ହାଇଦ୍ରାବାଦ:ଦୁନିଆକୁ ଅଲବିଦା କହିଛନ୍ତି ମାଲାୟାଲମ ଏବଂ ହିନ୍ଦୀ ଭାଷାରେ ଅନେକ ହିଟ୍ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିବା ନିର୍ଦ୍ଦେଶକ ସଂଗୀତ ଶିବନ । ୬୫ ବର୍ଷ ବୟସରେ ମୁମ୍ବାଇରେ ତାଙ୍କର ଦେହାନ୍ତ ହୋଇଛି । ତାଙ୍କ ଭାଇ ତଥା ସିନେମାଟୋଗ୍ରାଫର ସନ୍ତୋଷ ଶିବନ ସଙ୍ଗୀତଙ୍କ ଦେହାନ୍ତ ଖବରର ସୂଚନା ଦେଇଛନ୍ତି । ସନ୍ତୋଷ କହିଛନ୍ତି ଯେ, ହୃଦଘାତ ହେତୁ ତାଙ୍କର ମୃତ୍ୟୁ ହୋଇଛି ।
ସୂଚନା ଅନୁସାରେ, ବୁଧବାର (ଏପ୍ରିଲ ୭) ହୃଦଘାତର ଶିକାର ହୋଇଥିଲେ ସଙ୍ଗୀତ ଶିବନ । ଯାହାପରେ ତାଙ୍କୁ ମୁମ୍ବାଇର କୋକିଲାବେନ ଧୀରୁବାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଆଜି (ଗୁରୁବାର ଦିନ) ମୁମ୍ବାଇରେ ଓଶିୱାରା ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ସୂଚନା ମିଳିଛି । ତେବେ ସଂଗୀତ ଶିବନଙ୍କ ଦେହାନ୍ତ ଖବର ଶୁଣିବା ପରେ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଥିବା ବେଳେ ରିତେଶ ଦେଶମୁଖ ଏବଂ ତୁଷାର ଭଳି ତାରକା ଦୁଃଖପ୍ରକାଶ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ରିତେଶ ଦେଶମୁଖ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, "ସଙ୍ଗୀତ ଶିବନ ସାରଙ୍କ ଦେହାନ୍ତ ଖବର ଅତ୍ୟନ୍ତ ଦୁଃଖଦାୟକ ଏବଂ ମୋତେ ଚକିତ କରିଛି । ଆଜି ମୋର ହୃଦୟ ଭାଙ୍ଗି ଯାଇଛି । ସେ ପ୍ରକୃତରେ ଜଣେ ଭଲ ମଣିଷ ଥିଲେ । ତାଙ୍କୁ 'କ୍ୟା କୁଲ ହେ ହମ୍', 'ଅପନା ସପ୍ନା ମନି ମନି' ପାଇଁ ଯେତେ ଧନ୍ୟବାଦ ଜଣାଇବି ସେତେ କମ ହେବ । ତାଙ୍କ ଆତ୍ମାକୁ ଶାନ୍ତି ମିଳୁ । ତାଙ୍କର ପରିବାର ଏବଂ ପ୍ରିୟଜନଙ୍କ ପ୍ରତି ମୁଁ ସମବେଦନା ଜଣାଉଛି ।''