ହାଇଦ୍ରାବାଦ: ଆଜିକାଲି ପିଲାମାନେ ଅଧିକ ବାହାର ଖାଦ୍ୟ ପସନ୍ଦ କରୁଛନ୍ତି । ଘରେ ଭାତ, ଡାଲି, ରୁଟି, ତରକାରୀ ଖାଇବା ବଦଳରେ ପିଜ୍ଜା, ବର୍ଗର, ରୋଲ୍ସ, ଚାଓମିନ ଖାଉଛନ୍ତି । ଏମିତିରେ ପିଲାଙ୍କୁ ସ୍ବାସ୍ଥ୍ୟକର ଏବଂ ନିୟମିତ ସମୟରେ ଖାଦ୍ୟ ଖୁଆଇବା ବାପାମାଆଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହୋଇଛି । ସେପଟେ ଏସବୁ ଜଙ୍କଫୁଡ, ଫାଷ୍ଟଫୁଡ ଖାଇବା ଯୋଗୁଁ ପିଲାମାନଙ୍କ ମଧ୍ୟରେ କମ୍ ବୟସରୁ ମୋଟାପା ଏବଂ ଏହାସହିତ ଜଡିତ ଅନ୍ୟାନ୍ୟ ସମସ୍ୟା ବୃଦ୍ଧି ପାଉଛି । ଶରୀରରେ ଇମ୍ୟୁନିଟି ମଧ୍ୟ ପ୍ରଭାବିତ ହେଉଛି । ତେଣୁ ଆଜିର ସମୟରେ ଅଭିଭାବକ ଓ ଶିକ୍ଷକମାନେ ପିଲାଙ୍କୁ ପୌଷ୍ଟିକ ଖାଦ୍ୟର ଗୁରୁତ୍ବ ବୁଝାଇବା ଏବଂ ଠିକ୍ ସମୟରେ ଖାଇବାର ଅଭ୍ୟାସ ବିକଶିତ କରିବା ଦିଗରେ ଯତ୍ନବାନ ହେବା ଆବଶ୍ୟକ ।
ପିଲାବେଳୁ ଅଭ୍ୟାସ:
ଲକ୍ଷ୍ନୌର ଶିଶୁରୋଗ ବିଶେଷଜ୍ଞ ଡଃ ସୃଷ୍ଟି ଚତୁର୍ବେଦୀ କହିଛନ୍ତି, ଆଜିର ସମୟରେ କେବଳ ବଡ ସହର ନୁହେଁ, ଛୋଟ ଛୋଟ ସହରରେ ମଧ୍ୟ ପିଲାଙ୍କ ମଧ୍ୟରେ ଓବେସିଟି ବା ମୋଟାପଣ ଓ ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମସ୍ୟା ଅଧିକ ଦେଖିବାକୁ ମିଳୁଛି । ପିଲାମାନେ ଶୀଘ୍ର ରୋଗରେ ପଡିବା, ଶାରିରୀକ ଦୁର୍ବଳତା ଓ ଶୀଘ୍ର ଥକି ପଡିବା ଭଳି ସାଧାରଣ ସମସ୍ୟା ମଧ୍ୟ ଖୁବ୍ ବୃଦ୍ଧି ପାଉଛି । ଯାହାକି ପ୍ରତ୍ୟକ୍ଷ ଓ ପରୋକ୍ଷରେ ଅସ୍ବାସ୍ଥ୍ୟକର ଖାଦ୍ୟ ଏବଂ ଖାଦ୍ୟ ସହ ଜଡିତ ଖରାପ ଅଭ୍ୟାସ ଯୋଗୁଁ ହେଉଛି । ଯଦି ପିଲାଙ୍କୁ ଠିକ୍ ସମୟରେ ଏବଂ ସ୍ବାସ୍ଥ୍ୟକର ଖାଦ୍ୟ ଦିଆଯାଏ ତାହେଲେ ଏହି ସ୍ବାସ୍ଥ୍ୟ ସମସ୍ୟା ବହୁ ପରିମାଣରେ ନିୟନ୍ତ୍ରିତ ହୋଇପାରିବ ।
କାରଣ:
ପିଲାଙ୍କ ଖାଇବା ଅଭ୍ୟାସ ସେମାନଙ୍କ ପ୍ରାରମ୍ଭିକ ବର୍ଷରୁ ସୃଷ୍ଟି ହୋଇଥାଏ । ଯଦି ଏହି ସମୟରେ ଜଙ୍କଫୁଡ ଓ ଖାଦ୍ୟପେୟ ଅନିୟମିତା ଅଭ୍ୟାସ ପଡିଯାଏ ତାହେଲେ ଆଗକୁ ସେମାନଙ୍କ ଏହି ଅଭ୍ୟାସ ଛଡାଇବା କଷ୍ଟକର ହୋଇପଡେ । ଭବିଷ୍ୟତରେ ଏହି ଅଭ୍ୟାସ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ପ୍ରଭାବିତ କରିଥାଏ ।
ପିଲାମାନେ ଜଙ୍କଫୁଡ ଖାଇବା ନେଇ ବିଭିନ୍ନ କାରଣ ହୋଇପାରେ, ଯେପରି-
ଟିଭି ବିଜ୍ଞାପନ ପ୍ରଭାବ:ଟିଭିରେ ଫାଷ୍ଟଫୁଡ ଓ ପ୍ରୋସେସ୍ଡ ଫୁଡର ଲୋଭନୀୟ ବିଜ୍ଞାପନ ପିଲାଙ୍କୁ ଆକର୍ଷିତ କରେ ।
