ଓଡିଶା

odisha

ETV Bharat / health

କମ୍ ପରିସ୍ରା ହେଉଛି କି ? ପ୍ରୋଷ୍ଟେଟ କ୍ୟାନ୍ସର-ଡାଇବେଟିସ୍‌ ଭଳି ରୋଗର ହୋଇପାରେ ଲକ୍ଷଣ - Less Urination - LESS URINATION

Less Urination: ପରିସ୍ରା କମ୍ ହେଉଛି କି ? ପରିସ୍ରା ସମୟରେ ପୋଡାଜଳା ଅନୁଭବ କରୁଛନ୍ତି କି ? ଏହା ଜମାରୁ ସ୍ବାଭାବିକ ହୋଇନପାରେ । ଏମିତି ପରିସ୍ରା ସମ୍ବନ୍ଧୀୟ ସମସ୍ୟା ଡାଇବେଟିସ୍ ଓ ପ୍ରୋଷ୍ଟେଟ କ୍ୟାନ୍ସର ଭଳି ରୋଗର ସଙ୍କେତ ହୋଇପାରେ । ପଢନ୍ତୁ ପୁରା ଖବର

କମ୍ ପରିସ୍ରା ହେଉଛି କି ? ପ୍ରୋଷ୍ଟେଟ କ୍ୟାନ୍ସର-ଡାଇବେଟିସ୍‌ ଭଳି ରୋଗର ହୋଇପାରେ ଲକ୍ଷଣ
କମ୍ ପରିସ୍ରା ହେଉଛି କି ? ପ୍ରୋଷ୍ଟେଟ କ୍ୟାନ୍ସର-ଡାଇବେଟିସ୍‌ ଭଳି ରୋଗର ହୋଇପାରେ ଲକ୍ଷଣ (IANS)

By ETV Bharat Health Team

Published : Oct 2, 2024, 1:09 PM IST

Updated : Oct 2, 2024, 4:14 PM IST

Less Urination Problem: ଶରୀରରୁ ବିଷାକ୍ତ ପଦାର୍ଥ ମୂତ୍ର ବା ପରିସ୍ରା ଦ୍ବାରା ବାହାରକୁ ବାହାରିଥାଏ । ମଳ, ମୂତ୍ର ତ୍ୟାଗ ଶରୀରର ଏକ ପ୍ରାକୃତିକ ପ୍ରକ୍ରିୟା । ଏହି ପ୍ରକ୍ରିୟା ଠିକ୍ ରହିଲେ ଜଣେ ବ୍ୟକ୍ତି ସୁସ୍ଥ ରହିଥାଏ । ଯଦି କମ୍ ପରିସ୍ରା ହେଉଛି ଓ ଅନେକ ଦିନ ଯାଏଁ ଏପରି ଘଟୁଛି, ତାହେଲେ ଜମାରୁ ହାଲୁକାରେ ନେବା ଅନୁଚିତ୍ । କାରଣ ଅନେକ ସମୟରେ ଏହା କେତେକ ଗମ୍ଭୀର ରୋଗ କିମ୍ବା ସଂକ୍ରମଣର ଲକ୍ଷଣ ହୋଇପାରେ । ଏହି ଲକ୍ଷଣ ଦେଖାଗଲେ ଆଦୌ ଅବହେଳା ନ କରି ଯଥାଶୀଘ୍ର ଡାକ୍ତରଙ୍କ ପରାମର୍ଶ ନେଇ ନିଜର ସ୍ବାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା କରାଇବା ଜରୁରୀ ।

