ହାଇଦ୍ରାବାଦ: ପୁଣି ଅଡୁଆରେ ଫେମସ ୟୁଟ୍ୟୁବର ତଥା ବିଗ୍ ବସ ବିଜେତା ଏଲଭିଶ ଯାଦବ । ରେଭ ପାର୍ଟିରେ ସାପ ବିଷ ସପ୍ଲାଇ ମାମଲାରେ ଉତ୍ତର ପ୍ରଦେଶ ପୋଲିସ ପରେ ଏବେ ଇଡି ସ୍କାନରରେ ଏଲଭିଶ । ସାପ ବିଷ ଚାଲଣ ଘଟଣାରେ ପ୍ରିଭେନସନ ଅଫ ମନି ଲଣ୍ଡ୍ରିଂ ଆକ୍ଟ ଆଧାରରେ ଏଲଭିଶଙ୍କ ଉପରେ ମାମଲା ଦାୟର କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) । ଖୁବଶୀଘ୍ର ତାଙ୍କୁ ପଚରାଉଚରା ପାଇଁ ଡକାଯାଇପାରେ । ଇଡି ମୁଖ୍ୟାଳୟରୁ ଏନେଇ ନିର୍ଦ୍ଦେଶ ମିଳିବା ପରେ ଲକ୍ଷ୍ମୌ ଜୋନାଲ ଟିମ ସକ୍ରିୟ ହୋଇଉଠିଛି । ମାମଲାରେ ଇଡି ହୋଟେଲ, ରିଜୋର୍ଟ ଓ ଫାର୍ମ ହାଉସ ମାଲିକଙ୍କୁ ମଧ୍ୟ ପଚରାଉଚରା କରିବା ନେଇ ସୂଚନା ରହିଛି ।
ବିଜେପି ସାଂସଦ ମେନକା ଗାନ୍ଧୀଙ୍କ ସଂସ୍ଥା ପିପୁଲ୍ସ ଫର ଆନିମଲ୍ସ (PFA) ସଂସ୍ଥାର ପଶୁ କଲ୍ୟାଣ ଅଧିକାରୀ ଗୌରବ ଗୁପ୍ତା ଗତବର୍ଷ ନଭେମ୍ବର ମାସରେ ନୋଏଡାର ସେକ୍ଟର 49 ଥାନାରେ ଏଲଭିଶଙ୍କ ନାଁରେ ମାମଲା ଦାୟର କରିଥିଲେ । ତାଙ୍କ ଅଭିଯୋଗ ଅନୁଯାୟୀ, ନୋଏଡା ଏବଂ ଏନସିଆରର ଫାର୍ମ ହାଉସରେ ତାଙ୍କ ଗ୍ୟାଙ୍ଗ ସହିତ ସାପକୁ ନେଇ ଭିଡିଓ ଏବଂ ବେଆଇନ ରେଭ ପାର୍ଟି କରୁଥିଲେ । ଏହି ପାର୍ଟିରେ ସାପ ବିଷ ଏବଂ ଜୀବନ୍ତ ସାପ ମଧ୍ୟ ବ୍ୟବହାର କରାଯାଉଥିବା ନେଇ ସେ ଅଭିଯୋଗରେ ଦର୍ଶାଇଥିଲେ । ଏହା ବ୍ୟତୀତ ବିଦେଶୀ ଯୁବତୀମାନଙ୍କୁ ଆଣି ସାପ ବିଷ ଏବଂ ଅନ୍ୟାନ୍ୟ ନିଶା ପଦାର୍ଥ ଦେଉଥିବା ନେଇ ମଧ୍ୟ ଅଭିଯୋଗ କରିଥିଲେ ଗୌରବ ଗୁପ୍ତା ।