ଭୁବନେଶ୍ବର:କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ ଉପସ୍ଥାପିତ ହୋଇଛି । ମଧ୍ୟବିତ୍ତ ପରିବାର ପାଇଁ ଟିକସ ବ୍ୟବସ୍ଥା ଏବଂ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣରେ ରଖିବାକୁ ବିଦ୍ୟୁତ ଚାଳିତ ଉପକରଣ ଏବଂ ଜୀବନ ରକ୍ଷାକାରୀ ଔଷଧ ଶସ୍ତା ହୋଇଛି । କେନ୍ଦ୍ର ସରକାର ବିହାରକୁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି । ଓଡ଼ିଶା ପ୍ରତି ସେମିତି କିଛି ସ୍ୱତନ୍ତ୍ରତା ନାହିଁ ବୋଲି ଅଭିଯୋଗ ଆଣି କେନ୍ଦ୍ର ସରକାରଙ୍କ ବଜେଟକୁ ସମାଲୋଚନା କରିଛନ୍ତି ବିରୋଧୀ । ସେପଟେ ଏହି ବଜେଟକୁ ଜନକଲ୍ୟାଣମୁଖୀ ବଜେଟ କହି କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛି ରାଜ୍ୟ ବିଜେପି ।
ଓଡ଼ିଶା ପ୍ରତି ବୈମାତୃକ ମନୋଭାବ:
ବଜେଟକୁ ନେଇ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ‘ପ୍ରଧାନମନ୍ତ୍ରୀ ମୋଦି କହିଲେ ପୂର୍ବୋଦୋୟର ପ୍ରତୀକ ହେବ ଓଡିଶା କିନ୍ତୁ ପ୍ରକୃତରେ ଓଡ଼ିଶାକୁ ଉଦୟ କରୁଛନ୍ତି ନା ଅସ୍ତ କରୁଛନ୍ତି । ସବୁଠାରୁ ଏହି ବଜେଟରେ ଓଡିଶା ଅଧିକ ଅବହେଳିତ ହୋଇଛି । ରାଜନୈତିକ ସ୍ୱାର୍ଥକୁ ଆଖି ଆଗରେ ରଖି ବଜେଟରେ ବ୍ୟବସ୍ଥା କରାଯାଇଛି । ଓଡିଶା ପ୍ରତି ଏ ବୈମାତୃକ ମନୋଭାବ କାହିଁକି ? ଓଡିଶା ପ୍ରତି ଘୋର ଅନ୍ୟାୟ ହୋଇଛି । ଆମେ ସେଥିପାଇଁ ସ୍ୱାଗତ କରିପାରୁନାହୁଁ ଏହି ବଜେଟକୁ ।’
ଚାଷୀ କି ଶ୍ରମିକ ତ ଉପକୃତ ହେବେ ନାହିଁ: ବିଜେଡି
ସେ ଆହୁରି କହିଛନ୍ତି, ‘ଓଡ଼ିଶାରେ ଖାଲି ବଡ ବଡ଼ କନକ୍ଳେଭ କରିକି କୋଟି କୋଟି ଖର୍ଚ୍ଚ ହେଉଛି । କିନ୍ତୁ ଓଡିଶାକୁ ମିଳିଲା କଣ ଏହି ବଜେଟରେ । ପୁଣି କହୁଛନ୍ତି 12 ଲକ୍ଷ ଯାଏଁ ଟାକ୍ସ ଛାଡ଼ କଲେ କିଛି ମଧ୍ୟମ ବର୍ଗ ଉପକୃତ ହେବେ କିନ୍ତୁ ଯେଉଁମାନେ ସରକାରୀ ଚାକିରି କରୁଛନ୍ତି ମାସିକ ଲକ୍ଷେ ପାଇଲେ ବି ଦେବେ ନାହିଁ । କିନ୍ତୁ କେତେ ଜଣ ସରକାରୀ ଚାକିରି କରୁଛନ୍ତି । ଏହି ପ୍ରାବଧାନ ଦ୍ୱାରା କେତେ ଲୋକ ଉପକାର ହେବେ । ଚାଷୀ କି ଶ୍ରମିକ ତ ଉପକୃତ ହେବେ ନାହିଁ ।’
ବଜେଟରେ ବିହାରକୁ ଫୋକସ, କେନ୍ଦ୍ରକୁ ବିଜେଡିର ସମାଲୋଚନା:
ସେହିପରି ବିଜେଡି ନେତା ଅମର ପଟ୍ଟନାୟକ କହିଛନ୍ତି, ‘ଗତବର୍ଷ ବଜେଟରେ ଆନ୍ଧ୍ରପ୍ରଦେଶକୁ ବିପୁଳ ଅର୍ଥ ଦେଲେ ଏଥର ବଜେଟରେ ବିହାରକୁ ସ୍ୱତନ୍ତ୍ର ଆର୍ଥିକ ପାଣ୍ଠି ଦେଲେ । ପୂର୍ବ ଭାରତ ବିକାଶ କଥା କହୁଛନ୍ତି ହେଲେ ବିହାର କେଉଁଭଳି ପୂର୍ବ ଭାରତରେ ଆସିଲା ଆମେ ବୁଝି ପାରୁନୁ । ପୂର୍ବରୁ ନବୀନ ପଟ୍ଟନାୟକ ସରକାର ବର୍ଷ ବର୍ଷ ଧରି ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି କରି ଆସୁଥିଲେ,ସଂସଦରେ ମଧ୍ୟ ଦାବି ଉଠାଇଥିଲା ବିଜେଡି । ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ପାଇଁ ଟିକସ ହ୍ରାସ କରିବା ଏବେ ବି ସ୍ପଷ୍ଟ କରିନାହାଁନ୍ତି କେନ୍ଦ୍ର ସରକାର ।
ଓଡ଼ିଶାକୁ ଅଣଦେଖା କରୁଛନ୍ତି ମୋଦି ସରକାର: କଂଗ୍ରେସ
ସେହିପରି ବଜେଟକୁ ନେଇ ପ୍ରତିକ୍ରିୟା ରଖିଛି କଂଗ୍ରେସ । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି, ‘କେନ୍ଦ୍ର ସରକାର ଓଡିଶାକୁ ଅଣଦେଖା କରୁଛନ୍ତି । ସ୍ପେଶାଲ ଷ୍ଟେଟସ ପାଇଁ ଆମର ଦାବି ରହିଛି । ଆୟକର ଟିକସ ଛାଡ଼ ନେଇ ସ୍ପଷ୍ଟୀକରଣ ନାହିଁ । କେନ୍ଦ୍ର ବଜେଟରେ ଓଡିଶା ପାଇଁ କିଛି ନାହିଁ । ଗତବର୍ଷ ଆନ୍ଧ୍ରପ୍ରଦେଶକୁ ଦେଲେ ଆଉ ଏ ବର୍ଷ ବିହାରକୁ ବହୁ ପରିମାଣର ଅର୍ଥ ଦେଇଛନ୍ତି । ଆମ ଓଡିଶାକୁ ମଧ୍ୟ ଦିଅନ୍ତୁ । ଓଡିଶା ପାଇଁ ସ୍ୱତନ୍ତ୍ର ଅର୍ଥର ବ୍ୟୟବରାଦ କରିଥିଲେ ଭଲ ହୋଇଥାନ୍ତା ।’