ହାଇଦ୍ରାବାଦ:ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଶୁକ୍ରବାର ଦ୍ବିମାସିକ ମୁଦ୍ରାନୀତି ସମୀକ୍ଷା ରିପୋର୍ଟ ଘୋଷଣା ବେଳେ 'ମୁଦ୍ରାସ୍ଫୀତି ବିରୋଧରେ ଯୁଦ୍ଧ' ସମ୍ପର୍କରେ ବର୍ଣ୍ଣନା କରିଥିଲେ । ମୁଦ୍ରାସ୍ଫୀତିକୁ ହାତୀ ସହ ତୁଳନା କରି ଗଭର୍ଣ୍ଣର କହିଥିଲେ, ''ଦୁଇ ବର୍ଷ ପୂର୍ବରୁ ଏହି ସମୟରେ ଅର୍ଥାତ୍ ୨୦୨୨ ଏପ୍ରିଲରେ ଉପଭୋକ୍ତ ମୂଲ୍ୟ ସୂଚକାଙ୍କ (CPI) ଭିତ୍ତିକ ମୁଦ୍ରାସ୍ଫୀତି ହାର ୭.୮ ପ୍ରତିଶତ ସହ ପିକରେ ଥିଲା, ସେତେବେଳେ ହାତୀ (ମୁଦ୍ରାସ୍ଫୀତି) ରୁମ ଭିତରେ ଥିଲା । ଏବେ ଏହି ହାତୀ ବାହାରକୁ ବୁଲିବାକୁ ଯାଇଛି ଏବଂ ଖୁବଶୀଘ୍ର ଜଙ୍ଗଲକୁ ଫେରିପାରେ ବୋଲି ଆଶା ରହିଛି । ଆମେ ଚାହୁଁଛୁ ହାତୀ ଜଙ୍ଗଲକୁ ଫେରିଆସୁ ଏବଂ ସେହିଠାରେ ହିଁ ସ୍ଥାୟୀ ଭାବେ ରହୁ । ଅନ୍ୟ ଅର୍ଥରେ କହିବାକୁ ଗଲେ, ଅର୍ଥନୀତିର ସ୍ବାର୍ଥ ଦୃଷ୍ଟିରୁ ସିପିଆଇ ମୁଦ୍ରାସ୍ଫୀତି କମିବା ସହ ଟାର୍ଗେଟ ଭିତରେ ରହିବା ଆବଶ୍ୟକ । ଏହି ଲକ୍ଷ୍ୟ ହାସଲ ନହେବା ପର୍ଯ୍ୟନ୍ତ ଆମର କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିଛି ।'' ଗଭର୍ଣ୍ଣରଙ୍କ କହିବାର ଅର୍ଥ ଥିଲା ଯେ, ବର୍ତ୍ତମାନ ଦେଶରେ ମୁଦ୍ରାସ୍ଫୀତି କ୍ରମଶଃ ହ୍ରାସ ପାଉଛି ।
ତେବେ ବାସ୍ତବରେ କ'ଣ ହାତୀ ଜଙ୍ଗଲକୁ ଫେରୁଛି ? ଏପରି ସ୍ଥଳେ ଦ୍ବିମାସକ 'ପାରିବାରିକ ମୁଦ୍ରାସ୍ଫୀତି ପ୍ରତ୍ୟାଶା ସର୍ବେକ୍ଷଣ' ଦେଶର ମୁଦ୍ରାସ୍ଫୀତି ହ୍ରାସ ସମ୍ପର୍କିତ ଉପରୋକ୍ତ ଧାରଣା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିପାରେ । ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ମାର୍ଚ୍ଚ ୨ରୁ ୧୧ ମଧ୍ୟରେ ୧୯ଟି ସହରରେ ୬୦୮୩ ଜଣଙ୍କୁ ନେଇ ଏହି ମୁଦ୍ରାସ୍ଫୀତି ପ୍ରତ୍ୟାଶା (ଭବିଷ୍ୟତରେ ଦରଦାମ ବୃଦ୍ଧି ଆଶଙ୍କା) ସର୍ଭେ କରାଯାଇଥିଲା । ସର୍ଭେ ଅନୁସାରେ, ବର୍ତ୍ତମାନ ମୁଦ୍ରାସ୍ଫୀତି ହାର ୮.୧ ପ୍ରତିଶତ ଥିବା ପରିବାରଗୁଡିକ ଅନୁଭବ କରୁଛନ୍ତି । ଆସନ୍ତା ୩ ମାସ ଏବଂ ଗୋଟିଏ ବର୍ଷ ପାଇଁ ମୁଦ୍ରାସ୍ଫୀତି ଯଥାକ୍ରମେ ୯.୦ ଏବଂ ୯.୮ ପ୍ରତିଶତ ଆଶା କରାଯାଇଛି, ଯାହାକି ଜାନୁଆରୀରେ ହୋଇଥିବା ସର୍ଭେ ତୁଳନାରେ ସାମାନ୍ୟ କମ୍ । ତଥାପି ଏହା ଉଚ୍ଚ ମୁଦ୍ରାସ୍ଫୀତି ଆଡକୁ ସୂଚାଉଛି ।
ଏହିଭଳି ଉପାୟ କେତେ ବିଶ୍ବାସଯୋଗ୍ୟ ? ସର୍ବେକ୍ଷଣର ନମୁନା ଆକାର ଭାରତର ପ୍ରାୟ ସମୁଦାୟ ପରିବାରକୁ ପ୍ରତିଫଳିତ କରିଥାଏ, ଯାହାକି ୨୦୧୪ରେ ୩୧୯ ମିଲିୟନ ଅଟେ ଏବଂ ଏହା ଏହି ସର୍ଭେକୁ ଭରସାଯୋଗ୍ୟ ବନାଉଛି । ସେହିପରି ସର୍ଭେ ପ୍ରଣାଳୀରେ ମଧ୍ୟମ ମାପଦଣ୍ଡର ଉପଯୋଗ ମଧ୍ୟ ଏହାର ବିଶ୍ବସନୀୟତା ବଢାଉଛି ।