ଭୁବନେଶ୍ୱର: ପରଲୋକରେ ବରିଷ୍ଠ ଅଭିନେତା ଚକ୍ରଧର ଜେନା । କଳାଜଗତରେ ସେ ସମସ୍ତଙ୍କର ପ୍ରିୟ ଚକରା ଭାଇ ଭାବେ ପରିଚିତ ଥିଲେ । ଏମ୍ସରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଛି । ସେ ଦୀର୍ଘ ଦିନ ହେବ ଫୁସଫୁସ ଜନିତ ରୋଗ ସହ ମଧୁମେହ ପୀଡିତ ଥିବାବେଳେ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ତାଙ୍କର ଦେହାନ୍ତ ହୋଇଛି । ଏନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ତାଙ୍କ ମୃତ୍ୟୁକୁ ନେଇ ଓଡ଼ିଆ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି ।
ଚକ୍ରଧର ଜେନା ଜଣେ ସୁପରିଚିତ କଳାକାର ଥିଲେ । ଅନେକ ଫିଲ୍ମରେ ଅଭିନୟ କରିଛନ୍ତି । କେବଳ ଓଡ଼ିଆ ସିନେମା ନୁହେଁ ବଲିଉଡ୍ ଓ ହଲିଉଡ୍ରେ ବି ସେ ନିଜ ଅଭିନୟର ଯାଦୁ ଦେଖାଇଛନ୍ତି । ଓଡ଼ିଆ ମଞ୍ଚ ନାଟକ, ଧାରାବାହିକ, ଚଳଚ୍ଚିତ୍ର ସହ ହିନ୍ଦୀ ଚଳଚ୍ଚିତ୍ର, ଧାରାବାହିକ, ଏପରିକି ଇଂରାଜୀ ଚଳଚ୍ଚିତ୍ରରେ ନିଖୁଣ ଅଭିନୟ ତାଙ୍କୁ ଦେଇଥିଲା ସ୍ୱତନ୍ତ୍ର ପରିଚୟ । ଗରୀବ ପରିବାରରେ ଅଭାବ ଅନଟନ ଭିତରେ ମଧ୍ୟ କଳା ପ୍ରତି ସେ ଜୀବନକୁ ସମର୍ପି ଦେଇଥିଲେ । ଜଣେ ଭଲ କଳାକାର ଭାବେ ନିଜକୁ ଗଢ଼ି ତୋଳିବାକୁ ନୂଆଦିଲ୍ଲୀ ସ୍ଥିତ ଜାତୀୟ ନାଟ୍ୟ ବିଦ୍ୟାଳୟ (ଏନ୍ଏସ୍ଡି)ରେ ପଢ଼ିଥିଲେ । ୧୯୮୩ ମସିହାରେ ଏନ୍ଏସ୍ଡିରୁ ପାସ୍ କରିବା ପରେ ଅଭିନୟ ଜଗତରେ ପାଦ ରଖିଥିଲେ ।