ଓଡିଶା

odisha

ETV Bharat / entertainment

କପି ହେଉଛି ଓଡ଼ିଆ ଫିଲ୍ମ ! ମୁହଁ ଖୋଲିଲେ ଏଲିନା, ସମାଲୋଚକଙ୍କୁ ଦେଲେ ଏମିିତି ଜବାବ - ELINA SAMANTARAY ON OLLYWOOD FILMS

ଓଡ଼ିଆ ଫିଲ୍ମ ଡବିଂ ବା କପି ଅଭିଯୋଗର ଜବାବ ରଖିଛନ୍ତି ଓଲିଉଡ ଅଭିନେତ୍ରୀ ଏଲିନା ସାମନ୍ତରାୟ । ସେ କ'ଣ କହିଛନ୍ତି ? ଜାଣନ୍ତୁ,

Elina Samantaray On Odia Film
Elina Samantaray On Odia Film (ETV Bharat Odisha)

By ETV Bharat Entertainment Team

Published : Nov 6, 2024, 1:53 PM IST

ହାଇଦ୍ରାବାଦ:ବିଗତ କିଛି ବର୍ଷ ହେବ ଓଡ଼ିଆ ଫିଲ୍ମ ପ୍ରତି ଲୋକଙ୍କ ଆଗ୍ରହ କମିଗଲାଣି । କପି ଫିଲ୍ମ ତଥା ତେଲୁଗୁ, ତାମିଲ ଡବିଂ ଯୋଗୁଁ ଓଡ଼ିଆ ସିନେ ଇଣ୍ଡଷ୍ଟ୍ରି ପ୍ରତି ଦର୍ଶକ ମୁହଁ ଫେରୋଇନେଲେଣି । ସେପଟେ ସ୍ୱଳ୍ପ ବଜେଟ, ରାଜ୍ୟରେ ସିନେମା ହଲ୍ ଏବଂ ଷ୍ଟୁଡିଓର ଅଭାବ ପାଇଁ ନିର୍ମାତା ମାନେ କପି ବା ଡବିଂ ଫିଲ୍ମ କରୁଥିବା ବାଧ୍ୟ ହେଉଥିବା ଇଣ୍ଡଷ୍ଟ୍ରି ପ୍ରତିକ୍ରିୟା ଦେଉଛି । ଯାହା ଫଳରେ ଓଡ଼ିଆ ଫିଲ୍ମ ଭଲ ନୁହଁ ଭଳି ଅନେକ ବାଦ ବିବାଦ ଲାଗି ରହୁଥିବା ଦେଖିବାକୁ ମିଳୁଛି । ଏପରି ସମୟରେ ବର୍ତ୍ତମାନ ଓଡ଼ିଆ ଫିଲ୍ମ ଡବିଂ ଉପରେ ନିକଟରେ ଏକ ସାକ୍ଷାତକାରରେ ପ୍ରତିକ୍ରିୟା ଦେଇଛନ୍ତି ଓଲିଉଡ ଅଭିନେତ୍ରୀ ଏଲିନା ସାମନ୍ତରାୟ ।

ଓଡ଼ିଆ ଫିଲ୍ମ କପି ହେଉଛି କି?

ସାକ୍ଷାତକାରରେ ଏଲିନା ସାମନ୍ତରାୟଙ୍କୁ ଯେତେବେଳେ ଓଡ଼ିଆ ଫିଲ୍ମ ଲୋକେ କାହିଁକି ପସନ୍ଦ କରୁନାହାନ୍ତି । ଓଡ଼ିଆ ଫିଲ୍ମ କପି କରି ପ୍ରସ୍ତୁତ କରାଯାଉଥିବା ଚର୍ଚ୍ଚା ହେଉଛି ଏହା କେତେ ସତ ? ଏନେଇ ଏଲିନା କହିଛନ୍ତି, ''ଲୋକେ କହିବା କଥା ନୁହଁ କି ଓଡ଼ିଆ ସିନେମା ଭଲ ନୁହେଁ । ଓଡ଼ିଆ ଫିଲ୍ମ ଟଙ୍କା କମାଉନି । ଆପଣ ଦେଖୁନାହାନ୍ତି । ଆମେ ଆମର ଭଲ ଚେଷ୍ଟା କରିଛୁ । ଆପଣ କପି କପି କହୁଥିଲେ । କିନ୍ତୁ ଏବେ ଆଉ କପି ହେଉନି । ସମସ୍ତେ ନିଜେ ଚେଷ୍ଟ ଏବଂ ପରିଶ୍ରମ କରୁଛନ୍ତି । ଭଲ ସିନେମା କରୁଛନ୍ତି । ଏବେ ମାର୍କେଟରେ ପ୍ରତିଯୋଗୀତା ଚାଲୁଥିବା ବେଳେ ସମସ୍ତେ ନିଜେ ପରିଶ୍ରମ କରୁଛନ୍ତି । ଭଲ ସିନେମା କରିବାକୁ ଚେଷ୍ଟା କରୁଛନ୍ତି । ଏବେ କପି ସିନେମା ବନ୍ଦ ହୋଇଯାଇଛି । ତଥାପି ଲୋକେ ଫିଲ୍ମ ଦେଖୁନାହାନ୍ତି । କିନ୍ତୁ 'ପାବାର'କୁ ଲୋକେ ଦେଖିଥିଲେ । ଏହା ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ବହୁତ ଭଲ କଥା ।''

