ଭୁବନେଶ୍ୱର: ମିଳିଲା ୩୨, ୩୩ ଓ ୩୪ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର । ଓଡ଼ିଆ ସଂସ୍କୃତି ପରମ୍ପରା ଓ ପରିଚୟର ପରିଚାୟକ ସାଜିଥିବା ଥିବା ଚଳଚ୍ଚିତ୍ର ପାଇଁ ଏକାଥରେ ୩ ବର୍ଷର ଚଳଚ୍ଚିତ୍ର ପୁରସ୍କାର ମିଳିଛି । ମେ'ଫେୟାରରେ ଆୟୋଜିତ ଏହି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଦିଆଯାଇଛି । ମୋହନ ସୁନ୍ଦରଦେବ ଗୋସ୍ୱାମୀ ପୁରସ୍କାର ତଥା ଜୀବନବ୍ୟାପି ସାଧନା ପୁରସ୍କାର ୩ ବର୍ଷ ପାଇଁ ୩ ବରିଷ୍ଠ ବ୍ୟକ୍ତିତ୍ୱଙ୍କୁ ପ୍ରଦାନ କରାଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ରଘୁବର ଦାସ ସମସ୍ତ ପୁରସ୍କାର ବିଜେତା କଳାକାରଙ୍କୁ ସମ୍ମାନିତ କରିଛନ୍ତି ଏବଂ ଓଡ଼ିଆ ସିନେମା ନିର୍ମାଣ ପାଇଁ ସବସିଡି ମିଳୁ ବୋଲି ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ।
governer raghubar das on subsidies for odia cine industry (ETV Bharat Odisha) ୩୨, ୩୩ ଓ ୩୪ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ
ବିଶିଷ୍ଟ ଲେଖକ ନିର୍ଦ୍ଦେଶକ ଓ ନାଟ୍ୟକାର ଅନନ୍ତ ମହାପାତ୍ରଙ୍କୁ ୩୨ତମ, ବିଶିଷ୍ଟ ଚିତ୍ରତୋଳନକାରୀ ଶ୍ରୀନିବାସ ମହାପାତ୍ରଙ୍କୁ ୩୩ ତମ ଓ ବିଶିଷ୍ଟ ହାସ୍ୟ ଅଭିନେତା ଜୟୀରାମ ସାମଲଙ୍କୁ 34ତମ ମୋହନ ସୁନ୍ଦରଦେବ ଗୋସ୍ୱାମୀ ପୁରସ୍କାର ମିଳିଥିବା ବେଳେ ସହିଦ ରଘୁ ସର୍ଦ୍ଦାର, ପ୍ରତୀକ୍ଷା,ଡାଲଚିନି ଓ ଦମନକୁ ଶ୍ରେଷ୍ଠ ଫିଲ୍ମ ପୁରସ୍କାର ଦିଆଯାଇଛି । ଶ୍ରେଷ୍ଠ ଅଭିନେତା ଭାବେ ଦେବାଶିଷ ପାତ୍ର, ଅମ୍ଲାନ ଦାସ, ଅଙ୍କିତ କୁମାର ଦୀପନ୍ୱିତ ଦାସ ମହାପାତ୍ର ଓ ବାବୁସାନ ମହାନ୍ତିଙ୍କୁ ପୁରସ୍କାର ମିଳିଥିବା ବେଳେ ଶ୍ରେଷ୍ଠ ଅଭିନେତ୍ରୀ ଭାବେ କାବ୍ୟ କିରଣ ଶୁକ୍ଳା, ସୂର୍ଯ୍ୟମୟୀ ମହାପାତ୍ର ଓ ଲୋପାମୁଦ୍ରା ମିଶ୍ରଙ୍କୁ ପୁରସ୍କାର ମିଳିଛି ।
ODISHA STATE FILM AWARD (ETV Bharat Odisha) 'ଫିଲ୍ମ ନିର୍ମାତାଙ୍କୁ ମିଳୁ ସବସିଡି': ରାଜ୍ୟପାଳ