ବ୍ୟସ୍ତ ଜୀବନଶୈଳୀ: ବାପାମାଆ ଅଧିକ ବ୍ୟସ୍ତ ରହୁଥିଲେ ଓ ନିଜ ପିଲାର ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ନ ଦେଇପାରିଲେ ପିଲାମାନେ ଘର ଖାଦ୍ୟ କମ୍ ଓ ବାହାର ଖାଦ୍ୟ ଅଧିକ ଖାଇଥାନ୍ତି । ଫଳରେ ବାହାର ଖାଦ୍ୟ ଖାଇବାର ଅଭ୍ୟାସ ହୋଇଯାଏ ।
ସ୍ବାଦ ଓ ସୁବିଧା: ଜଙ୍କଫୁଡ୍ ସ୍ବାଦିଷ୍ଟ ଓ ସହଜରେ ଉପଲବ୍ଧ ହୋଇଥାଏ । ତେଣୁ ପିଲାମାନେ ଏହାକୁ ଖାଇବାକୁ ପସନ୍ଦ କରନ୍ତି ।
ଖାଦ୍ୟପେୟ ଅନିୟମିତତା:ପିଲାଙ୍କୁ ଯଦି ନିର୍ଦ୍ଧିଷ୍ଟ ସମୟରେ ଖାଇବାର ଅଭ୍ୟାସ ନ କରାଯାଏ ତେବେ ସେ ସ୍ନାକ୍ସ, ଫାଷ୍ଟଫୁଡ ଖାଇବାକୁ ଇଚ୍ଛା କରନ୍ତି ।
ପିଲାଙ୍କୁ ତଟକା ଫଳ, ପନିପରିବା, ଡାଲି, ଶସ୍ୟ ଜାତୀୟ ଖାଦ୍ୟ ଦେବା ଉଚିତ୍ । ବାପାମାଆ ଓ ପରିବାରର ଅନ୍ୟ ସଦସ୍ୟ ପିଲାଙ୍କ ସହ ସମୟ ବିତାନ୍ତୁ ଏବଂ ସ୍ବାସ୍ଥ୍ୟକର ଖାଦ୍ୟ ଖାଇବାର ଲାଭ ବୁଝାନ୍ତୁ । ଘରର ବଡ ଲୋକମାନଙ୍କ ମଧ୍ୟ ଭଲ ଅଭ୍ୟାସ ରହିବା ଦରକାର । କାରଣ ପିଲାମାନେ ବଡ ଠାରୁ ଶିଖିଥାନ୍ତି । ଏଥିସହ ନିମ୍ନଲିଖିତ ବିଷୟ ଉପରେ ଧ୍ୟାନ ଦେବେ ।
- ନିୟମିତ ସମୟରେ ଖାଇବା ଅଭ୍ୟାସ କରାନ୍ତୁ । ଖାଇବାର ଗୋଟିଏ ସମୟ ସ୍ଥିର କରନ୍ତୁ ଏବଂ ସବୁଦିନ ସେହି ସମୟରେ ପିଲାଙ୍କୁ ଖୁଆନ୍ତୁ ।
- ପିଲାଙ୍କ ପାଇଁ ନିୟମିତ ନୂଆ ନୂଆ ଖାଦ୍ୟ ରାନ୍ଧିବାକୁ ଚେଷ୍ଟା କରନ୍ତୁ । ପନିପରିବା, ଫଳମୂଳ ଭଳି ବିଭିନ୍ନ ପୌଷ୍ଟିକ ଖାଦ୍ୟକୁ ପ୍ଲେଟରେ ଭଲ ଭାବେ ସଜାଇ ଦିଅନ୍ତୁ । ଏଥିରେ ପିଲାମାନେ ଖୁସି ହେବା ସହ ଖାଇବାକୁ ଆଗ୍ରହୀ ହୁଅନ୍ତି ।
- ସ୍ନାକ୍ସ ଭାବେ ଫଳମୂଳ, ଡ୍ରାଏ ଫ୍ରୁଟ୍ସ ଓ ବାଦାମ ଲଡୁ ଖାଇବାକୁ ଦିଅନ୍ତୁ ।
- ଖାଦ୍ୟ ଖାଇବା ସମୟରେ ପିଲାଙ୍କୁ ଟିଭି ଓ ମୋବାଇଲ ଦେଖିବାରୁ ରୋକନ୍ତୁ ।
- ପିଲାମାନେ ପରିବାର ସହ ମିଳିମିଶି ଖାଇବା ଭଲ । ଏହାଦ୍ବାରା ସେମାନେ ଭଲ ଅଭ୍ୟାସ ଶିଖିଥାନ୍ତି ।
- ପିଲାଙ୍କ ପସନ୍ଦ ଓ ନାପସନ୍ଦ ଧ୍ୟାନ ରଖି ସୁସ୍ଥ ବିକଳ୍ପ ତିଆରି କରନ୍ତୁ ।
- ପିଲାଙ୍କ ସ୍କୁଲ ଟିଫିନ ଏପରି ପ୍ରସ୍ତୁତ କରନ୍ତୁ ଯାହା ସ୍ବାସ୍ଥ୍ୟକର ଓ ସ୍ବାଦିଷ୍ଟ ହୋଇଥିବ ।
ଏହା ମଧ୍ୟ ପଢନ୍ତୁ: ଘରେ ଘରେ ଥଣ୍ଡା-ଜ୍ବର; କେମିତି ସୁସ୍ଥ ରହିବେ, ଉପାୟ ବତାଇଲେ ଡାକ୍ତର
ଏହା ମଧ୍ୟ ପଢନ୍ତୁ: ମୁଣ୍ଡ ଉପରେ ବୋର୍ଡ ପରୀକ୍ଷା, ଚାପମୁକ୍ତ ରହିବାକୁ ଆପଣାନ୍ତୁ ଏହି ଟିପ୍ସ