'ଲୋକେ ଆଉ ହିରୋ ଓ ହିରୋଇନ୍ ପାଇଁ ସିନେମା ଦେଖୁନାହାନ୍ତି'; ଏଲିନା

ଫିଲ୍ମର କ୍ୟାଲିଟି ଏବେ Improve ହୋଇଛି । ଏହା ବଡ଼ କଥା । ଆଜିକାଲି ଲୋକେ ହିରୋ କିମ୍ୱା ହିରୋଇନ ପାଇଁ ସିନେମା ଦେଖୁନାହାନ୍ତି । ହିରୋ ହିରୋଇନ ପାଇଁ ଆଉ ସିନେମା ନାହିଁ । ନହେଲେ 'ପ୍ରତୀକ୍ଷା' ଭଳି ଫିଲ୍ମ ଜାତୀୟ ପୁରସ୍କାର ପାଇନଥାନ୍ତା । କିମ୍ୱା 'ଦମନ' ଭଳି ଫିଲ୍ମ ମଧ୍ୟ ଜାତୀୟ ପୁରସ୍କାର ପାଇନଥାନ୍ତା । ହେଲେ ଫିଲ୍ମରେ ବାବୁସାନ ଭଳି ସୁପରଷ୍ଟାର ପାଇଁ ଫିଲ୍ମ ଏହି ପୁରସ୍କାର ହାତେଇଲା ତାହା ନୁହେଁ । ଫିଲ୍ମର କାହାଣୀ ଲୋକଙ୍କ ମନକୁ ଛୁଇଁଛି । ତେଣୁ ତାହା ଏହି ସ୍ତରରେ ପହଞ୍ଚିପାରିଲା ।

ଏହା ମଧ୍ୟ ପଢନ୍ତୁ:8 ବର୍ଷ ପରେ ପୁଣି ପରଦାରେ କମାଲ କରିବେ ବାବୁସାନ-ଏଲିନା ଯୋଡି, ଇଟିଭି ଭାରତ ସହ ସ୍ବତନ୍ତ୍ର ସାକ୍ଷାତକାର

ଫ୍ୟାନ୍ସଙ୍କ ପ୍ରତିକ୍ରିୟା

ଏଲିନା ସାମନ୍ତରାୟଙ୍କ ଏହି ଭିଡିଓ ସାମ୍ନାକୁ ଆସିବା ପରେ ଫ୍ୟାନ୍ସଙ୍କ ମିଶ୍ରିତ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଏନେଇ ଅନେକ ସେଲିବ୍ରିଟି ମଧ୍ୟ ଏଲିନାଙ୍କୁ ସମର୍ଥନ କରିଛନ୍ତି । ଜମେ ଫ୍ୟାନ୍ସ କହିଛନ୍ତି, ଓଡ଼ିଆରେ ଠିକ୍ ସେ କହିବା ଶିଖିଲେ ଲୋକ ଦେଖିବେ । ଏମିତି ଅଧା ଓଡ଼ିଆ ଅଧା ଇଂରାଜି କହିଲେ କିଛି ଫଳପ୍ରଦ ହେବନାହିଁ । ଆଉ ଜଣେ କହିଛନ୍ତି, ବାସ୍ତବରେ ସିନେମାଟୋଗ୍ରାଫିର ସ୍ତର ବର୍ତ୍ତମାନ ଦିନକୁ ବୃଦ୍ଧି ପାଇଛି । ଓଲିଉଡ୍ ଇଣ୍ଡଷ୍ଟ୍ରି ସେହି ମାନଦଣ୍ଡକୁ ପୂରଣ କରିପାରିବ କି । ଆଜି ସିନେମା ଏବଂ ୱେବ୍ ସିରିଜରେ ଆହୁରି ଅନେକ ବିକଳ୍ପ ଅଛି । ଆଜିର ସ୍ତରକୁ ଦେଖିଲେ ଓଲିଉଡ 20 ବର୍ଷ ପଛରେ ଅଛି । ଏହା କହିବାକୁ ଦୁଃଖ ଲାଗୁଛି । ଆଉ କେତେକ କହିଛନ୍ତି, ଆପଣ ଠିକ କହିଛନ୍ତି । ଆଉ ଜଣେ ଲେଖିଛନ୍ତି, ଆପଣ ଠିକ କହିଲେ । ଏବେ ଇଣ୍ଡଷ୍ଟ୍ରି ବଦଳିଛି । ଦମନ, ମାଲ୍ୟାଗିରି ଏହିପରି ଅନେକ ଫିଲ୍ମ ପ୍ରକୃତରେ ପ୍ରଶଂସିତ ।