ଏହି ଅବସରରେ ରାଜ୍ୟ ସରକାରଙ୍କୁ ରାଜ୍ୟପାଳ ରଘୁବର ଦାସ ପରାମର୍ଶ ଦେଇଛନ୍ତି । ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ବିକାଶ ପାଇଁ ତଥା ଓଡ଼ିଆ ସିନେମା ନିର୍ମାଣ ପାଇଁ ପ୍ରଯୋଜକଙ୍କୁ ସବସିଡି ପ୍ରଦାନ କରାଯାଉ ବୋଲି ରାଜ୍ୟପାଳ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ରାଜ୍ୟପାଳ କହିଛନ୍ତି, ''ଓଡ଼ିଆ ଚଳଚ୍ଚିତ୍ରର ଇତିହାସକୁ ମନେ ପକାଇଥିବା ବେଳେ ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଆ ସିନେମା ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ତେଣୁ ଏହି ଚଳଚିତ୍ରର ଶିଳ୍ପର ସମୃଦ୍ଧି ଓ ବିକାଶ ଦିଗରେ ସରକାର ଯତ୍ନବାନ ହୋଇ କାର୍ଯ୍ୟ କରିବା ସହ ସରକାରୀ ଯୋଗଦାନକୁ ଅଧିକ ତ୍ଵରାନ୍ୱିତ କରାଯାଉ ଏବଂ ଚଳଚିତ୍ର ନିର୍ମାତାଙ୍କୁ ସବସିଡି ଯୋଗାଇ ଦେଇ ଶିଳ୍ପର ବିକାଶ ସହ ରୋଜଗାରକୁ ଆହୁରି ବିସ୍ତାରିତ କରିବା ଉଚିତ୍ ।''
'ରାଜ୍ୟପାଳଙ୍କ ପରାମର୍ଶକୁ ସ୍ୱାଗତ': ସଂସ୍କୃତି ମନ୍ତ୍ରୀ
ଏହି ସମୟରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାକହିଛନ୍ତି କଳାକାର, ନିର୍ଦ୍ଦେଶକ ପ୍ରଯୋଜକ ବଡ ପ୍ରତିକ୍ଷାର ସହ ଅପେକ୍ଷା କରିଥିଲେ ସେମାନଙ୍କ ପ୍ରତିଭା ପୁରସ୍କୃତ ହେବ ବୋଲି ତାହା ଆଜି ହୋଇପାରିଛି। ତେଣୁ ଏହି ପୂଜ୍ୟ ପୂଜାର ପରମ୍ପରା ବନ୍ଦ ନ ହେବା ଦରକାର ଆଗକୁ ଚାଲିବା ଦରକାର। ସେହିପରି ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ଯୋଗ ଦେଇ ସମସ୍ତ ପୁରସ୍କାର ବିଜେତାଙ୍କୁ ଶୁଭେଚ୍ଛା ଦେବା ସହ ୩ ବର୍ଷର ଏ ପ୍ରତିକ୍ଷିତ ପୁରସ୍କାର ସମସ୍ତଙ୍କ ମୁହଁରେ ହସ ଦେଇଛି ବୋଲି କହିଛନ୍ତି । ଏହାସହ ରାଜ୍ୟପାଳଙ୍କ ପରାମର୍ଶକୁ ସ୍ୱାଗତ କରି କହିଛନ୍ତି ଶିଳ୍ପ ବିଭାଗ ସହ ସବସିଡି ପାଇଁ କଥା ହେବାକୁ ପଡିବ ଯେହେତୁ ଚଳଚିତ୍ରର ଅଧିକାଂଶ କଥା ଏହି ବିଭାଗ ଅନ୍ତର୍ଭୁକ୍ତ । ଆମ ବିଭାଗ ଚୟନ ସହ ଗୁଣାତ୍ମକ ବିଷୟ ଦେଖେ ତଥାପି ବିଭାଗ ଏନେଇ ଯତ୍ନବାନ ହେବ । ଆଗରୁ ଚଳଚିତ୍ର ଶିଳ୍ପରେ ସବସିଡି ବ୍ୟବସ୍ଥା ରହିଛି ଏହି ବ୍ୟବସ୍ଥାରେ ସଂସ୍କାର ଆଣିବା ସହ ଆଗକୁ କିଭଳି ଓଡ଼ିଆ ପ୍ରଯୋଜକ ନିର୍ଦେଶକ ଓ ସିନେ କଳାକାର ପାଇବେ ସେ ଦିଗରେ ସରକାର ଯତ୍ନବାନ ଅଛନ୍ତି ଆଗକୁ ଏହି ଦିଗରେ କାର୍ଯ୍ୟ କରାଯିବ ବୋଲି କହିଛନ୍ତି।
ହାସ୍ୟ ଅଭିନେତା ଜୟୀରାମ ସାମଲଙ୍କ ପ୍ରତିକ୍ରିୟା