ନଭି ମୁମ୍ବାଇର ୟୁରୋଲୋଜିଷ୍ଟ ଡଃ ସାକେତ ନବାନୀ କହିଛନ୍ତି ଯେ, ସାଧାରଣତଃ ବୟସ ବଢିଲେ ପୁରୁଷଙ୍କ ମଧ୍ୟରେ ପରିସ୍ରା ସମ୍ବନ୍ଧୀୟ ସମସ୍ୟା ଅଧିକ ଦେଖିବାକୁ ମିଳେ । ହେଲେ ଛୋଟ ପିଲା, ଯୁବକ ଓ ମଧ୍ୟ ବୟସ୍କ ଲୋକଙ୍କଠାରେ ଏହି ସମସ୍ୟା ଦେଖାଯିବା ପଛରେ ଭିନ୍ନ ଭିନ୍ନ କାରଣ ଥାଇପାରେ । ଅନେକ ଲୋକଙ୍କୁ ଲାଗେ, UTI କିମ୍ବା ପ୍ରୋଷ୍ଟେଟ ସହ ଜଡିତ ସମସ୍ୟା ଥିଲେ ପରିସ୍ରାରେ ସମସ୍ୟା ହୋଇଥାଏ । ହେଲେ ଏହା ବ୍ୟତୀତ ଆଉ କିଛି ରୋଗ ହେଲେ ମଧ୍ୟ ପରିସ୍ରା କମ୍ ଲାଗିଥାଏ । ଯେମିତିକି-

ମୂତ୍ରଦ୍ବାର ସଂକ୍ରମଣ: ସାଧାରଣତଃ ମୂତ୍ରଦ୍ବାର ସଂକ୍ରମଣ ଯୋଗୁଁ ପରିସ୍ରା କମ୍ ଲାଗିବା କିମ୍ବା ପରିସ୍ରା ଅଟକିବା ଭଳି ଅନୁଭବ ହୋଇପାରେ । ଯେତେବେଳେ ମୂତ୍ର ପଥରେ ବ୍ୟାକ୍ଟେରିଆ ପ୍ରବେଶ କରେ, ଏହା ସଂକ୍ରମଣ ବଢାଏ । ଏହି କାରଣରୁ ପରିସ୍ରା ସମୟରେ ଜଳାପୋଡା ହେବା ଓ ଠିକ୍ ଭାବେ ପରିସ୍ରା ହୋଇନଥାଏ । ୟୁରିନାରୀ ଟ୍ରାକ୍ଟ ଇନଫେକ୍ସନ ବା UTI (Urinary tract infection) ଚିକିତ୍ସା ସମୟ ସମୟରେ ନ ହେଲେ ଏହା ଜଟିଳ ହୋଇପାରେ ।

ପ୍ରୋଷ୍ଟେଟ ଗ୍ରନ୍ଥି ସମସ୍ୟା:ପୁରୁଷଙ୍କ ମଧ୍ୟରେ ପ୍ରୋଷ୍ଟେଟ ଗ୍ରନ୍ଥି ବଢିବା କିମ୍ବା ଫୁଲିବା ଯୋଗୁଁ ମଧ୍ୟ ପରିସ୍ରାରେ ସମସ୍ୟା ହୋଇପାରେ । ପ୍ରୋଷ୍ଟେଟ ଗ୍ରନ୍ଥି ମୂତ୍ରଦ୍ବାର ପାଖରେ ରହିଥାଏ ଏବଂ ଏହା ଫୁଲିଲେ ମୂତ୍ରଦ୍ବାରରେ ଚାପ ପଡିଥାଏ । ଯେଉଁ କାରଣରୁ ପରିସ୍ରାରେ ବାଧା ସୃଷ୍ଟି ହୋଇଥାଏ । ଏହାକୁ ବିନାଇନ ପ୍ରୋଷ୍ଟେଟିକ ହାଇପରପ୍ଲାସିୟା (BPH) କୁହାଯାଏ ।

କିଡନୀ ଷ୍ଟୋନ:କିଡନୀରେ ଷ୍ଟୋନ ହେଲେ ମଧ୍ୟ ପରିସ୍ରା ପ୍ରଭାବିତ ହୋଇଥାଏ । କିଡନୀ ଷ୍ଟୋନ ମୂତ୍ରଦ୍ବାର ଅବରୋଧ କରିପାରେ । ଫଳରେ ମୂତ୍ର ପ୍ରବାହ ମନ୍ଥର ହୋଇଯାଏ କିମ୍ବା ବନ୍ଦ ହୋଇଯାଏ । ଏଥିସହ ପରିସ୍ରା ସମୟରେ ଯନ୍ତ୍ରଣା ଅନୁଭବ ହୋଇଥାଏ । ରକ୍ତ ବି ଆସିପାରେ ।

