ହାଇଦ୍ରାବାଦ:ପ୍ରସିଦ୍ଧ ହାସ୍ୟ ଅଭିନେତା କପିଲ ଶର୍ମା ଏବଂ ବଲିଉଡ ଅଭିନେତା ରାଜପାଲ ଯାଦବ, କୋରିଓଗ୍ରାଫର ରେମୋ ଡିସୁଜା ଏବଂ ହାସ୍ୟ ଅଭିନେତ୍ରୀ ସୁଗନ୍ଧା ମିଶ୍ରଙ୍କୁ ହତ୍ୟା ଧମକ ଦିଆଯାଇଛି । ଏହି କଳାକାରମାନଙ୍କୁ ଏକ ଇମେଲ୍ ମାଧ୍ୟମରେ ହତ୍ୟା ଧମକ ମିଳିଛି । ବିଷ୍ଣୁ ନାମକ ଜଣେ ବ୍ୟକ୍ତି ରାଜପାଲ ଯାଦବଙ୍କ ଇମେଲ୍ ଆକାଉଣ୍ଟକୁ ଏକ ଧମକପୂର୍ଣ୍ଣ ମେଲ୍ ପଠାଇଛନ୍ତି, ଯେଉଁଥିରେ ତାଙ୍କୁ, ତାଙ୍କ ପରିବାର, ତାଙ୍କ ସହଯୋଗୀଙ୍କୁ ହତ୍ୟା କରାଯିବ ବୋଲି ଚେତାବନୀ ଦିଆଯାଇଛି ।
4 ତାରକାଙ୍କୁ ହତ୍ୟା ଧମକ
ଡିସେମ୍ବର ୧୪, ୨୦୨୪ରେ ପଠାଯାଇଥିବା ଏହି ଇମେଲ୍ ଚିନ୍ତା ବଢ଼ାଇଛି। ଇମେଲଟି don99284@gmail.com ଇମେଲ ଠିକଣାରୁ ରାଜପାଲ ଯାଦବଙ୍କ ଦଳର ଇମେଲ ଆକାଉଣ୍ଟ teamrajpalyadav@gmail.com କୁ ପଠାଯାଇଥିଲା । ଏହା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି, ରାଜପାଲ ଯାଦବଙ୍କ ପତ୍ନୀ ରାଧା ରାଜପାଲ ଯାଦବ ମୁମ୍ବାଇର ଆମ୍ବୋଲି ପୋଲିସ ଷ୍ଟେସନରେ ଏକ ପୋଲିସ ଅଭିଯୋଗ ଦାଖଲ କରିଛନ୍ତି। ଆମ୍ବୋଲି ପୋଲିସ ଭାରତୀୟ ଦଣ୍ଡ ସଂହିତାର ଧାରା 351(3) ଅନୁଯାୟୀ ଏକ ମାମଲା ରୁଜୁ କରିଛି ।
ପାକିସ୍ତାନରୁ ଆସିଛି ଧମକପୂର୍ଣ୍ଣ ମେଲ୍
ସେପଟେ ଏହି ମାମଲାରେ ସୁଗନ୍ଧା ମିଶ୍ର ଏବଂ ରେମୋ ଡିସୁଜା ମଧ୍ୟ ସମାନ ପ୍ରସଙ୍ଗରେ ଅଭିଯୋଗ ଦାଖଲ କରିଛନ୍ତି । ପୋଲିସର କହିବା ଅନୁଯାୟୀ, ଧମକପୂର୍ଣ୍ଣ ଇମେଲ୍ ପାକିସ୍ତାନରୁ ପଠାଯାଇଥିଲା । ପୋଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଛି । ପୋଲିସ ଏପର୍ଯ୍ୟନ୍ତ ଦାୟୀ ବ୍ୟକ୍ତିଙ୍କୁ ଚିହ୍ନଟ କରିନାହିଁ ।