ଭୁବନେଶ୍ବର:ପାଣ୍ଡିଆନଙ୍କୁ Z ସିକ୍ୟୁରିଟି ଦିଆଯିବା ଘଟଣାକୁ ବିଜେପିର ବିରୋଧ । ମୁଖ୍ୟ ନିର୍ବାଚନରେ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେପି । "କେଉଁ ଆଧାରରେ ପାଣ୍ଡିଆନଙ୍କୁ ଦିଆଯାଇଛି Z କାଟେଗୋରୀ ସୁରକ୍ଷା ? ନେତା ଗିରି କରୁଥିବା ପାଣ୍ଡିଆନଙ୍କର ଲୋକଙ୍କୁ ଏତେ ଭୟ କାହିଁକି ? " ବୋଲି ପ୍ରଶ୍ନ କରିଛି ବିଜେପି । ରାଜ୍ୟ ବିଜେପି ପୂର୍ବତନ ସଭାପତି ସମୀର ମହାନ୍ତି କହିଛନ୍ତି, "କୌଣସି ସାମ୍ବିଧାନିକ ପଦ ପଦବୀରେ ନାହାନ୍ତି ପାଣ୍ଡିଆନ । ଏପରିକି ବିଜେଡିରେ ମଧ୍ୟ କିଛି ପଦବୀରେ ନାହାନ୍ତି । ବିଜୁ ଜନତା ଦଳର ଜଣେ ସାଧାରଣ ସଦସ୍ୟ ପାଣ୍ଡିଆନ । ତେଣୁ ମୁଖ୍ୟ ଶାସନ ସଚିବ ଏବଂ ଗୃହ ସଚିବ କେମିତି ପାଣ୍ଡିଆନଙ୍କୁ Z କାଟେଗୋରୀ ସିକ୍ୟୁରିଟି ଦେଇଛନ୍ତି?" ବୋଲି ପ୍ରଶ୍ନ କଲା ବିଜେପି ।
"ମୁଖ୍ୟ ଶାସନ ସଚିବ କ'ଣ କରୁଛନ୍ତି ? ଅଛନ୍ତି ନା ନାହିଁ ରାଜ୍ୟରେ ଜଣାପଡୁନାହିଁ । ନିର୍ବାଚନ ସମୟରେ ପାଣ୍ଡିଆନଙ୍କ ପାଇଁ ପ୍ରଶାସନ ହେଲିପ୍ୟାଡ ମଧ୍ୟ ତିଆରି କରୁଛି । ଏହାଦ୍ବାରା ନିର୍ବାଚନ ଆଦର୍ଶ ଆଚରଣ ବିଧିର ଖୋଲା ଉଲ୍ଲଘଂନ କରାଯାଉଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ଅନ୍ତର୍ଗତ ଶେରଗଡ଼ ଥାନାର ଏଏସଆଇ କୃଷ୍ଣ ଚନ୍ଦ୍ର ଦାସ ବିଜେଡି ପ୍ରତି ଅତ୍ୟଧିକ ଆନୁଗତ୍ୟ ପ୍ରକାଶ କରୁଛନ୍ତି । ଅନ୍ୟ ଦଳକୁ ଭୋଟ ଦେଲେ ପ୍ରଦୀପ ପାଣିଗ୍ରାହୀଙ୍କ ଭଳି ମିଛ କେସ ଏବଂ ମର୍ଡର କେସ ଦେଇ ହାଜତରେ ପୁରାଇ ଦିଆଯିବ ବୋଲି ଲୋକଙ୍କୁ ଧମକ ଦେଉଛନ୍ତି ଏଏସଆଇ କୃଷ୍ଣ ଚନ୍ଦ୍ର ଦାସ । ଏହି ଏଏସଆଇଙ୍କ ବିରୁଦ୍ଧରେ ସ୍ଥାନୀୟ ସରପଞ୍ଚ ଓ ଜିଲ୍ଲା ପରିଷଦମାନେ ଅଭିଯୋଗ ମଧ୍ୟ କରିଛନ୍ତି । ତଥାପି ତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ" ଏମିତି 5ଟି ଅଭିଯୋଗ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛି ବିଜେପି ପ୍ରତିନିଧି ଦଳ ।