ତନ୍ତ୍ରିକା ତନ୍ତ୍ରରେ ସମସ୍ୟା: ମୂତ୍ରାଶୟ ଓ ମୂତ୍ରଦ୍ବାରକୁ ନିୟନ୍ତ୍ରିତ କରୁଥିବା ତନ୍ତ୍ରିକା ତନ୍ତ୍ରରେ କୌଣସି ସମସ୍ୟା ହେଲେ ପରିସ୍ରା ନ ଲାଗିବା କିମ୍ବା ରହି ରହି ପରିସ୍ରା ହେବା ଭଳି ସମସ୍ୟା ଦେଖାଯାଏ । ଏହାକୁ ନ୍ୟୁରୋଜେନିକ ବ୍ଲାଡର କୁହନ୍ତି ।

ଶରୀରରେ ଜଳ ଅଭାବ:ଯେତେବେଳେ ଶରୀରରେ ଜଳ ଅଭାବ ହୁଏ, ମୂତ୍ର ଅଧିକ ଗାଢ ହୋଇଯାଏ ଓ ପରିସ୍ରା କରିବା ସମୟରେ ପୋଡାଜଳା ହୋଇଥାଏ । ଠିକ୍ ଭାବେ ମୂତ୍ର ନିଷ୍କାସନ ହୋଇନଥାଏ । ଶରୀରରେ ଜଳୀୟ ଅଂଶ ଅଭାବରେ କିଡନୀ ଉପରେ ପ୍ରଭାବ ପଡିଥାଏ । ଏଥିରେ ମୂତ୍ର ତିଆରି ପ୍ରକ୍ରିୟା ମନ୍ଥର ହୁଏ ।

କମ୍ ପରିସ୍ରା ହୋଇପାରେ ଏହି ରୋଗର ଲକ୍ଷଣ:

ଡାକ୍ତର କହିଛନ୍ତି ଯେ, ପରିସ୍ରା ନ ଲାଗିବା କିମ୍ବା କମ୍ ହେବା କିଛି ରୋଗର ସଙ୍କେତ ହୋଇପାରେ । ଯେମିତିକି-

ଡାଇବେଟିସ୍: ଡାଇବେଟିସ୍ ପୀଡିତ ଲୋକଙ୍କ ମୂତ୍ରଦ୍ବାରରେ ସଂକ୍ରମଣ ହେବାର ସମ୍ଭାବନା ଅଧିକ ଥାଏ । ଏହି କାରଣରୁ ପରିସ୍ରା ବନ୍ଦ ହେବା ଭଳି ସମସ୍ୟା ଦେଖାଯାଇପାରେ । ଅଧିକ ସୁଗାର ସ୍ତର କିଡନୀ ଉପରେ ବି ପ୍ରଭାବ ପକାଇପାରେ । ଫଳରେ ପରିସ୍ରା ଅନିୟମିତ ହୋଇଥାଏ ।

ପ୍ରୋଷ୍ଟେଟ କ୍ୟାନ୍ସର: ପୁରୁଷଙ୍କ ମଧ୍ୟରେ ପରିସ୍ରା କମ୍ ହେବା ପ୍ରୋଷ୍ଟେଟ କ୍ୟାନ୍ସରର ଲକ୍ଷଣ ହୋଇପାରେ । ପ୍ରୋଷ୍ଟେଟ ଗ୍ରନ୍ଥିରେ ଅସାମାନ୍ୟ ବୃଦ୍ଧି ମୂତ୍ରଦ୍ବାରକୁ ସଙ୍କୁଚିତ କରିପାରେ । ଫଳରେ ପରିସ୍ରାରେ ସମସ୍ୟା ହୋଇଥାଏ ।

