶ ଝଡିବା ଭଳି ସମସ୍ୟା ଦେଖାଯାଏ । ଏଥିପାଇଁ ଆପଣ ଚିକେନ, ମାଛ, ପାଳଙ୍ଗ, ଡାଲି, ବିନ୍ସ ଓ ଫଟିଫାଏଡ ଶସ୍ୟ ଖାଇପାରିବେ ।
ଜିଙ୍କ୍ ଯୁକ୍ତ ଖାଦ୍ୟ:କେଶ ବୃଦ୍ଧି ଓ ସୁସ୍ଥ କେଶ ପାଇଁ ଜିଙ୍କ ବହୁମାତ୍ରାରେ ସହାୟକ ହୁଏ । ଶରୀରରେ ଜିଙ୍କ ଅଭାବ ଦୂର କରିବା ପାଇଁ ଆପଣ ବାଦାମ, କଖାରୁ, ସୂର୍ଯ୍ୟମୁଖୀ ମଞ୍ଜି, ଶସ୍ୟ, ଦୁଗ୍ଧଜାତ ସାମଗ୍ରୀ ଓ ମାଂସ ଖାଆନ୍ତୁ ।
ନିଆସିନ୍ (Vitamin B3): ଏହି ଭିଟାମିନ ତ୍ବଚାରେ ରକ୍ତ ସଞ୍ଚାଳନରେ ଉନ୍ନତି ଆଣିବାରେ ସାହାଯ୍ୟ କରେ ଏବଂ କେଶ ବୃଦ୍ଧିରେ ସହାୟକ ହୁଏ । ଚିକେନ, ସାଲମନ, ଆଭୋକାଡୋ ଓ ଶସ୍ୟରେ ପ୍ରଚୁର ମାତ୍ରାରେ ନିଆସିନ୍ ଥାଏ ।
ଓମେଗା-3 ଫ୍ୟାଟି ଏସିଡ୍: ଏହା କେଶକୁ ପୋଷଣ ଦେବାରେ ଓ ସୁସ୍ଥ କେଶ ବୃଦ୍ଧି କରିବାରେ ସାହାଯ୍ୟ କରେ । ସାଲମନ ଭଳି ଫ୍ୟାଟି ଫିସ୍, ଚିଆ ସିଡ, ୱାଲନଟ୍ସ ଓ ସବୁଜ ପତ୍ର ଯୁକ୍ତ ପରିବାରେ ଓମେଗା-3 ଫ୍ୟାଟି ଏସିଡ ରହିଥାଏ ।
ଭିଟାମିନ ଡି:ନୂଆ କେଶ ସୃଷ୍ଟି ଏବଂ କେଶକୁ ସୁସ୍ଥ ରଖିବାରେ ଭିଟାମିନ ଡି ସାହାଯ୍ଯ କରେ । ଏଥିପାଇଁ ଆପଣ ଫ୍ୟାଟି ଫିସ୍ ସମେତ ଦୁଗ୍ଧଜାତ ପଦାର୍ଥ, ଅଣ୍ଡା ଓ ଛତୁ ଖାଇପାରିବେ ।
ଭିଟାମିନ ଏ: ଭିଟାମିନ-ଏ ସେବମ ପ୍ରଡକ୍ସନରେ ସାହାଯ୍ୟ କରେ । ଯାହାକି ଏକ ତେଲିଆ ପଦାର୍ଥ, ଏହା ମୁଣ୍ଡର ତ୍ବଚାକୁ ମଇଶ୍ଚରାଇଜ ରଖିଥାଏ । ଗାଜର, କନ୍ଦମୂଳ, ପାଳଙ୍ଗ, ଓ ବଟରନଟ ସ୍କ୍ବାସରେ ଏହି ଭିଟାମିନ ମିଳିଥାଏ ।