Tips for happy married life: ସମ୍ପର୍କ ଗଢିବା ପାଇଁ ବର୍ଷ ବର୍ଷ ଲାଗିଯାଏ, ହେଲେ ଭାଙ୍ଗିବା ପାଇଁ ଗୋଟିଏ କ୍ଷଣ ଲାଗେନା । ଖାସ୍ କରି ଯେତେବେଳେ ସମ୍ପର୍କ ସ୍ବାମୀ-ସ୍ତ୍ରୀର ହୋଇଥିବ । ସୁଖମୟ ଦାମ୍ପତ୍ୟ ଜୀବନ ଲାଗି ପ୍ରେମ ଓ ପରସ୍ପର ଉପରେ ବିଶ୍ବାସ ରହିବା ଅତି ଜରୁରୀ । ସ୍ବାମୀ-ସ୍ତ୍ରୀ ସମ୍ପର୍କରେ ଛୋଟ ଛୋଟ ଝଗଡା, ମନୋମାଳିନ୍ୟ ତ ଲାଗି ରହିଥାଏ । ଏହାଦ୍ବାରା ସମ୍ପର୍କ ଆହୁରି ବି ମଧୁର ଓ ମଜଭୁତ ହୁଏ । ହେଲେ ବେଳେବେଳେ ଏମିତି ସମୟ ଆସେ, ଯାହା ଧୀରେ ଧୀରେ ସମ୍ପର୍କରେ ତିକ୍ତତା ଭରିଦିଏ ଆଉ ସେମାନେ ଜାଣିପାରନ୍ତି ନାହିଁ କେତେବେଳେ କେମିତି ସମ୍ପର୍କ ତୁଟିଯାଏ । ସ୍ବାମୀ-ସ୍ତ୍ରୀ ହେଉ ଅବା ପ୍ରେମିକ-ପ୍ରେମିକା, ସବୁ ସମ୍ପର୍କ ଭରସା ଓ ବିଶ୍ବାସର ମୂଳଦୁଆ ଉପର ଦଣ୍ଡାୟମାନ । ଥରେ ଏହି ବିଶ୍ବାସ ଟଳମଳ ହେଲେ ସମ୍ପର୍କ ବି ବାଲିଘର ଭଳି ଭାଙ୍ଗିଯାଏ ।
ଆଜି ଆମେ ଏମିତି 8ଟି କାରଣ ବିଷୟରେ କହିବୁ ଯାହା ସୁଖୀ ଦାମ୍ପତ୍ୟ ଜୀବନରେ ବିଷ ଭରିଦିଏ । ପତି-ପତ୍ନୀଙ୍କ ମଧୁର ସମ୍ପର୍କରେ ତିକ୍ତତା ବଢି ଦୁହେଁ ପରସ୍ପରଠାରୁ ଦୂରେଇ ଯାଆନ୍ତି । ଏମିତିକି ବିବାହ ବିଚ୍ଛେଦ ଯାଏଁ କଥା ପହଞ୍ଚେ ।
1. ଝଗଡା ନ ତୁଟିବା
ଅନେକ ସମୟରେ ସ୍ବାମୀ-ସ୍ତ୍ରୀ ମଧ୍ୟରେ କୌଣସି କାରଣକୁ ନେଇ ବାରମ୍ବାର ଝଗଡା ହୋଇଥାଏ । ହେଲେ ବେଳେବେଳେ ସ୍ବାମୀ ହୁଅନ୍ତି କି ସ୍ତ୍ରୀ ଝଗଡା ତୁଟାଇବା ବଦଳରେ ଏହାକୁ ଚାପିବାକୁ ଚେଷ୍ଟା କରିଥାନ୍ତି । ଫଳରେ ଦୁହିଁଙ୍କ ଭିତରେ ଭଲ ବୁଝାମଣା ରହିପାରେନି । ପରବର୍ତ୍ତୀ ସମୟରେ ଏହି ଭୁଲ ଉଭୟଙ୍କ ମଧ୍ୟରେ ଦୂରତାର କାରଣ ହୋଇଯାଏ ।
2. ଭାବନାତ୍ମକ ରୂପେ ଯୋଡି ନହେବା:
ବୈବାହିକ ଅନ୍ତରଙ୍ଗତା ସମ୍ପର୍କକୁ ମଧୁର କରିଥାଏ । ଅନ୍ତରଙ୍ଗତା ଅର୍ଥ କେବଳ ଶାରିରୀକ ସମ୍ବନ୍ଧ ନୁହେଁ, ଭାବନାତ୍ମକ ସମ୍ପର୍କ ମଧ୍ୟ ଖୁବ୍ ଗୁରୁତ୍ବପୂର୍ଣ୍ଣ । କୌଣସି ବି ସମ୍ପର୍କ ନିଭାଇବା ପାଇଁ ଭାବନାତ୍ମକ ରୂପେ ଯୋଡି ହେବା ଅତି ଜରୁରୀ । ହେଲେ ଅନେକ ସମୟରେ ଦେଖାଯାଏ ସ୍ବାମୀ-ସ୍ତ୍ରୀ ମଧ୍ୟରେ ଆଗଭଳି ଇମୋସନାଲ ଆଟାଚମେଣ୍ଟ ରହେ ନାହିଁ । ଦୁହେଁ ଦୁହିଁଙ୍କର ଭାବନା ବୁଝି ପାରନ୍ତିନି କିମ୍ବା ବୁଝିବାକୁ ଚେଷ୍ଟା କରନ୍ତି ନାହିଁ । ଯେଉଁ କାରଣରୁ ସେମାନଙ୍କ ମଧ୍ୟରେ ଏକେଲାପଣ ଭାବନା ସୃଷ୍ଟି ହୋଇଥାଏ । ଯାହାକି ଦୁହିଁଙ୍କ ମଧ୍ୟରେ ଦୂରତା ବଢାଇଥାଏ ।
3. ପରସ୍ପରକୁ ସମ୍ମାନ ନ ଦେବା:
ପ୍ରେମ ଭଳି ସମ୍ପର୍କରେ ପରସ୍ପର ପ୍ରତି ସମ୍ମାନ ରହିବା ମଧ୍ୟ ଅତି ଆବଶ୍ୟକ । କେହି ବି ପରଫେକ୍ଟ ନୁହନ୍ତି । ସମସ୍ତଙ୍କ ମଧ୍ୟରେ କିଛି ନା କିଛି ଅଭାବ ଓ ଖରାପ ଅଭ୍ୟାସ ନିହାତି ରହିଥାଏ । କିନ୍ତୁ ଏହାକୁ ନେଇ ନିଜ ପାର୍ଟନରକୁ ସମାଲୋଚନା କରିବା, ଅପମାନ କରିବା ସମ୍ପର୍କକୁ କ୍ଷତି ପହଞ୍ଚାଇଥାଏ । ତେଣୁ ବେଳେବେଳେ ପରସ୍ପରକୁ ପ୍ରଶଂସା କରିବା ଓ ସମ୍ମାନ ଦେବା ଦ୍ବାରା ସମ୍ପର୍କ ସୁଦୃଢ ହୋଇଥାଏ ।
4. ପରସ୍ପରକୁ ହାଲୁକାରେ ନେବା:
ସମୟ ସହିତ କେବେକେବେ ପତି-ପତ୍ନୀ ପରସ୍ପରକୁ ଅତି ହାଲୁକା (Taken for granted) ଭାବେ ନେବାରେ ଲାଗିଥାନ୍ତି । ପୂର୍ବ ଭଳି ସମ୍ପର୍କରେ ଆଦାର ଯତ୍ନ ରହେନି ଓ ଧୀରେ ଧୀରେ ପ୍ରେମର ଅଭିବ୍ୟକ୍ତି କମିବାରେ ଲାଗେ । ଦୁହିଁଙ୍କୁ ଲାଗେ କି, ସେ ତ ମୋର ଓ ମୋର ହିଁ ରହିବ । ଅଯଥା ପ୍ରେମ ବ୍ୟକ୍ତ କରିବାର ଆବଶ୍ୟକତା ନାହିଁ । ଏହି ଭୁଲ୍ ଭାବନା କାରଣରୁ ସମ୍ପର୍କ କ୍ରମଶଃ ଦୁର୍ବଳ ହେବାରେ ଲାଗେ । ସାମାନ୍ୟ ଝଗଡା କିମ୍ବା ଭୁଲ୍ ବୁଝାମଣାରେ ଭାଙ୍ଗିଯାଏ ।