କିଡନୀ ରୋଗ: ଠିକ୍ ଭାବେ କିଡନୀ କାମ ନକଲେ ମଧ୍ୟ ପରିସ୍ରାରେ ସମସ୍ୟା ହୋଇଥାଏ । ଯେତେବେଳେ କିଡନୀ ସଠିକ୍ ରୂପେ ମୂତ୍ରକୁ ଫିଲ୍‌ଟର କରିପାରେ ନାହିଁ ଏହାର ସିଧାସଳଖ ପ୍ରଭାବ ମୂତ୍ର ପ୍ରବାହ ଉପରେ ପଡେ ।

ଠିକ୍ ସମୟରେ ଯାଞ୍ଚ ଓ ଚିକିତ୍ସା ଜରୁରୀ:

ଡଃ ସାକେତ ନବାନୀ କହିଛନ୍ତି, ମହିଳା ହୁଅନ୍ତୁ କିମ୍ବା ପୁରୁଷ ଅଧିକାଂଶ ଲୋକ ପରିସ୍ରା କମ୍ ହେବା ସମସ୍ୟାକୁ ଆରମ୍ଭରୁ ହାଲୁକାରେ ନେଇଥାନ୍ତି ଓ ଡାକ୍ତରଙ୍କ ପାଖକୁ ଯିବାରେ ବିଳମ୍ବ କରିଥାନ୍ତି । ଆଉ କିଛି ଲୋକେ ଶରୀରରେ ଜଳ ଅଭାବରୁ ଏହି ସମସ୍ୟା ହେଉଥିବା ଭାବିଥାନ୍ତି ଏବଂ ଡାକ୍ତରଙ୍କ ପରାମର୍ଶ ବିନା ପାଖ ମେଡିସିନ ଦୋକାନରୁ ମେଡିସିନ ଆଣି ସେବନ କରନ୍ତି । ଯଦି କୌଣସି ରୋଗ ପ୍ରଭାବରେ ପରିସ୍ରା ସମସ୍ୟା ହେଉଥାଏ ତାହେଲେ ଚିକିତ୍ସାରେ ବିଳମ୍ବ କରିବା ଦ୍ବାରା ଏହା ଆହୁରି ଗମ୍ଭୀର ହୋଇପାରେ । ତେଣୁ କମ୍ ପରିସ୍ରା ହେବା, ବନ୍ଦ ହୋଇଯିବା କିମ୍ବା ରହି ରହି ପରିସ୍ରା ହେବା, ପରିସ୍ରା ସମୟରେ ଜଳପୋଡା ହେବା, ଯନ୍ତ୍ରଣା ଲାଗିବା ଭଳି ସମସ୍ୟା ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଓ ଚିକିତ୍ସା କରିବା ଜରୁରୀ ।

ଏହା ମଧ୍ୟ ପଢନ୍ତୁ:ହାତ ଗୋଡ଼ ଥରିବା କେବଳ ଦୁର୍ବଳତା ନୁହେଁ, ହୋଇପାରେ ଏହି ରୋଗ ଲକ୍ଷଣ - Parkinsons disease

ଏହା ମଧ୍ୟ ପଢନ୍ତୁ:ଶୋଇବା ବେଳେ ଅଧିକ କେଶ ଝଡୁଛି ? ଆପଣାନ୍ତୁ ଏହି 7 ଟିପ୍ସ, ଦୂର ହୋଇଯିବ ସମସ୍ୟା - Tips to prevent hair loss

ଏହା ମଧ୍ୟ ପଢନ୍ତୁ:ସୁଖୀ ଦାମ୍ପତ୍ୟ ଜୀବନରେ ବିଷ ଭରିଦିଏ ଏହି 8ଟି ଜିନିଷ - Mistakes that ruin a marriage

Disclaimer-ଏଠାରେ ଦିଆଯାଇଥିବା ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।

Last Updated : Oct 2, 2024, 4:14 PM IST

ABOUT THE AUTHOR

...view details