ହାଇଦ୍ରାବାଦ:ଏକ ବିଜ୍ଞାପନ ପାଇଁ ବର୍ତ୍ତମାନ ଚର୍ଚ୍ଚାରେ ରହିଛନ୍ତି ବଲିଉଡ ଅଭିନେତା ରଣଭୀର ସିଂ । ଏହି ବିଜ୍ଞାପନରେ ଅଭିନେତା ପର୍ଣ୍ଣ ଷ୍ଟାର ଜନି ସିନ୍ସଙ୍କ ସହ ଯୌନ ସ୍ୱାସ୍ଥ୍ୟସେବା ନେଇ ଏକ ବ୍ରାଣ୍ଡକୁ ପ୍ରମୋଟ କରୁଥିବା ଦେଖିବାକୁ ମିଳିଛି । ଏହି ବିଜ୍ଞାପନକୁ ଏକ ଟିଭି ସିରିଏଲ ଅନ୍ଦାଜରେ ସୁଟ୍ କରାଯାଇଛି । ରଣବୀର ନିଜେ ଏହାକୁ ନିଜ ସୋସିଆଲ ମିଡିଆରେ ସେୟାର କରିଥିବା ବେଳେ ବର୍ତ୍ତମାନ ଏହା ଭାଇରାଲ ହେଉଛି । ଏହି ପରିପ୍ରେକ୍ଷୀରେ ଟିଭି ଅଭିନେତ୍ରୀ ରଶ୍ମୀ ଦେଶାଇ ଏହି ବିଜ୍ଞାପନକୁ ଦେଖି ରାଗି ଯାଇଛନ୍ତି । ଅଭିନେତ୍ରୀ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଏହା ଟିଭି ଇଣ୍ଡଷ୍ଟ୍ରି ପାଇଁ ଅପମାନଜନକ ବୋଲି କହିଛନ୍ତି ।
ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ରଶ୍ମୀ ଏହି ବିଜ୍ଞାପନ ନେଇ ଏକ ପୋଷ୍ଟ ସେୟାର କରିଛନ୍ତି । ସେ ଲେଖିଛନ୍ତି, ''ମୁଁ ଏଭଳି ଯୋଡିଙ୍କୁ କେବେ ଆଶା କରିନଥିଲି, ମୁଁ ଆଞ୍ଚଳିକ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରୁ ମୋର କ୍ୟାରିଅର୍ ଆରମ୍ଭ କରିଥିଲି ଏବଂ ତା'ପରେ ଟିଭିରେ କାମ କରିବା ଆରମ୍ଭ କରିଥିଲି । ଲୋକମାନେ ଏହାକୁ ଛୋଟ ପରଦା ବୋଲି କୁହନ୍ତି । ଯେଉଁଠାରେ ସାଧାରଣ ଲୋକମାନେ ଶୋ ସହ ନ୍ୟୁଜ୍, କ୍ରିକେଟ୍ ଏବଂ ବଲିଉଡ୍ ଚଳଚ୍ଚିତ୍ର ଦେଖନ୍ତି । ହେଲେ ଏହି ରିଲ୍ ଦେଖିବା ପରେ ମୋତେ ଏହା ଅନୁଭବ ହେଲା ଯେ, ଏହା ସମଗ୍ର ଟିଭି ଇଣ୍ଡଷ୍ଟ୍ରି ଏବଂ ଟିଭିରେ କାମ କରୁଥିବା ଲୋକଙ୍କ ପାଇଁ ଅପମାନଜନକ ଅଟେ ।''