ଏହା ମଧ୍ୟ ପଢନ୍ତୁ:'ଦମନ'କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ଭାବ ବିହ୍ୱଳ ହେଲେ ବାବୁସାନ, କହିଲେ ମୁଁ ନୁହେଁ...

ସୂଚନା ଥାଉ କି, 'ପ୍ରତୀକ୍ଷା ଏବଂ ଦମନ' ଭଳି ଓଡ଼ିଆ ଫିଲ୍ମ ନିକଟରେ ଜାତୀୟ ପୁରସ୍କାର ହାତେଇଛି । ୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର କାର୍ଯ୍ୟକ୍ରମରେ ଶ୍ରେଷ୍ଠ ଫିଚର ଫିଲ୍ମ ଭାବେ ପୁରସ୍କାର ହାତେଇଥିଲା ପ୍ରତୀକ୍ଷ । ଯାହା ୨୦୨୨ ମସିହା ଡିସେମ୍ବର ୨ରେ ମୁକ୍ତିଲାଭ କରିଥିଲା । ସେହିପରି 'ଦମନ' ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ 70ତମ ଜାତୀୟ ପୁରସ୍କାର ହାତେଇଥିଲା । ଯାହା ନଭେମ୍ୱର 4, 2022ରେ ରିଲିଜ ହୋଇଥିଲା । ଉଭୟ ଫିଲ୍ମ ଏହି ସଫଳତା ସହ ଓଲିଉଡ ଇଣ୍ଡଷ୍ଟ୍ରି ପାଇଁ ଏକ ଆଶାର କିରଣ ସାଜିଛନ୍ତି ।

ଏହା ମଧ୍ୟ ପଢନ୍ତୁ:ଫ୍ୟାନ୍ସକୁ ଦିୱାନା କଲା ଏଲିନାଙ୍କ ସ୍କାଏ ବ୍ଲୁ ଏବଂ ଅରେଞ୍ଜ ଆଉଟଫିଟ ଲୁକ୍

ଏଲିନା ସାମନ୍ତରାୟଙ୍କ ୱାର୍କପ୍ରଣ୍ଟ ବିଷୟରେ କହିବାକୁ ଗଲେ, ଏଲିନା ସାମନ୍ତରାୟ 'କିଏ ହେବ ମୋ ହିରୋଇନ' ପ୍ରତିଯୋଗୀତାରେ ଭାଗ ନେଇ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ । ଏହି ଶୋ'ରେ ସେ ବିଜେତା ହୋଇଥିଲେ । ଯାହା ପରେ ସେ 'ଇସ୍କ ତୁ ହି ତୁ' ଫିଲ୍ମରୁ ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ । ଏହା ପରେ ସେ କେହି ନୁହେଁ କାହାର, ଜଗା ହାତରେ ପଘା, ଲଭ ଷ୍ଟେସନ. ଅଭୟ, ଟୋକାଟା ଫସିଗଲା ଭଳି ଅନେକ ଫିଲ୍ମରେ କାମ କରିଛନ୍ତି । ଶେଷଥର ତାଙ୍କୁ ବାବୁସାନଙ୍କ ସହ ଫିଲ୍ମ 'ପାବାର' ରେ ଦେଖିବାକୁ ମିଳିଥିଲା । ଯାହା ଚଳିତ ବର୍ଷ ରଜରେ ରିଲିଜ ହୋଇଥିଲା ।

ଓଡ଼ିଆ ଫିଲ୍ମ ଡବିଂ ନେଇ ମୁହଁ ଖୋଲିଲେ ଏଲିନା, ସମାଲୋଚକଙ୍କୁ ଦେଲେ ଏମିିତି ଜବାବ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details