ହାଇଦ୍ରାବାଦ:ଗୁରୁବାର ବଲିଉଡ ଅଭିନେତା ସୈଫ ଅଲି ଖାନଙ୍କୁ ଛୁରାମାଡ଼ ଘଟଣା । ଚୋରି କରିବା ଉଦ୍ୟମରେ ଅଭିନେତାଙ୍କ ବାନ୍ଦ୍ରା ଘରେ ପଶି ତାଙ୍କୁ 6ଥର ଛୁରୀରେ ଆକ୍ରମଣ କରିଥିଲେ । ଫଳରେ ଅଭିନେତାଙ୍କୁ ମୁମ୍ବାଇର ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ବର୍ତ୍ତମାନ ତାଙ୍କର ଅସ୍ତ୍ରୋପଚାର ଚାଲିଛି । ତେବେ କଡା ସୁରକ୍ଷା ସତ୍ତ୍ୱେ ଅଭିନେତାଙ୍କ ଉପରେ ହୋଇଥିବା ଏହି ଆକ୍ରମଣ ନେଇ ଫ୍ୟାନ୍ସ ଓ ସେଲିବ୍ରିଟି ଆଶ୍ଚର୍ଯ୍ୟ ହୋଇଛନ୍ତି । ଜୁନିଅର ଏନଟିଆର ଚିନ୍ତା ପ୍ରକଟ କରିଥିବା ବେଳେ ପୂଜା ଭଟ୍ଟଙ୍କ ସମେତ ଅନେକ ତାରକା ଏହି ଘଟଣାକୁ ନିନ୍ଦା କରିଛନ୍ତି ଏବଂ ଆଇନ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି ।
ଆଇନ ବ୍ୟବସ୍ଥା ଉପରେ ଉଠାଇଲେ ପ୍ରଶ୍ନ: ପୂଜା ଭଟ୍ଟ
ସୈଫଙ୍କ ଉପରେ ଆକ୍ରମଣ ଘଟଣା ନେଇ ଅଭିନେତ୍ରୀ ପୂଜା ଭଟ୍ଟ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ଅଭିନେତ୍ରୀ ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନ ଉଠାଇଛନ୍ତି । ସେ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, 'ଆଇନ ଏବଂ ବ୍ୟବସ୍ଥା । ଆମ ପାଖରେ ଆଇନ ଅଛି...ବ୍ୟବସ୍ଥା କ'ଣ ?' ଦ୍ୱିତୀୟ ଟ୍ୱିଟରେ ସେ ଲେଖିଛନ୍ତି- 'ମୁମ୍ବାଇ ପୋଲିସ ଏହି ଅରାଜକତାକୁ ନିୟନ୍ତ୍ରଣ କରିପାରିବ କି? ବାନ୍ଦ୍ରାରେ ଆମକୁ ଅଧିକ ପୋଲିସ ଅଧିକାରୀ ଦରକାର । ଏହି ସହର ଏବଂ ବିଶେଷକରି ବାନ୍ଦ୍ରା ପୂର୍ବରୁ ନିଜକୁ ଏତେ ଅସୁରକ୍ଷିତ ମନେ କରିନାହାଁନ୍ତି । ସ୍ଥାନୀୟ ପୋଲିସ ଆମର ପ୍ରଥମ ରକ୍ଷକ । ଏପରି ପରିବେଶ ସୃଷ୍ଟି କରିବା ଆଇନ ଶୃଙ୍ଖଳାକାରୀଙ୍କ କର୍ତ୍ତବ୍ୟ ଯେଉଁଠାରେ ଅପରାଧ କରୁଥିବା ଲୋକମାନେ ଆରାମ ଅନୁଭବ କରିପାରିବେ ନାହିଁ । ଏପରି ଅପରାଧିକ କାର୍ଯ୍ୟକଳାପକୁ ରୋକିବା ପାଇଁ ପୋଲିସ ଅଧିକାରୀମାନେ କାର୍ଯ୍ୟ କରିବା ଉଚିତ୍ ।'
ଚିନ୍ତା ପ୍ରକଟ କଲେ ଚିରଞ୍ଜିବୀ-ଜୁନିଅର ଏନଟିଆର
ସୈଫଙ୍କ ଫିଲ୍ମ 'ଦେବରା' ସହ-ଅଭିନେତା ଜୁନିଅର ଏନଟିଆର ଅଭିନେତାଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ସେ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, "ସୈଫ ସାରଙ୍କ ଉପରେ ହୋଇଥିବା ଆକ୍ରମଣ ବିଷୟରେ ଶୁଣି ମୁଁ ଆଶ୍ଚର୍ଯ୍ୟ ଏବଂ ଦୁଃଖିତ । ତାଙ୍କ ଶୀଘ୍ର ଆରୋଗ୍ୟ ଏବଂ ସ୍ୱାସ୍ଥ୍ୟ ପାଇଁ ମୁଁ ପ୍ରାର୍ଥନା କରୁଛି ।" ସେହିପରି ଘଟଣା ନେଇ ଚିନ୍ତା ପ୍ରକଟ କରିଛନ୍ତି ଚିରଞ୍ଜିବୀ ।ସେ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି,''ସୈଫଙ୍କ ଉପରେ ଦୁବୃର୍ତ୍ତଙ୍କ ଆକ୍ରମଣ ଖବର ଶୁଣି ଗଭୀର ଭାବରେ ମର୍ମାହତ । ତାଙ୍କର ଶୀଘ୍ର ଆରୋଗ୍ୟ ପାଇଁ କାମନା କରୁଛି ।''