ମୁମ୍ବାଇ:ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ ଗୁଳିମାଡ଼ ଘଟଣା । ବର୍ତ୍ତମାନ ଗୁଳି ଚଳାଇଥିବା ବ୍ୟକ୍ତିଙ୍କ ବାଇକ ଉଦ୍ଧାର କରିଛି ପୋଲିସ । ଯାହାର ଫୋରେନସିକ୍ ତଦନ୍ତ ଚାଲିଛି । ସୂଚନା ଅନୁସାରେ, ଆଜି ଭୋର ସମୟରେ ବାନ୍ଦ୍ରା ଘର ବାହାରେ ୪ ରାଉଣ୍ଡ ଗୁଳି କରି ଫେରାର ହୋଇଯାଇଥିଲେ ଦୁର୍ବୃତ୍ତ । ଦୁଇ ଜଣ ବ୍ୟକ୍ତି ଦ୍ରୁତ ଗତିରେ ବାଇକରେ ଆସି ଏହି କାଣ୍ଡ ଭିଆଇଥିବା ସ୍ଥାନୀୟ ଲୋକେ କହିଛନ୍ତି । ଯାହାର ଖବର ପାଇ ମୁମ୍ୱାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି । ଏହି ଘଟଣା ଲାଗି ଲରେନ୍ସ ବିଷ୍ଣୋଇର ଭାଇ ନିଜକୁ ଦାୟୀ କରିଥିବା ଜଣାପଡ଼ିଛି ।
ପୋଲିସ ସୂଚନା ଅନୁସାରେ, ସଲମାନଙ୍କ ଘର ବାହାରେ ରବିବାର ହୋଇଥିବା ଗୁଳିମାଡ଼ରେ କେହି ଆହତ ହୋଇନାହାଁନ୍ତି । ମୁମ୍ବାଇ ଡିସିପି ରାଜ ତିଲକ ରୋଶନ କହିଛନ୍ତି, "ଆଜି ପ୍ରାୟ ୫ଟା ସମୟରେ ଦୁଇଜଣ ଅଜ୍ଞାତ ବ୍ୟକ୍ତି ବାନ୍ଦ୍ରାସ୍ଥିତ ଅଭିନେତା ସଲମାନ ଖାନଙ୍କ ଘର ବାହାରେ ଗୁଳି ଚଳାଇଥିଲେ । ଏହି ମାମଲାରେ ଏକ ମାମଲା ରୁଜୁ ହୋଇଛି ଏବଂ ତଦନ୍ତ ଚାଲିଛି । ଗୁଳିମାଡ ଘଟଣାରେ କେହି ଆହତ ହୋଇନାହାଁନ୍ତି । ଏକ ପୋଲିସ ଟିମ୍ ମଧ୍ୟ ସିସିଟିଭି ଫୁଟେଜ୍ ସ୍କାନ କରୁଛନ୍ତି ।" ତେବେ ପୋଲିସ ଆଶା କରୁଛି ଯେ ଆକ୍ରମଣକାରୀଙ୍କୁ ଧରିବାରେ ସିସିଟିଭି ଫୁଟେଜ ବହୁତ ସାହାଯ୍ୟ କରିବ । ସେପଟେ ଏହି ଘଟଣା ପରେ ମନ୍ତ୍ରୀ ଏକନାଥ ସିନ୍ଦେ ମଧ୍ୟ ସଲମାନଙ୍କ ସହ ଫୋନରେ କଥା ହୋଇଥିଲେ । ତେବେ କିଏ ଏବଂ କାହିଁକି ଏପରି କରିଛି ତାହାର ତଦନ୍ତ ଆରମ୍ଭ କରିଥିବା ବେଳେ ପୋଲିସ ସଲମାନଙ୍କ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରିଛି ।