ହାଇଦ୍ରାବାଦ:'ପିଏମ ନରେନ୍ଦ୍ର ମୋଦି' ଏବଂ 'ମେରି କମ' ଫିଲ୍ମ ନିର୍ମାତା ସନ୍ଦୀପ ସିଂ ବର୍ତ୍ତମାନ ନିଜର ଆଗାମୀ ଫିଲ୍ମ ଘୋଷଣା କରିଛନ୍ତି । ସନ୍ଦୀପ ବର୍ତ୍ତମାନ ଛତ୍ରପତି ଶିବାଜୀ ମହାରାଜଙ୍କ ବାୟୋପିକ ଫିଲ୍ମ 'ଦ ପ୍ରାଇଡ ଅଫ ଭାରତ-ଛତ୍ରପତି ଶିବାଜୀ ମହାରାଜ'ର ନିର୍ଦ୍ଦେଶନା ଦେବେ । ସୋସିଆଲ ମିଡିଆରେ ଆଜି କେନ୍ଦ୍ର ସଡକ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଏହି ଫିଲ୍ମର ପୋଷ୍ଟର ଲଞ୍ଚ କରିଛନ୍ତି । ଏଥିସହ ଫିଲ୍ମ ରିଲିଜ ତାରିଖ ମଧ୍ୟ ପ୍ରକାଶ କରାଯାଇଛି । ଫିଲ୍ମଟି ଜାନୁଆରୀ ୨୩, ୨୦୨୬ରେ ପରଦାକୁ ଆସିବ ।
ସନ୍ଦୀପ ପୂର୍ବରୁ ଟରୋଣ୍ଟୋ ଟାଇଟଲ, ବକ୍ସିଂ ବାୟୋପିକ୍ 'ମେରି କମ୍', ଏସିଆ ପାସିଫିକ୍ ସ୍କ୍ରିନ୍ ପୁରସ୍କାର ପ୍ରାପ୍ତ ସମଲିଙ୍ଗୀ ଅଧିକାର ଡ୍ରାମା 'ଅଲିଗଡ' ଏବଂ ଅମିତାଭ ବଚ୍ଚନଙ୍କ 'ଝୁଣ୍ଡ' ଭଳି ଅନେକ ଖ୍ୟାତିନାମା ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି । ଟ୍ରାନ୍ସଜେଣ୍ଡର-ଥିମ୍ 'ସଫେଡ୍' ସହ ସେ ନିର୍ଦ୍ଦେଶନାରେ ଡେବ୍ୟୁ କରିଥିଲେ । ଏହା ଓଟିଟି ଫ୍ଲାଟଫର୍ମ Zee5ରେ ଗତବର୍ଷ(୨୦୨୩) ରିଲିଜ ହୋଇଥିଲା । ବର୍ତ୍ତମାନ 'ଦ ପ୍ରାଇଡ ଅଫ ଭାରତ-ଛତ୍ରପତି ଶିବାଜୀ ମହାରାଜ' ସହ ପ୍ରଥମ ଥିଏରଟିକାଲ ଫିଚର ଫିଲ୍ମର ନିର୍ଦ୍ଦେଶନା ଦେବାକୁ ପ୍ରସ୍ତୁତ ଅଛନ୍ତି ସନ୍ଦୀପ । ତେବେ ଏହି ଫିଲ୍ମଟି ଜାନୁୟାରୀ ୨୩, ୨୦୨୬ରେ ୬ଟି ଭାଷା ତଥା ହିନ୍ଦୀ, ଇଂରାଜୀ, ତାମିଲ, ତେଲୁଗୁ, କନ୍ନଡ ଏବଂ ମରାଠୀ ଭାଷାରେ ମୁକ୍ତିଲାଭ କରିବ ।
ସନ୍ଦୀପ ଏହି ଫିଲ୍ମ ପ୍ରସ୍ତୁତ ନେଇ ପ୍ରତିକ୍ରିୟା ଦେଇ କହିଛନ୍ତି, ''ମୁଁ ନିର୍ଦ୍ଦେଶକ ଭାବରେ ବଲିଉଡରେ କିପରି ଡେବ୍ୟୁ କରିବି ସେ ବିଷୟରେ ଦ୍ୱନ୍ଦ୍ୱରେ ରହୁଥିଲି । ଶେଷରେ, ମୁଁ ଛତ୍ରପତି ଶିବାଜୀ ମହାରାଜଙ୍କ କୌତୁହଳପୂର୍ଣ୍ଣ କାହାଣୀ ପାଇଲି । ମୁଁ ଶିବାଜୀ ମହାରାଜଙ୍କ ଜୀବନ ଉପରେ ଅନୁସନ୍ଧାନ କରିବା ଆରମ୍ଭ କରିଥିଲି ଏବଂ ଅନେକ ଆଶ୍ଚର୍ଯ୍ୟ କଲାଭଳି ତଥ୍ୟ ଜାଣିବାକୁ ପାଇଥିଲି ଯେ ତାଙ୍କ ବାସ୍ତବ ଜୀବନର କାହାଣୀ କଳ୍ପନା ଠାରୁ ବହୁ ଦୂରରେ ରହିଛି । ଏହାପରେ ମୁଁ ଏହାକୁ ନିର୍ମାଣ କରିବାକୁ ସ୍ଥିର କଲି । ମୁଁ ଅନୁଭବ କଲି ଯେ ତାଙ୍କ କାହାଣୀ କହିବା ଆବଶ୍ୟକ ।''