ଓଡିଶା

odisha

ETV Bharat / entertainment

ଅନ୍ତର୍ଜାତୀୟ ମହିଳା ଦିବସ; ରିଲିଜ ହେଲା ନାରୀ କେନ୍ଦ୍ରିକ ଓଡ଼ିଆ ଫିଲ୍ମ 'ବସ୍' ଓ 'ତ୍ରିକନ୍ୟା' - Odia Film Boss And 3anya Release

Two Odia Film Boss And 3anya: ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଓଡ଼ିଆ ସିନେପ୍ରେମୀଙ୍କୁ ଭେଟି । ରିଲିଜ ହୋଇଛି ଦୁଇଟି ନାରୀ କେନ୍ଦ୍ରିକ ଓଡ଼ିଆ ଫିଲ୍ମ 'ବସ୍' ଓ 'ତ୍ରିକନ୍ୟା' । ଭିନ୍ନ ଭିନ୍ନ କାହାଣୀକୁ ନେଇ ଉଭୟ ଫିଲ୍ମ ନିର୍ମିତ ହୋଇଥିବା ବେଳେ ଦର୍ଶକଙ୍କ ମନ ଜିତୁଛି ଫିଲ୍ମ ।

ଅନ୍ତର୍ଜାତୀୟ ମହିଳା ଦିବସ; ରିଲିଜ ହେଲା ନାରୀ କେନ୍ଦ୍ରିକ ଓଡ଼ିଆ ଫିଲ୍ମ 'ବସ୍' ଓ 'ତ୍ରିକନ୍ୟା'
ଅନ୍ତର୍ଜାତୀୟ ମହିଳା ଦିବସ; ରିଲିଜ ହେଲା ନାରୀ କେନ୍ଦ୍ରିକ ଓଡ଼ିଆ ଫିଲ୍ମ 'ବସ୍' ଓ 'ତ୍ରିକନ୍ୟା'

By ETV Bharat Odisha Team

Published : Mar 8, 2024, 5:43 PM IST

Updated : Mar 8, 2024, 6:13 PM IST

ଓଡ଼ିଆ ଫିଲ୍ମ 'ବସ୍' ଓ 'ତ୍ରିକନ୍ୟା'

ଭୁବନେଶ୍ୱର:ଆଜି ମାର୍ଚ୍ଚ ୮, ସମଗ୍ର ବିଶ୍ୱରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଉଛି । ଏନେଇ ସବୁଠି ସେଲିବ୍ରେସନର ମାହୋଲ ଦେଖିବାକୁ ମିଳିଛି । ଏହି ଅବସରରେ ଓଡ଼ିଆ ସିନେ ପ୍ରେମୀକୁ ଉପହାର ମିଳିଛି । ଆଜିର ଦିନରେ ରିଲିଜ ହୋଇଛି ଦୁଇଟି ନାରୀ କେନ୍ଦ୍ରିକ ଓଡ଼ିଆ ଫିଲ୍ମ 'ବସ୍' ଓ 'ତ୍ରିକନ୍ୟା' । 'ତ୍ରିକନ୍ୟା'ରେ ୩ଜଣ ନାରୀଙ୍କ ସଂଘର୍ଷର କାହାଣୀ ଦେଖିବାକୁ ମିଳିଥିବା ବେଳେ 'ବସ୍'ରେ ମହିଳା ସଶକ୍ତି କରଣର ବାର୍ତ୍ତା ପ୍ରଦାନ କରିଛି । ତେବେ ପ୍ରଥମ ଦିନରେ ଏହି ଉଭୟ ଫିଲ୍ମ ଦର୍ଶକଙ୍କ ମନ ଜିତିବାରେ ସଫଳ ହୋଇଛି । ଆଜି ବିଶ୍ୱ ମହିଳା ଦିବସରେ ଉଭୟ ଫିଲ୍ମ ରିଲିଜ ହୋଇଥିବା ବେଳେ ଏହି ଫିଲ୍ମ ସମାଜକୁ ନାରୀ ଶକ୍ତିର ଭୂମିକା ପ୍ରତିପାଦିତ କରିଥିବା ବେଳେ ଶିକ୍ଷା ମଧ୍ୟ ପ୍ରଦାନ କରିଛି ।

