ହାଇଦ୍ରାବାଦ:ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ତାଙ୍କ ଆଗାମୀ ରାଜନାତିକ ଡ୍ରାମା ଫିଲ୍ମ 'ଏମରଜେନ୍ସି' ରିଲିଜ ପୂର୍ବରୁ ବିବାଦରେ ଛନ୍ଦି ହୋଇଛି । ଫିଲ୍ମର ଟ୍ରେଲର ରିଲିଜ ହେବା ପରଠାରୁ ଶିଖ ସମ୍ପ୍ରଦାୟ ବିରୋଧ କରି ଫିଲ୍ମ ବ୍ୟାନ କରିବାକୁ ଦାବି କରିଆସୁଛନ୍ତି। ବର୍ତ୍ତମାନ ଶିରୋମଣି ଗୁରୁଦ୍ୱାର ପରିଚାଳନା କମିଟି (SGPC) ଫିଲ୍ମର ନିର୍ମାତାଙ୍କୁ ଏକ ଆଇନଗତ ନୋଟିସ୍ ପଠାଇଛି। 'ଏମରଜେନ୍ସି' ଟ୍ରେଲରକୁ ହଟାଇବାକୁ SGPC ଦାବି କରିଛି । ସୂଚନା ଥାଉ କି, ଫିଲ୍ମର ଟ୍ରେଲର ଅଗଷ୍ଟ 14ରେ ରିଲିଜ ହୋଇଥିବା ବେଳେ ଏହା ପରେ ବିବାଦର ସମ୍ମୁଖୀନ ହୋଇଛି ଫିଲ୍ମ ।
କଙ୍ଗନା ରାଣାୱତଙ୍କୁ ଲିଗାଲ ନୋଟିସ୍
SGPC ସଚିବ ପ୍ରତାପ ସିଂ ଏହି ଚଳଚ୍ଚିତ୍ର ଉପରେ ଆପତ୍ତି ଉଠାଇଛନ୍ତି ଏବଂ ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ତଥା ସେନ୍ସର ବୋର୍ଡକୁ ଅନେକ ଅଭିଯୋଗ ପତ୍ର ପଠାଇଛନ୍ତି । ଶିଖଙ୍କ ଭାବନାକୁ ଆଘାତ ଦେଇଥିବା ନେଇ କଙ୍ଗନା ରାଣାୱତଙ୍କ ନାଁରେ ସଚିବ ଅଭିଯୋଗ କରିଛନ୍ତି । ସେ ଦାବି କରିଛନ୍ତି ଯେ ଏମରଜେନ୍ସିର ଟ୍ରେଲରରେ ଶିଖ ବିରୋଧୀ ଦୃଶ୍ୟରେ ପରିପୂର୍ଣ୍ଣ, ଯାହା ତାଙ୍କ ଭାବମୂର୍ତ୍ତିକୁ ଖରାପ କରୁଛି ।
ପୂର୍ବରୁ ଏହି ସଙ୍ଗଠନ କରିଥିଲେ ଦାବି
ଗତ ସପ୍ତାହରେ ସିଡିପିସି ଏବଂ ଅକଲ ତଖତ ଚଳଚ୍ଚିତ୍ର 'ଏମରଜେନ୍ସି' ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଥିଲେ। ଶିଖମାନଙ୍କୁ ହତ୍ୟାକାରୀ ଭାବରେ ଦର୍ଶାଉଥିବା ଟ୍ରେଲରକୁ ନେଇ ସିଡିପିସି ଏବଂ ଅକଲ ତଖତ ମଧ୍ୟ ବିରୋଧ କରିଥିଲେ। SGPC ସଭାପତି ହରଜିନ୍ଦର ସିଂ ଧାମି ଏକ ସାମ୍ବାଦିକ ସମ୍ମିଳନୀ କରି କଙ୍ଗନାଙ୍କ ବିରୋଧରେ ଏଫଆଇଆର ଦାବି କରିଥିଲେ। ଏହି ସମୟରେ ସେ କହିଛନ୍ତି ଯେ ଅନେକ ଚଳଚ୍ଚିତ୍ର ଶିଖ ସମ୍ପ୍ରଦାୟର ଭାବନାକୁ ଆଘାତ ଦେଇଥିବାବେଳେ 'ଏମରଜେନ୍ସି' ଉପରେ ପ୍ରତିବନ୍ଧକ ଲଗାଇବାକୁ ସେ ଦାବି କରିଥିଲେ । ସେ ସେନ୍ସର ବୋର୍ଡ ଉପରେ ଆକ୍ରମଣ କରି ଏହାକୁ ପକ୍ଷପାତ ବୋଲି କହିଥିଲେ ଏବଂ ଶିଖ ସମ୍ପ୍ରଦାୟର ଲୋକଙ୍କୁ ବୋର୍ଡରେ ଅନ୍ତର୍ଭୁକ୍ତ କରିବା ବିଷୟରେ ମଧ୍ୟ କହିଥିଲେ ।