ହାଇଦ୍ରାବାଦ: ଆଜିର ବ୍ୟସ୍ତବହୁଳ ଜୀବନରେ ସମସ୍ତେ ନିଜ ନିଜର କ୍ୟାରିୟର ପଛରେ ଧାଇଁବାରେ ବ୍ୟସ୍ତ । ଏହି ବ୍ୟସ୍ତବହୁଳତା ଓ ଧାଁ ଦୌଡ କାରଣରୁ କେତେକ ବ୍ୟକ୍ତି ଡିପ୍ରେସନ ବା ମାନସିକ ଅବସାଦର ଶିକାର ହୋଇଥାନ୍ତି । ଡିପ୍ରେସନ ଦୂର କରିବାର ଅନେକ ଉପାୟ ରହିଛି, ହେଲେ ଆପଣ ଖାଉଥିବା ଖାଦ୍ୟ ମଧ୍ୟ ଏ କ୍ଷେତ୍ରରେ ବଳିଷ୍ଠ ଭୂମିକା ଗ୍ରହଣ କରିଥାଏ । ଆଣ୍ଟିଅକ୍ସିଡାଣ୍ଟ, ପ୍ରୋଟିନ, ଓମେଗା-3 ଫ୍ୟାଟି ଏସିଡ, ଜିଙ୍କ ଓ ବି ଭିଟାମିନ ଯୁକ୍ତ ଖାଦ୍ୟ ସେବନ ଡିପ୍ରେସନ ବିରୋଧରେ ଲଢେଇ କରିବାରେ ସହାୟକ ହୋଇଥାଏ । ସବୁଜ ପନିପରିବା, ଟମାଟୋ, ଗାଜର, ପାଳଙ୍ଗ ଶାଗ, ଷ୍ଟ୍ରବେରୀ, ବ୍ଲୁବେରୀ ଭଳି ବିଭିନ୍ନ କୋଳି ପ୍ରଭୃତି ଡିପ୍ରେସନ ଦୂର କରିବା କ୍ଷେତ୍ରରେ ଲାଭଦାୟକ ।
ମାନସିକ ଅବସାଦ ବା ଡିପ୍ରେସନ ଦୂର ପାଇଁ କ'ଣ ଖାଇବେ:
ପତ୍ରଯୁକ୍ତ ସବୁଜ ପରିବା: ଅଧ୍ୟୟନରୁ ଜଣାପଡେ ଯେ, ଡିପ୍ରେସନ ପୀଡିତ ଲୋକଙ୍କଠାରେ ମାଗ୍ନେସିୟମ ସ୍ତର କମ୍ ହେବାର ସମ୍ଭାବନା ଅଧିକ ଥାଏ । ପାଳଙ୍ଗ ଭଳି ସବୁଜ ପତ୍ରଯୁକ୍ତ ପରିବା ଫୋଲେଟ ଓ ଭିଟାମିନ-ବିରେ ଭରପୂର ଥିବାରୁ ଅବସାଦ କମ୍ କରିବାରେ ସହାୟକ ହୋଇପାରେ ।
କୋଳି: ଷ୍ଟ୍ରବେରୀ, ରସବେରି, ବ୍ଲୁବେରୀ ଓ ଜାମୁକୋଳି ଇତ୍ୟାଦି କୋଳି ଆଣ୍ଟି-ଅକ୍ସିଡାଣ୍ଟରେ ଭରପୂର । ଏହା ଶରୀରର ସେଲ୍ ନଷ୍ଟ ହେବାରୁ ସୁରକ୍ଷା ଦିଏ । ଏଥିସହ ମାନସିକ ଅବସାଦ ଦୂର କରିବାରେ ମଧ୍ୟ ସହାୟକ ହୋଇଥାଏ ବୋଲି ଏକ ଅଧ୍ୟୟନରେ କୁହାଯାଇଛି ।
ଗାଜର: ଏଥିରେ କ୍ୟାରୋଟନଏଡ୍ସ ଭଳି ଏକ ପ୍ରକାର ଆଣ୍ଟିଅକ୍ସିଡାଣ୍ଟ ରହିଛି, ଯାହା ଶରୀରରେ ଆଣ୍ଟି-ଇନଫ୍ଲାମେଟୋରୀ ପ୍ରଭାବ ପକାଏ । କିଛି ଅଧ୍ୟୟନ ଅନୁସାରେ, ଅଧିକ କ୍ୟାରୋଟେନଏଡ୍ସ ସେବନ କରିବା ଫଳରେ ମାନସିକ ଅବସାଦ ଓ ଚିନ୍ତାର ଲକ୍ଷଣ କମ୍ ହୋଇଥାଏ ।
ଆଭୋକାଡୋ:ଆଭୋକାଡୋରେ ପ୍ରଚୁର ଫୋଲେଟ, ପୋଟାସିୟମ, ଟ୍ରିପ୍ଟୋଫନ ଓ ଭିଟାମିନ-କେ ରହିଛି । ଏଥିରେ ମସ୍ତିଷ୍କ ପାଇଁ ସୁସ୍ଥ ମୋନୋଅନସାଚୁରେଟେଡ ଫ୍ୟାଟି ଏସିଡ ବି ରହିଥାଏ, ଯାହା ଡିପ୍ରେସନ ବିରୋଧରେ ଲଢେଇ କରିବାରେ ସହାୟକ ହୋଇପାରେ ।
ଛତୁ:ଭିଟାମିନ ବି ଏବଂ ସେଲେନିୟମର ଏକ ଭଲ ଉତ୍ସ ହେଲା ଛତୁ । କିଛି ରିସର୍ଚ୍ଚରେ କୁହାଯାଇଛି ଯେ, ଏସବୁ ପୋଷକ ତତ୍ତ୍ବର ଅଭାବ ହେଲେ ଡିପ୍ରେସନ ଲକ୍ଷଣ ଦେଖାଯାଏ ।
ଟମାଟୋ: ଟମାଟୋରେ ଭରପୂର ମାତ୍ରାରେ ଆଣ୍ଟିଅକ୍ସିଡେଣ୍ଟ ଥାଏ । ଏଥିସହ ଆଇରନ, ଭିଟାମିନ B6, ଟ୍ରିଫ୍ଟୋଫନ ମଧ୍ୟ ରହିଛି, ଯାହା ଆପଣଙ୍କ ମସ୍ତିଷ୍କ ପାଇଁ ମୁଡ-ରେଗୁଲେଟିଂ କେମିକାଲ ସୃଷ୍ଟି କରିବା ଲାଗି ଜରୁରୀ ପୋଷକ ତତ୍ତ୍ବ ଅଟେ । ସପ୍ତାହକୁ ଦୁଇରୁ 6 ଥର ଟମାଟୋ ଖାଉଥିବା ବୟସ୍କ ବ୍ୟକ୍ତିଙ୍କଠାରେ ସପ୍ତାହରେ ଥରେ ଖାଉଥିବା ବ୍ୟକ୍ତିଙ୍କ ତୁଳନାରେ ସାମାନ୍ୟ ଓ ଗୁରୁତର ଡିପ୍ରେସନ ଲକ୍ଷଣ ଦେଖାଯିବାର ଆଶଙ୍କା 46 ପ୍ରତିଶତ କମ୍ ।