ମହିଳା ସଶକ୍ତି କରଣର ବାର୍ତ୍ତା ଦେଇଛି ଫିଲ୍ମ 'ବସ୍':ଭୁବନେଶ୍ୱରର ଏସପ୍ଲାନେଡର ସିନେପୋଲରେ ଏହି ସିନେମାର ପ୍ରିମିୟର ହୋଇଯାଇଛି । ତେବେ ବିଶ୍ୱ ମହିଳା ଦିବସ ଅବସରରେ ଫିଲ୍ମଟି ରିଲିଜ ହୋଇଥିବା ବେଳେ ମହିଳା ସଶକ୍ତି କରଣର ବାର୍ତ୍ତା ଦିଆଯାଇଛି । 'ବସ୍' ଫିଲ୍ମରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ମୁଖ୍ୟ ଭୂମିକାରେ ଅର୍ଥାତ ବସ୍ ଭୂମିକାରେ ଅଭିନୟ କରିଛନ୍ତି । ତେବେ ପ୍ରଥମ ଦିନରେ ବର୍ଷା ପ୍ରିୟଦର୍ଶିନୀଙ୍କୁ ବସ ଚରିତ୍ରରେ ଦେଖିବା ପାଇଁ ତାଙ୍କ ଅଭିନୀତ ସିନେମା ଦେଖିବା ପାଇଁ ବେଶ ଭିଡ ରହିଥିଲା । ସିନେମାକୁ ଦର୍ଶକଙ୍କ ଭଲପାଇବା ସହ ବେଶ ପ୍ରଶଂସା ମିଳିଛି ।

'ବସ୍' ଫିଲ୍ମର କାହାଣୀ:କିଭଳି ଜଣେ ମହିଳା ନିଜର ଦୃଢ ଇଚ୍ଛା ଶକ୍ତି ବଳରେ ସବୁକିଛି ଜିତିପାରେ, ଆଉ ସମାଜରେ ପୁରୁଷର ସମାସ୍କନ୍ଦ ହୋଇ ସବୁ ବାଜି ନିଜ ହାତକୁ ନେଇପାରେ ବାଜିଗର ସାଜେ ତାହା ଏଥିରେ ଦର୍ଶାଯାଇଛି ।ଏଥିରେ ନାରୀ ଓ ପୁରୁଷର ସମାନତାର କଥା ମଧ୍ୟ ଦର୍ଶାଯାଇଛି ଯେ ସେ ପୁରୁଷ ହେଉ ଏବଂ ନାରୀ ସାତପଥରେ ଯାଇ ପରିଶ୍ରମ କଲେ ସମସ୍ତେ ସଫଳତା ପାଇପାରିବେ ଆଉ ସାରା ଦୁନିଆରେ ସେହି ରାଜ କରିବେ ବା ବସ ହୋଇରହିବେ । ଯାହା ଏହି ସିନେମାରେ ଦର୍ଶାଯାଇଛି । ଦୁଇ ବ୍ୟବସାୟୀ ପ୍ରତିଦ୍ୱନ୍ଦ୍ୱିଙ୍କୁ କାହାଣୀ ସହ ପରିବାରର କାହାଣୀକୁ ସ୍ଥାନିତ କରାଯାଇଛି ।

