ହାଇଦ୍ରାବାଦ:ଓଡ଼ିଆ ଫିଲ୍ମ 'କର୍ମ'କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏହି ଫିଲ୍ମରେ ଓଲିଉଡ ଅଭିନେତା ଅନୁଭବ ମହାନ୍ତିଙ୍କୁ ଦେଖିବାକୁ ମିଳିବ । ଏଥିସହ ଏହି ଫିଲ୍ମରେ ତାଙ୍କ ସହ ରୋମାନ୍ସର ତଡକା ଲଗାଇବେ ଅଭିନେତ୍ରୀ ସୂର୍ଯ୍ୟମୟୀ ମହାପାତ୍ର । ଫିଲ୍ମ ରିଲିଜକୁ ଆଉ ମାତ୍ର କିଛି ଦିନ ଥିବା ବେଳେ ବର୍ତ୍ତମାନ ନିର୍ମାତା ଫିଲ୍ମରୁ ସୂର୍ଯ୍ୟମୟୀଙ୍କ ପ୍ରଥମ ଲୁକ ପୋଷ୍ଟର ରିଲିଜ କରିଥିବା ବେଳେ ଚରିତ୍ର ଉପରୁ ବି ପରଦା ଉଠାଇଛନ୍ତି । ସୋସିଆଲ ମିଡିଆରେ ନିର୍ମାତା ଅନୁପମ ପଟ୍ଟନାୟକ ସୂର୍ଯ୍ୟମୟୀଙ୍କ ପ୍ରଥମ ଲୁକ ପୋଷ୍ଟର ସେୟାର କରିଛନ୍ତି ।
ଏହି ଭୂମିକାରେ ନଜର ଆସିବେ ସୂର୍ଯ୍ୟମୟୀ
ନିର୍ମାତା ଅନୁପମ ପଟ୍ଟନାୟକ ଇନଷ୍ଟାଗ୍ରାମରେ ସୂର୍ଯ୍ୟମୟୀଙ୍କୁ ଟ୍ୟାଗ କରି ତାଙ୍କ ପ୍ରଥମ ଲୁକ ସେୟାର କରିଛନ୍ତି । ଏହା ସେୟାର କରି ନିର୍ମାତା କ୍ୟାପସନରେ ଲେଖିଛନ୍ତି, ''କର୍ମରେ ଅତ୍ୟନ୍ତ ସୁନ୍ଦର ଏବଂ ପ୍ରତିଭାଶାଳୀ ଅଭିନେତ୍ରୀ ସୂର୍ଯ୍ୟମୟୀ ମହାପାତ୍ରଙ୍କୁ ମେଘା ଭାବରେ ଉପସ୍ଥାପନ କରିଛୁ । ପରଦା ଉପସ୍ଥିତି ସହ ସୂର୍ଯ୍ୟମୟୀ ନିଶ୍ଚିତ ଭାବରେ ପରଦାରେ ନିଆଁ ଲଗାଇବେ । ଦଶହରାରେ ଆସୁଛି କର୍ମ ।'' ଏହି ପ୍ରଥମ ଲୁକ ପୋଷ୍ଟରରେ ସୂର୍ଯ୍ୟମୟୀଙ୍କୁ ଦମଦାର ଲୁକରେ ଦେଖିବାକୁ ମିଳିଥିବା ବେଳେ ସେ ଏହି ଫିଲ୍ମରେ 'ମେଘା' ଭୂମିକାରେ ନଜର ଆସିବେ ।
ଏହି ତାରକା ବି ଆସିବେ ନଜର
ଅନୁପମ ପଟ୍ଟନାୟକଙ୍କ ବ୍ୟାନରରେ ପ୍ରସ୍ତୁତ ନୂଆ ଚଳଚ୍ଚିତ୍ର 'କର୍ମ'ରେ ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ । କାର୍ଯ୍ୟକାରୀ ପ୍ରଯୋଜକ ଭାବେ ବର୍ଷା ପଟ୍ଟନାୟକ କାର୍ଯ୍ୟ କରୁଥିବା ବେଳେ ଫିଲ୍ମକୁ ଶବ୍ଦରେ ସଜେଇଛନ୍ତି ଲେଖକ ମାନସ ପଢ଼ିଆରୀ । ତେବେ ଏହି ଫିଲ୍ମରେ ସୁପରଷ୍ଟାର ଅନୁଭବ ମହାନ୍ତି ଓ ସୂର୍ଯ୍ୟମୟୀ ମହାପାତ୍ର ମୁଖ୍ୟ ଚରିତ୍ରରେ ନଜର ଆସିବାକୁ ଥିବାବେଳେ ପ୍ରଥମ ଥର ପାଇଁ ଏହି ଯୋଡି ଅନସ୍କ୍ରିନ ରୋମାନ୍ସ କରୁଥିବା ଦେଖିବାକୁ ମିଳିବ । ଅନ୍ୟ ଭୂମିକାରେ ଅଭିନେତ୍ରୀ ଦିବ୍ୟା ଚୌଧୁରୀ, ଜୟ ପ୍ରକାଶ, ନିଶାନ୍ତ ମଜିଠିଆ ଉଦିତ ଗୁରୁ ରହିଥିବା ବେଳେ ସନୋଜ ଓ ମନ୍ମୟ ଦେ ଏହି ଫିଲ୍ମ ସହ ଡେବ୍ୟୁ କରିବାକୁ ଯାଉଛନ୍ତି ।