ହାଇଦ୍ରାବାଦ:ଫିଲ୍ମ 'ଲାହୋର ୧୯୪୭'କୁ ନେଇ ଚର୍ଚ୍ଚାରେ ରହିଥିବା ଫିଲ୍ମ ନିର୍ମାତା ରାଜକୁମାର ସନ୍ତୋଷୀଙ୍କୁ ଜେଲ୍ । ଚେକ ବାଉନ୍ସ ମାମଲାରେ ଗୁଜୁରାଟର ଜାମନଗର କୋର୍ଟ ରାଜକୁମାର ସନ୍ତୋଷୀଙ୍କୁ ଦୁଇ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହ ନିର୍ମାତାଙ୍କୁ ଦୁଇ କୋଟିର ଜରିମାନା ଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।
ସୂଚନା ଅନୁସାରେ, ରାଜକୁମାର ସନ୍ତୋଷୀ ଜାମନଗରର ଅଶୋକଲାଲ ନାମକ ଜଣେ ବ୍ୟବସାୟୀଙ୍କଠାରୁ ୧ କୋଟି ଟଙ୍କା ଋଣ ନେବା ପରେ ଟଙ୍କା ଆଉ ଫେରସ୍ତ କରିନଥିଲେ । ଏଭଳି ପରିସ୍ଥିତିରେ ଅଶୋକଲାଲ ନିର୍ମାତାଙ୍କ ବିରୋଧରେ ଜାମନଗର କୋର୍ଟରେ ମାମଲା ଦାୟର କରିଥିଲେ । ଏହି ପ୍ରସଙ୍ଗରେ ଜାମନଗର କୋର୍ଟ ଶୁଣାଣି କରି ରାଜକୁମାର ସନ୍ତୋଷୀଙ୍କୁ ଦୁଇ ବର୍ଷ କାରାଦଣ୍ଡାଦେଶ ଦେଇଛନ୍ତି ।
ଏହି ମାମାଲା ୨୦୧୫ ମସିହାର ଅଟେ । ଅଶୋକଲାଲଙ୍କ ଦାବି ଅନୁସାରେ, ୨୦୧୫ରେ, ସେ ସନ୍ତୋଷୀଙ୍କୁ ଏକ କୋଟି ଟଙ୍କା ଋଣ ଦେଇଥିଲେ । ଏହି ଋଣ ପରିଶୋଧ ବାବଦକୁ ରାଜକୁମାର ଅଶୋକଙ୍କୁ ୧୦ ଲକ୍ଷ ଟଙ୍କା ୧୦ଟି ବ୍ୟାଙ୍କ ଚେକ୍ ଦେଇଥିଲେ, ହେଲେ ଏହି ଚେକ୍ ବାଉନ୍ସ ହୋଇଗଲା । ଏହାପରେ ଅଶୋକଲାଲ ରାଜକୁମାରଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ । ହେଲେ ରାଜକୁମାର ତାଙ୍କ ସହ ଯୋଗାଯୋଗ କରୁନଥିଲେ, ଯାହାଫଳରେ ସେ ଜାମନଗର କୋର୍ଟରେ ଏନେଇ ମାମଲା ରୁଜୁ କରିଥିଲେ । ଏହି ମାମଲାର ରୁଜୁ ପରେ ରାଜକୁମାର ୧୮ ଥର ଶୁଣାଣିରେ ବି କୋର୍ଟରେ ପହଞ୍ଚି ନଥିଲେ ।