'ବସ୍' ଫିଲ୍ମକୁ ନେଇ ଅଭିନେତ୍ରୀ ଏବଂ ପ୍ରଯୋଜକଙ୍କ ପ୍ରତିକ୍ରିୟା:ଏହି ସିନେମାଟି ଆର ଆର ଇଭେଣ୍ଟ ଆଣ୍ଡ ସିନେ ପ୍ରଡକ୍ସନ ବ୍ୟାନରରେ ପ୍ରସ୍ତୁତ ହୋଇଛି । ପ୍ରଯୋଜକ ରମେଶ ବାରିକ ପ୍ରଯୋଜନାରେ ନିର୍ମିତ ହୋଇଥିବା ବେଳେ ଏଥିରେ ନିର୍ଦ୍ଦେଶନା ଦେଇଛନ୍ତି ତ୍ରିପତି ସାହୁ । ବର୍ଷାଙ୍କ ବ୍ୟତୀତ ଏହି ଫିଲ୍ମରେ ଅଭିନେତା ରାଜ ରାଜେଶ ଅଭିନୟ କରିଛନ୍ତି । ତେବେ ସିନେମାକୁ ନେଇ ବର୍ଷା କହିଛନ୍ତି, ''କାହାଣୀ ବେଶ ବଳିଷ୍ଠ ଥିବା ବେଳେ ପୁରା ଟିମ ବେଶ ପରିଶ୍ରମ କରିଛନ୍ତି, ଯାହା ସିନେମା ପ୍ରତି ଦର୍ଶକଙ୍କୁ ଆକର୍ଷିତ କରିଛି ।'' ସେହିପରି ପ୍ରଯୋଜକ କହିଛନ୍ତି, ''ନାରୀ କେନ୍ଦ୍ରିକ ଏହି ସିନେମାକୁ ଆମେ ଭିନ୍ନ କରିବାକୁ ଚେଷ୍ଟା କରିଛୁ ଯେଉଁଥିପାଇଁ ଚାଟାର୍ଡ ଫ୍ଲାଇଟକୁ ଆମେ ଏଥିରେ ସାମିଲ କରି ସୁଟିଂ କରିଛୁ । ଭଲ ବଜେଟକୁ ନେଇ ଚଳଚିତ୍ର ହୋଇଥିବା ବେଳେ ଦର୍ଶକ ମନଙ୍କୁ ନିଶ୍ଚୟ ଛୁଇଁବ ବୋଲି ପ୍ରତିକ୍ରିୟା ରଖିଛନ୍ତି ।''

ଏହା ମଧ୍ୟ ପଢନ୍ତୁ:ମୋଶନ ପୋଷ୍ଟର ଆଉଟ୍, ଲେଡି ବସ୍ ଲୁକରେ ବର୍ଷା ପ୍ରିୟଦର୍ଶିନୀ

୩ଜଣ ନାରୀଙ୍କ ସଂଘର୍ଷର କାହାଣୀ ଦର୍ଶାଇଛି 'ତ୍ରିକନ୍ୟା': ଭୁବନେଶ୍ୱରର ଶ୍ରୀୟା ହଲରେ 'ତ୍ରିକନ୍ୟା' ପ୍ରିମିୟର ହୋଇଥିବା ବେଳେ ପ୍ରଥମ ଦିନରେ ହିଁ ହାଉସଫୁଲ ରହିଛି ହଲ । ଅମୀୟ ପଟ୍ଟନାୟକ ପ୍ରଡକସନ୍ସ ଓ ଟେକ୍ନୋ ଆର୍ଟ୍ସ ବ୍ୟାନରରେ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ ଦ୍ୱାରା ନିର୍ମାଣ ଏହି ଫିଲ୍ମ ତିନି ଜଣ ମହିଳାଙ୍କ କାହାଣୀକୁ ନେଇ ନିର୍ମିତ ହୋଇଛି । ଭିନ୍ନ ଭିନ୍ନ ତିନୋଟି କାହାଣୀର ସମାହାରରେ ସିନେମା ପ୍ରସ୍ତୁତ ହୋଇଥିବା ବେଳେ ଏଥିରେ ନାରୀ ଜୀବନର ସଂଘର୍ଷ, ଦୁଃଖ ,ନାରୀର ଭିନ୍ନ ଭିନ ଚରିତ୍ର ଓ ପରିସ୍ଥିତିର ଦୃଶ୍ୟ ଦେଖିବାକୁ ମିଳିଛି । ପ୍ରଥମ ଥର ପାଇଁ ରୋବର୍ଟର ଅଭିନୟ ଦେଖିବାକୁ ମିଳିଛି । ତେଣୁ ଏଭଳି ଏକ ଭିନ୍ନ ଧରଣର ସିନେମା ଦେଖିବାକୁ ଭିଡ ଲାଗିଥିବା ବେଳେ ବେଶ ପ୍ରଶଂସା ସାଉଁଟିଛି ।


