ହାଇଦ୍ରାବାଦ:ଲସ୍ ଆଞ୍ଜେଲସରେ ଆୟୋଜିତ ୬୬ତମ ଗ୍ରାମୀ ଆୱାର୍ଡ ୨୦୨୪ରେ ଭାରତୀୟ ସଙ୍ଗୀତକାରଙ୍କ ଜଲୱା ଦେଖିବାକୁ ମିଳିଥିଲା । ତବଲା ବାଦକ ଜାକିର ହୁସେନ, ମ୍ୟୁଜିକ କମ୍ପୋଜର ଶଙ୍କର ମହାଦେବନ ଏବଂ ସେଲଭାଗଣେଶ ସମେତ ଅନ୍ୟ ସଙ୍ଗୀତକାରମାନେ ଗ୍ରାମୀ ଆୱାର୍ଡ ଜିତି ଦେଶ ପାଇଁ ଗୌରବ ଆଣିଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ଏହି ସଙ୍ଗୀତକାରଙ୍କ ସଫଳତା ପାଇଁ ଧନ୍ୟବାଦ ଜଣାଇଥିଲେ ଏବଂ ଦେଶ ଆପଣମାନଙ୍କ ପାଇଁ ଗର୍ବିତ ଥିବା କହିଥିଲେ । ବର୍ତ୍ତମାନ ଆମେରିକାରୁ ଭାରତ ଫେରିଛନ୍ତି ସଙ୍ଗୀତକାର । ମୁମ୍ୱାଇ ବିମାନବନ୍ଦରରେ କଣ୍ଠଶିଳ୍ପୀ ଶଙ୍କର ମହାଦେବନ ସ୍ପଟ ହୋଇଥିବା ବେଳେ ଏଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ଏହି ସମୟରେ ସେ ତାଙ୍କର ସଫଳତା ନିଜ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରିଥିଲେ ।
ଶଙ୍କର ମହାଦେବନଙ୍କୁ ମୁମ୍ୱାଇ ବିମାନବନ୍ଦରରେ ଯେତେବେଳେ ଏହି ବିଜୟ ବିଷୟରେ ପଚରାଗଲା, ସେ ଏହି ନିଜ ବ୍ୟାଣ୍ଡର ନାଁ ଶକ୍ତି ନେଇ କହିଛନ୍ତି ଯେ, ଏହା ପ୍ରକୃତରେ ମୋ ସ୍ୱପ୍ନ ସାକାର ହେଲା ଭଳି ଲାଗୁଛି । ଏହା ମୋ ପାଇଁ ଏବଂ ମୋ ବ୍ୟାଣ୍ଡର ସମସ୍ତ ସଦସ୍ୟ ଜାକିର ହୁସେନ୍, ସେଲଭା ଗଣେଶ, ଗଣେଶ ଗୋପାଳଙ୍କ ପାଇଁ ବିଶେଷ ମୁହୂର୍ତ୍ତ । ଆମେ ଶ୍ରେଷ୍ଠ ଗ୍ଲୋବାଲ୍ ଆଲବମ୍ ପୁରସ୍କାର ଜିତିଛୁ, ଯାହା ଆମ ପାଇଁ ଅତ୍ୟନ୍ତ ସମ୍ମାନଜନକ । ମୁଁ ପୂର୍ବରୁ ଏହି ବ୍ୟାଣ୍ଡ ବିଷୟରେ ଶୁଣିଥିଲି । ମୋର ବହୁତ ଇଚ୍ଛା ଥିଲା ଏଥିରେ ସାମିଲ ହେବା ପାଇଁ ଏବଂ ୨୦ ବର୍ଷ ପରେ ମୁଁ ଏହାର ସଦସ୍ୟ ହେଲି । ୨୫ ବର୍ଷ ଧରି ଆମେ ସମସ୍ତେ ଏକାଠି କାମ କଲୁ ଏବଂ ଶେଷରେ ଆମେ ଏକ ଗ୍ରାମୀ ଆୱାର୍ଡ ଜିତିବାରେ ସଫଳ ହେଲୁ ।