ଭୁବନେଶ୍ୱର:ପୁଣି ଲେଉଟିଛି ଓଲିଉଡ ବିବାଦ । ଦିନକୁ ଦିନ ଆରୋପ ପ୍ରତ୍ୟାରୋପ ତୀବ୍ର ହେଉଥିବା ବେଳେ ବର୍ତ୍ତମାନ ସାଇବର ଥାନାରେ ପହଁଚିଲାଣି ଓଲିଓଡ କଳି । ଓଡ଼ିଆ ସିନେ ନିର୍ଦ୍ଦେଶକ ସଂଘ ଓଲିଉଡ ଅଭିନେତା ମନୋଜ ମିଶ୍ରଙ୍କ ନାଁରେ ସାଇବର ଥାନାରେ ଏତଲା ଦେବା ପରେ ପ୍ରତିକ୍ରିୟା ରଖିଛନ୍ତି ମନୋଜ । ସେପଟେ ମନୋଜ ମିଶ୍ରଙ୍କ କାଉଣ୍ଟର ପରେ ଜବାବ ରଖିଛନ୍ତି ବରିଷ୍ଠ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ।
MANOJ MISHRA REACTS ON FIR CASE (ETV Bharat Odisha) ମନୋଜ ମିଶ୍ରଙ୍କ ପ୍ରତିକ୍ରିୟା
ଭୁବନେଶ୍ୱର କ୍ଲବରେ ଏକ ପ୍ରେସମିଟ ଜରିଆରେ ପ୍ରତିକ୍ରିୟା ଦେଇଛନ୍ତି ମନୋଜ ମିଶ୍ର । ସେ କହିଛନ୍ତି, ''କୌଣସି ନିର୍ଦ୍ଦେଶକ ମୋର ଶତ୍ରୁ ନୁହନ୍ତି କି ଓଡ଼ିଆ ସିନେମା ଶିଳ୍ପ ମୋ ବାପାର ନୁହେଁ, ଯିଏ ବି ଓଡ଼ିଶା ସିନେମାର ଶତ୍ରୁ ସେ ମୋର ଶତ୍ରୁ । ତେଣୁ ମୁ ସିନେମାକୁ ନେଇ କହିବି । ଯେ ପର୍ଯ୍ୟନ୍ତ ଭଲ, ଅପଡେଟ ଓ ଟେକ୍ନିକାଲ ସାଉଣ୍ଡ ସିନେମା ନ ହୋଇଛି ଓଡ଼ିଆ ଚଳଚିତ୍ର ଉପରେ ନିର୍ଭର ଲୋକଙ୍କୁ ଟଙ୍କା ନ ମିଳିଛି ମୁଁ ସେ ପର୍ଯ୍ୟନ୍ତ ମୁ ଏମିତି କହିବି । ମୁଁ ମୋ ଭବିଷ୍ୟତ ପିଢ଼ି ପାଇଁ କହୁଛି ସେମାନେ ଯେଭଳି ଆମ ପରି ଅବସ୍ଥା ନ ଭୋଗନ୍ତୁ କି ଆମ ପୂର୍ବ ପିଢ଼ିକୁ ଗାଳି ନ ଦିଅନ୍ତୁ । ସିନେମା ଏକ ବ୍ୟବସାୟ ତାର ଉନ୍ନତି ହେବ ଦରକାର କିନ୍ତୁ ତାହା ଏବେ ହେଉନାହିଁ । କାରଣ ପ୍ରଯୋଜକ ଏଠି କ୍ଷତି ସହୁଛି ରୋଗଗ୍ରସ୍ତ ହୋଇ ନିର୍ମାଣାରୁ ବିମୁଖ ହେଉଛି ଆଉ ଟେକନିସିଆନ ଓ ଜଣେ ତଳିଆ କର୍ମଚାରୀ ତାଙ୍କ ପାଉନାହିଁ । ଏଥିପାଇଁ ଦାୟୀ କେବଳ କିଛି ନିର୍ଦ୍ଦେଶକ । ଚଳଚିତ୍ର ହେଉଛି ଓଡ଼ିଆ ଅସ୍ମିତା ଯାହା ଆମ ସଂସ୍କୃତି ଆମ ପାରାଗ୍ରାଫ ଓ ପରିଚୟ କୁ ବିଶ୍ୱରେ ପହଞ୍ଚାଇବାର ମାଧ୍ୟମ । ତେଣୁ ଫିଲ୍ମକୁ ଯୋଗପୋଯୋଗୀ କରିବା ସହ ଭବିଷ୍ୟତ ପିଢ଼ିକୁ କାମ ମିଳୁ ଓ ଲୋକଙ୍କୁ ସୁହାଇଲା ପରି ବ୍ୟବସାୟିକ ସିନେମା ହେଉ ।''