'ତ୍ରିକନ୍ୟା'ର ଷ୍ଟାରକାଷ୍ଟ:ଏହି ଫିଲ୍ମରେବର୍ଷା ପଟ୍ଟନାୟକ, ମନୋଜ ମିଶ୍ର, ସୁକାନ୍ତ ରଥ, ପାର୍ଥ ସାରଥୀ, ଅମନ, ଶ୍ରଦ୍ଧା ପାଣିଗ୍ରାହୀ, ନିଶାନ୍ତ ମାଜିଥିଆ, ନିଭି ଓ ସିଜନ ମହାପାତ୍ର, ଶକ୍ତି ବରାଳ ଓ ତୃପ୍ତି ସିହ୍ନା ପ୍ରମୁଖ ଅଭିନୟ କରିଛନ୍ତି । ସେହିପରି କାହାଣୀ ଓ ଲେଖକ ମାନସ ପଢ଼ିଆରୀ, ଗୀତ ରଚନା କରିଛନ୍ତି କପିଳେଶ୍ଵର ରାଉତ, ସ୍ଥିତ ପଟ୍ଟନାୟକ ଓ ସୁମିତ ପଣ୍ଡା । ଶ୍ରୀକାନ୍ତ ପଣ୍ଡାଙ୍କ ସହିତ ମିଳିତ ଭାବେ ଅନୁରାଗ ପଟ୍ଟନାୟକ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ତ୍ରିକନ୍ୟା ରେ ତିନିଟି ଗୀତ ରହିଥିବା ବେଳେ କଣ୍ଠଦାନ କରିଛନ୍ତି କୁଲଦୀପ ପଟ୍ଟନାୟକ, ଡ଼ି. ଅଭିଷେକ, ସଞ୍ଚିତା, ଅବିନାଶ ଦାଶ ଓ ଅନ୍ତରା ଚକ୍ରବର୍ତ୍ତୀ ।


ଏହା ମଧ୍ୟ ପଢନ୍ତୁ:ଓଡ଼ିଆ ଚଳଚ୍ଚିତ୍ର ‘୩କନ୍ୟା’ର ଟ୍ରେଲର ଓ ଅଡ଼ିଓ ରିଲିଜ


'ତ୍ରିକନ୍ୟା' ଫିଲ୍ମର କାହାଣୀ: ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ ଗୋଟିଏ ପରେ ଗୋଟିଏ ଭିନ୍ନ ଭିନ୍ନ କାହାଣୀ କୁ ନେଇ ଓଡ଼ିଆ ଦର୍ଶକଙ୍କ ରୁଚିକୁ ଆଖିରେ ରଖି ସିନେମା ନିର୍ମାଣ କରିଚାଲିଥିବା ବେଳେ ତ୍ରିକନ୍ୟା ର କାହାଣୀ ସମ୍ପୂର୍ଣ୍ଣ ନିଆରା l ଭିନ୍ନ ଭିନ୍ନ ପରିସ୍ଥିତି ଆଉ ପରିବେଶ ରୁ ଆସିଥିବା ତିନି ଜଣ ମହିଳା କିପରି ବିଭିନ୍ନ ପ୍ରକାରର କଠିନ ସମସ୍ୟାର ସମାଧାନ କରୁଛନ୍ତି ତାହାକୁ ନେଇ ତ୍ରିକନ୍ୟା ଚଳଚ୍ଚିତ୍ରର କାହାଣୀ ଦେଖିବାକୁ ମିଳିଛି ।

ଇଟିଭି ଭାରତ, ଭୁବନେଶ୍ୱର

Last Updated : Mar 8, 2024, 6:13 PM IST

ABOUT THE AUTHOR

...view details