ଭୁବନେଶ୍ବର: ଆସନ୍ତା ୧୫ ତାରିଖରେ ମୁକ୍ତିଲାଭ କରିବ ଓଡ଼ିଆ ଚଳଚ୍ଚିତ୍ର ଯାଯାବର ୨.୦ । ପ୍ରିମିୟମ୍ ଓଟିଟି ପ୍ଲାଟଫର୍ମ 'ଆଓ ନେକ୍ସଟ୍' ଦ୍ୱାରା ପ୍ରଯୋଜିତ ଏହି ଚଳଚ୍ଚିତ୍ର । ଏନେଇ ଭୁବନେଶ୍ୱରସ୍ଥିତ ଏକ ତାରକା ହୋଟେଲରେ ଏକ ସାମ୍ବାଦିକ ସମ୍ମିଳନୀରେ 'ଆଓ ନେକ୍ସଟ୍'ର ପ୍ରତିଷ୍ଠାତା କୌଶିକ ଦାସ ଚଳଚ୍ଚିତ୍ରର ଶୁଭମୁକ୍ତି ତାରିଖ ଘୋଷଣା କରିଥିଲେ । ରବିବାର ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏନେଇ 'ଆଓ ନେକ୍ସଟ୍'ର ପ୍ରତିଷ୍ଠାତା କୌଶିକ ଦାସ ସୂଚନା ଦେଇଛନ୍ତି ।
କୌଶିକ ଦାସ ଏବଂ ରାମ ପଟ୍ଟନାୟକଙ୍କ ପ୍ରଯୋଜିତ ଯାଯାବର ୨.୦ ରେ ପ୍ରସନ୍ନଜିତ ମହାପାତ୍ର, ଦେବେଶ ରଞ୍ଜନ, ସୋନାଲି ଶର୍ମିଷ୍ଠା, ବିଏମ୍ ବୈଶାଳୀ, ଚୌଧୁରୀ ବିକାଶ ଦାସ, ଶ୍ଵେତା ଆଚାର୍ଯ୍ୟ, ମାନସ ରଞ୍ଜନ ମୁଦୁଲି ପ୍ରମୁଖ ଅଭିନୟ କରିଛନ୍ତି । ଅଭିଷେକ ଦାସଙ୍କ ଦ୍ୱାରା ଲିଖିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅଭିଷେକ ସ୍ୱାଇଁ । ପୁରୁଣା ଚଳଚ୍ଚିତ୍ରର ସଂଗୀତ ଯାଯାବରର କେତୋଟି ଦୃଶ୍ୟ ଏହି ସିନେମାରେ ଦେଖିବାକୁ ମିଳିଥିବାବେଳେ ୯୦ ଦଶକର ଅନେକ ଝଲକ ମଧ୍ୟ ଏଥିରେ ଦେଖିବାକୁ ମିଳିବ ବୋଲି କହିଛି ପ୍ରଯୋଜନା ସଂସ୍ଥା । ଶ୍ରୀରାମ ପଣ୍ଡାଙ୍କ ଏକ ବଡ ପ୍ରଶଂସକଙ୍କ ଉପରେ କାହାଣୀଟି ଗତିଶୀଳ । ଏହି ସିନେମାଟି ହଲରେ ମୁକ୍ତିଲାଭ କରିବା ପରେ ସମସ୍ତେ ଶ୍ରୀରାମ ପଣ୍ଡାଙ୍କୁ ମନେ ପକାଇବେ ବୋଲି କହିଛି ପ୍ରଯୋଜନା ସଂସ୍ଥା । ଯାଯାବର ୨.୦ ର ପ୍ରଚାର ପ୍ରସାର ଦାୟିତ୍ୱରେ ମିଡ଼ିଆ ପ୍ଲାନର କ୍ରିଏଟିଭ ହେଡ୍ ପ୍ରଣୟ ଜେଠୀ ଅଛନ୍ତି ।