ସେ ଆହୁରି କହିଛନ୍ତି, ''ମୁଁ କେବେ ବି ସବୁ ନିର୍ଦ୍ଦେଶକ ଖରାପ ବୋଲି କହିନାହିଁ, କିଛି ନିର୍ଦେଶକ ବୋଲି କହିଛି । ଯେଉଁ ଵିଜ୍ଞ ନିର୍ଦେଶକମାନେ ମୋ ନାଁରେ ମାମଲା ଦେଇଛନ୍ତି ସେମାନଙ୍କୁ ଭଲ ନିର୍ଦେଶକ ବୋଲି ମାନେନାହିଁ। ବଡ କଥା ହେଉଛି ସିନେମା ରିଲିଜ ଦିନ ମୁଁ କିଛି କୁହେ ନାହିଁ ଫିଲ୍ମ ଦେଖିସାରିବା ପରେ ସିନେମାର ତର୍ଜମାକୁ ନେଇ କୁହେ । ସେ ଭଲ ହେଉ ଅବା ଖରାପ । ଏଥିରେ ଆପତ୍ତିଜନକ କଥା ଉଠିଲା କୋଉଠୁ ବୋଲି ପ୍ରଶ୍ନ କରିଛନ୍ତି । ଫିଲ୍ମକୁ ନେଇ ରିଭ୍ୟୁ ଦେବା ମୋର ଅଧିକାର ରହିଛି । ମୁଁ ଭଲ ଫିଲ୍ମକୁ ଯେତିକି ପ୍ରମୋଟ କରିଛି ମୋତେ ଲାଗୁନି କୌଣସି ନିର୍ଦ୍ଦେଶକ କିମ୍ୱା ନିର୍ମାତା କେହି କରିଥିବେ । ଯଦି କେହି କରିଛନ୍ତି କୁହନ୍ତୁ ମୁଁ ଆଜିଠୁ ସିନେମାରେ କାମ କରିବା ଛାଡିଦେବି । ବର୍ତ୍ତମାନ ପିଢ଼ିଙ୍କୁ ଆକୃଷ୍ଟ କରି ସିନେମା ବନେଇବା ପାଇଁ କୁହେ । ଯାହା ବ୍ୟବସାୟିକ ଓ କଳାତ୍ମକ ଦୃଷ୍ଟିରୁ ଭଲ ହୋଇଥିବ ସୁପରହିଟ ନ ହୋଇଥିଲେ ବି ଚାଲିବ । ତେବେ ଯାଇ ସେ ଶିଳ୍ପ ସହ ଜଡିତ ଲୋକଙ୍କୁ ରୋଜଗାର ଦେଇପାରିବ।''
ଓଡ଼ିଆ ଅସ୍ମିତା ଉପରେ ରଖିଲେ ପ୍ରତିକ୍ରିୟା
ଓଡ଼ିଆ ଅସ୍ମିତା ଓ ଫିଲ୍ମ ଉପରେ ସବସିଡି ନେଇ ମନୋଜ ମିଶ୍ର କହିଛନ୍ତି, ''ଭଲ ସିନେମା କରିବା ଦାୟିତ୍ୱ ନିର୍ଦ୍ଦେଶକଙ୍କର ହୋଇଥିବା ବେଳେ ଏମାନେ ସିନେମା ଶିଳ୍ପକୁ କଳୁଷିତ କରୁଛନ୍ତି । ଯାହାଦ୍ୱାରା ୧୦ ବର୍ଷ ଭିତରେ ଶିଳ୍ପ ବିକାଶ ଦିଗରେ ନିମ୍ନଗାମୀ ହେଉଛି । ଓଡ଼ିଆ ଅସ୍ମିତା କଥା କହୁଛନ୍ତି ଏହାକୁ କଣ ସେମାନେ ଜାଣିନାହନ୍ତି ରାଣ୍ଡି ପୁଅ ଅନନ୍ତା.. କଣ୍ଟେଣ୍ଟ ଲେଖୁଛନ୍ତି । ଅପଡେଟ ନ ହୋଇ ଏଭଳି ସିନେମା କରି ନାରୀଙ୍କୁ ଅସମ୍ମାନ କରୁଛନ୍ତି ତେଣୁ ଏମାନଙ୍କୁ ଅସ୍ମିତା କେତେ ଜଣା ଆପଣ ଜାଣିଥିବେ । ସବସିଡି କଥା କହୁଛନ୍ତି ଫିଲ୍ମ ପରେ ପୂର୍ବରୁ ନୁହେଁ ଏପରିକି ବ୍ୟକ୍ତିଗତ ସିନେମା କୁ ନେଇ କେବଳ ଏଠି ଲବି ହେଉଛି ବୋଲି ଅଭିଯୋଗ କରିଛନ୍ତି । ବହୁତ ଭଲ ସିନେମା ସରକାରଙ୍କ ପାଖରେ ପହଞ୍ଚିପାରୁନି । ତେଣୁ ସମୂହ ସ୍ୱାର୍ଥକୁ ନେଇ ୨୫ ଲକ୍ଷର ସବ୍ସିଡି ସମସ୍ତଙ୍କୁ ମିଳୁ । ଏଥିପାଇଁ ସ୍କ୍ରିପ୍ଟ କମିଟି ବସୁ, ଅପଡେଟ କଣ୍ଟେଣ୍ଟ କୁ ସବସିଡି ମିଳୁ। ସବୁ ପ୍ରାଇମି ଟାଇମରେ ଓଡ଼ିଆ ସିନେମା ଆସୁ । ଅତିବେଶୀରେ ଓଡ଼ିଆ ସିନେମା ୪ ସପ୍ତାହ ରହୁ ।''