ସେପଟେ ବରିଷ୍ଠ ହାସ୍ୟ ଅଭିନେତା ଜୟୀରାମ ସାମଲ ପୁରସ୍କାରର ବିଳମ୍ବତାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଏବଂ ମୋହନ ସରକାର ଡେରିରେ ହେଉ ପଛେ ପୁରସ୍କାର ଦେଇଥିବାରୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ସେ କହିଛନ୍ତି, ''ବିଳମ୍ବ ହେଉପଛେ ମୋ ପ୍ରତିଭା ଲୋକଲୋଚନକୁ ଆସିପାରିଛି ଆଉ ପୁରସ୍କାର ପାଇଛି ତାକୁ ନେଇ ମୁଁ ଆନନ୍ଦିତ ବୋଲି କହିଛନ୍ତି । ଏହାସହ ଆଜି ମୋ ପ୍ରଶଂସକ ଯେଉଁମାନେ ମତେ ସବୁବେଳେ ଖୋଜନ୍ତି ସେମାନେ ଏହି ପୁରସ୍କାର ମାଧ୍ୟମରେ ମୋତେ ପାଇଁ ଖୁସି ହୋଇଥିବା ବେଳେ କଳା ଓ କଳାକାର କିଭଳି ବଞ୍ଚିରହିବା ଓ ଅଭିନୟକୁ ଆଗକୁ ବଢିବା ପାଇଁ ଉତ୍ସାହ ଓ ଉଦିପନା ସହ ସରକାରଙ୍କୁ ଶିଳ୍ପର ବିକାଶ ପାଇଁ ପ୍ରୋତ୍ସାହନ ଦେବା ଦରକାର ।'' ସେହିପରି କେବଳ ମନୋରଞ୍ଜନ ନୁହେଁ ସଂସ୍କୃତିର ଧାରାକୁ ବଜାୟ ରଖି ଚଳଚ୍ଚିତ୍ର ପ୍ରସ୍ତୁତ ହେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ବିଶିଷ୍ଟ ଚିତ୍ରତୋଳନକାରୀ ଶ୍ରୀନିବାସ ମହାପାତ୍ର।
ଏହା ମଧ୍ୟ ପଢନ୍ତୁ:ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ: ଅନନ୍ତ-ଶ୍ରୀନିବାସ-ଜୟୀରାମଙ୍କୁ ଜୀବନ ବ୍ୟାପୀ ସାଧନା ସମ୍ମାନ
ଏକାମ୍ର ବିଧାୟକଙ୍କ ପ୍ରତିକ୍ରିୟା
ସେହିପରି ଏହି ଅବସରେ ଏକାମ୍ର ବିଧାୟକ ବାବୁ ସିଂଯୋଗ ଦେଇ କହିଛନ୍ତି ଯେ ବର୍ତ୍ତମାନ ଓଡ଼ିଆ ସଂସ୍କୃତି ପରମ୍ପରା ଓ ଗରିମାକୁ ବହୁତ ସମୟରେ ଅପମାନିତ, ଅପସଂସ୍କୃତି କରି କ୍ଷୂର୍ଣ୍ଣିତ କରାଯାଉଛି । ବିଶେଷକରି ଯାତ୍ରାର ନଗ୍ନତା ଓ ଅଶାଳୀନତାକୁ ନେଇ ଏହା ଅଧିକ ବିସ୍ତାରିତ ହେଉଛି । ଯାହାକୁ ମୁଁ କେବେ ବି ସହ୍ୟ କରିବନି ଆଗକୁ ଏହା ଦିଗରେ ସଂସ୍କାର ସହ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶାବଳୀ କିଭଳି ଆସିବ ସେ ପ୍ରସଙ୍ଗ ମୁଁ ବିଧାନସଭାରେ ଉଠାଇବି ଓ ଏଦିଗରେ ସରକାର କିଭଳି ତ୍ୱରିତ ପଦକ୍ଷେପ ସେନେଇ ଯତ୍ନବାନ ମଧ୍ୟ ମୁଁ ହେବି ବୋଲି କହିଛନ୍ତି । ଏପରିକି ବର୍ତ୍ତମାନ ଓଡ଼ିଆ ସିନେମା ପ୍ରତି ଦର୍ଶକଙ୍କ ମନ ଭାଙ୍ଗିଯାଇଛି ଓ ଲୋକେ ଏଥିପ୍ରତି ବିମୁଖ ହୋଇଛନ୍ତି । ତାହା ଦୁଇଟି କାରଣରୁ , ତେଣୁ ଦର୍ଶକ ତିଆରି ସହ ସିନେମା ହଲ ନିର୍ମାଣ କୁ ଆଗକୁ ପ୍ରାଧାନ୍ୟ ଦିଆଯିବ ବୋଲି ସେ କହିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ୱର