ଆଖି ଆମ ଶରୀରର ଗୁରୁତ୍ବପୂର୍ଣ୍ଣ ଅଙ୍ଗଗୁଡିକ ମଧ୍ୟରୁ ଅନ୍ୟତମ । ଆଖି ବିନା ଜୀବନ ଅନ୍ଧାର । ଏହା ଆମକୁ ଦୁନିଆ ଦେଖାଏ, ଜୀବନକୁ ରଙ୍ଗୀନ କରେ । ତେଣୁ ଆଜିର ବ୍ୟସ୍ତବହୁଳ ଜୀବନରେ ଆଖିକୁ ସୁସ୍ଥ ରଖିବା ନିତାନ୍ତ ଜରୁରୀ । କିନ୍ତୁ ଆଜିକାଲି ଘଣ୍ଟା ଘଣ୍ଟା ଧରି ଟିଭି, ମୋବାଇଲ, କମ୍ପ୍ୟୁଟର ଦେଖିବା ଏବଂ ଅନ୍ୟାନ୍ୟ ବିଭିନ୍ନ କାରଣରୁ କମ୍ ବୟସରୁ ଦୃଷ୍ଟି ଶକ୍ତି ଦୁର୍ବଳ ହୋଇଯାଉଛି । ଏପରି ସ୍ଥଳେ ଆଖିକୁ ସୁସ୍ଥ ରଖିବା ପାଇଁ କେତେକ ଜରୁରୀ ପୋଷକ ତତ୍ତ୍ବରେ ଭରପୂର ଖାଦ୍ୟ ଉଚିତ୍ । ଭିଟାମିନ ଏ, ଭିଟାମିନ ସି, ଭିଟାମିନ ଇ, ଓମେଗା-3 ଫ୍ୟାଟି ଏସିଡ, ଲୁଟେନ, ଜିଆକ୍ସାନଥିନ, ଆଣ୍ଟିଅକ୍ସିଡାଣ୍ଟ ପ୍ରଭୃତି ଦୃଷ୍ଟି ଶକ୍ତି ଉନ୍ନତ କରିବାରେ ସହାୟକ ହୋଇଥାଏ । ତେଣୁ ଆଜି ଆମେ ଆପଣଙ୍କୁ ସେଭଳି କିଛି ପୋଷକ ତତ୍ତ୍ବରେ ଭରପୂର ଫଳ ବିଷୟରେ କହିବୁ ଯାହାକୁ ନିୟମିତ ଖାଇଲେ ଆପଣଙ୍କ ଆଖି ସମସ୍ୟା ଦୂର ହେବ ଏବଂ ଦୃଷ୍ଟି ଶକ୍ତି ପ୍ରଖର ହୋଇପାରିବ ।
କମଳା: କମଳା ଭିଟାମିନ-ସି' ର ଏକ ସର୍ବୋତ୍ତମ ଉତ୍ସ, ଯାହା ଆଖିର ରକ୍ତବାହିକାଗୁଡିକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ । ଏଥିରେ ବିଟା-କେରୋଟିନ ଥାଏ । ଏହି ପୋଷକ ତତ୍ତ୍ବ ଭିଟାମିନ-ଏରେ ପରିବର୍ତ୍ତିତ ହୋଇ ଦୃଷ୍ଟି ଶକ୍ତି ଉନ୍ନତ କରେ । କମଳା ଭଳି ଭିଟାମିନ-ସିରେ ଭରପୂର ଲେମ୍ବୁ, କାଗଜି ମଧ୍ୟ ଆଖି ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ।
କୋଳି:ଜାମୁକୋଳି, ଷ୍ଟ୍ରବେରୀ, ବ୍ଲୁବେରୀ ଇତ୍ୟାଦି କୋଳିରେ ପ୍ରଚୁର ଆଣ୍ଟିଅକ୍ସିଡାଣ୍ଟ ମିଳିଥାଏ । ଏହା ଆଖିକୁ ସୁସ୍ଥ ରଖେ । ବୟସ ବଢିବା ଯୋଗୁଁ ଦେଖାଯାଉଥିବା ଆଖି ସମସ୍ୟା ଆଶଙ୍କା କମ୍ କରେ । ବ୍ଲୁବେରୀରେ ଥିବା ଯୌଗିକ ଆଖିକୁ ହାନିକାରକ ଅକ୍ସିଡେଟିଭ ଚାପରୁ ରକ୍ଷା କରେ ।
କିୱି: ଏଥିରେ ଭିଟାମିନ ସି, ଭିଟାମିନ ଇ ଓ ଲ୍ୟୁଟିନ ଭରପୂର ମାତ୍ରାରେ ଥାଏ । ଏହା ଦୃଷ୍ଟି ଶକ୍ତି ବଢାଇବା ସହ ଆଖିକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ । ତେଣୁ ନିଜ ଡାଏଟରେ କିୱି ସାମିଲ କରନ୍ତୁ । ଉତ୍ତମ ଦୃଷ୍ଟି ଶକ୍ତି ବଜାୟ ରଖିବାରେ ଏହା ଏକ ଉପଯୁକ୍ତ ଫଳ । କିୱିରେ ପ୍ରଚୁର ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ ମିଳୁଥିବାରୁ ଆଖିକୁ ଅକ୍ସିଡେଟିଭ କ୍ଷତିରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ । ବୟସ ଜନିତ ଦୃଷ୍ଟି ଶକ୍ତି ସମସ୍ୟା ହ୍ରାସ କରେ ।
ଅମୃତଭଣ୍ଡା: ଆଖିକୁ ସୁସ୍ଥ ରଖିବା ପାଇଁ ଅମୃତଭଣ୍ଡା ଖୁବ୍ ଲାଭଦାୟକ । ଏଥିରେ ପ୍ରଚୁର ମାତ୍ରାରେ ବିଟା-କେରୋଟିନ, ଭିଟାମିନ ସି ଓ ଇ ମିଳେ । ନିୟମିତ ଅମୃତଭଣ୍ଡା ଖାଇବା ଦ୍ବାରା ବୟସାଧିକ ଜନିତ ଦୃଷ୍ଟି ଶକ୍ତି ସମସ୍ୟା କମ୍ ହୋଇଥାଏ ।
ଆମ୍ବ:ଆଖି ସ୍ବାସ୍ଥ୍ୟ ପାଇଁ ଆମ୍ବ ମଧ୍ୟ ଏକ ଉପଯୁକ୍ତ ଫଳ । ଏଥିରେ ଥିବା ଭିଟାମିନ ଏ ଓ ବିଟା-କେରୋଟିନ ଶୁଷ୍କ ଆଖି (Dry eye) ସମସ୍ୟା ରୋକିଥାଏ ଏବଂ ଦୃଷ୍ଟି ଶକ୍ତି ଉନ୍ନତ କରିଥାଏ ।