ଏହା ମଧ୍ୟ ପଢନ୍ତୁ:ଅଭିନେତା ମନୋଜ ମିଶ୍ରଙ୍କ ନାଁରେ ସାଇବର ଥାନାରେ ଏତଲା
ମନୋଜ ମିଶ୍ରଙ୍କ ପ୍ରତିକ୍ରୟା ପରେ ଏମିତି କହିଲେ ସବ୍ୟସାଚୀ ମହାପାତ୍ର
ସେପଟେ ମନୋଜ ମିଶ୍ରଙ୍କ ପ୍ରତିକ୍ରିୟାକୁ ନେଇ ବରିଷ୍ଠ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ରକହିଛନ୍ତି, ''ସମସ୍ତଙ୍କ ସିନେମାରେ ସମାଲୋଚନା କରି କହିବାଟା ଏକ ଅଭ୍ୟାସଗତ ହୋଇଗଲାଣି । ସେ ଓଡ଼ିଆ ସିନେମାର କର୍ଣ୍ଣଧାର ନୁହନ୍ତି । ସେ ଜଣେ ଭଲ ଅଭିନେତା ସେ ଉପରକୁ ଉଠାନ୍ତୁ କିନ୍ତୁ ଅନ୍ୟକୁ ଆକ୍ଷେପ ନ କରି ତାଙ୍କ ଭେଟି ସିଧା କଥା ହୁଅନ୍ତୁ ସୋସିଆଲ ମିଡିଆରେ ନୁହେ । ସେ ଜଣେ ଓଡ଼ିଆ କଳାକାର, ନିଜ ଶିଳ୍ପର ବଦନାମ ନକରନ୍ତୁ । ଆଉ ଭାଷାର ପରିସର ରହି କୁହନ୍ତୁ । ଆଗକୁ ସମସ୍ତେ ମିଶି ଆପୋଷ ଆଲୋଚନା କରି ସିନେମା ଶିଳ୍ପର ବିକାଶ ପାଇଁ କାମ କରନ୍ତୁ ବୋଲି ନିର୍ଦ୍ଦେଶକ ପ୍ରଯୋଜକଙ୍କୁ କହିଥିବା ବେଳ ଏହି ଦିଗରେ ଆଗେଇ ଆସିବାକୁ ମନୋଜ ମିଶ୍ରଙ୍କୁ ବି ଆହ୍ୱାନ ଦେଇଛନ୍ତି। ତେଣୁ ମନୋଜ ମିଶ୍ରଙ୍କୁ ଅନୁରୋଧ କରି କହିଛନ୍ତି ଯେ ସବ୍ୟସାଚୀ ମହାପାତ୍ର ଏ ସବୁରୁ ଦୂରେଇ ରୁହନ୍ତୁ, ଯାହାଦ୍ୱାରା ସକାରାତ୍ମକ ବାତାବରଣ ସୃଷ୍ଟି ହେଉ ।''
ସମସ୍ତଙ୍କୁ ସମର୍ଥନ କରିବା ଦରକାର: ସବ୍ୟସାଚୀ ମହାପାତ୍ର
ସେ ଆହୁରି କହିଛନ୍ତି, ''ନୂଆ ନିର୍ଦ୍ଦେଶକଙ୍କୁ ସପୋର୍ଟ କରିବା ଦରକାର । ସ୍ୱଜାତି ଦ୍ରୋହ କଥା ନ ହୁଅନ୍ତୁ ମନୋଜ । କେଉଁ ଫିଲ୍ମ ଚାଲିବ ନଚାଲିବ ତାହା କେହି ଜାଣିନାହାନ୍ତି ଏଣୁ ଜଣକ ପାଇଁ ସମସ୍ତଙ୍କୁ ଦାୟୀ କରିବା କେତେଦୂର ଠିକ୍। ମୋ ବିରୁଦ୍ଧରେ ଯଦି ସେ କିଛି କହୁଛନ୍ତି ମୋର ଆପତ୍ତି ନାହିଁ, ସେ କାହାକୁ ସାର୍ଟିଫିକେଟ ଦେବା ଦରକାର ନାହିଁ । ସବୁ କଥାର ଶାଳୀନତା ଥାଏ, ମନୋଜ ମିଶ୍ର ଶାଳୀନତା ରଖି କୁହନ୍ତୁ । ଆଉ ଓଡ଼ିଆର ଲେଖାର ମୂଳ ତତ୍ଵକୁ ନେଇ ପ୍ରଶ୍ନ ନ ଉଠାନ୍ତୁ କାରଣ ତାହା ଆମର ପରିଚୟ ।''
ଇଟିଭି ଭାରତ, ଭୁବନେଶ୍ୱର