ହାଇଦ୍ରାବାଦ:ଭାରତୀୟ ଗଣମାଧ୍ୟମରେ ଅଧିକାଂଶ ସମୟରେ ଚର୍ଚ୍ଚାରେ ରହିଥାନ୍ତି ରାଜନେତା, ଫିଲ୍ମ ଷ୍ଟାର ଏବଂ କ୍ରିକେଟର । ହେଲେ ଏମିତି କିଛି ବ୍ୟକ୍ତିତ୍ବ ଅଛନ୍ତି ଯିଏକି ଏସବୁ କ୍ଷେତ୍ରର ନହୋଇ ମଧ୍ୟ ଚଳିତ ବର୍ଷ ୨୦୨୪ରେ ଚର୍ଚ୍ଚାରେ ରହିଥିଲେ । ୨୦୨୪ରେ ଦେଶରେ କିଏ ଏହି ଚର୍ଚ୍ଚିତ ଚେହେରା ? ସେମାନଙ୍କ ଚର୍ଚ୍ଚାର କାରଣ କଣ ? ଏବଂ କେଉଁ ଘଟଣା ପାଇଁ ଚର୍ଚ୍ଚାର ସିରୋନମା ପାଲଟି ଥିଲେ ଆସନ୍ତୁ ଜାଣିବା ?
ଡି ୱାଇ ଚନ୍ଦ୍ରଚୂଡ:
ଅବସର ନେଇଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡି. ୱାଇ ଚନ୍ଦ୍ରଚୂଡ଼ । ଯୁବ ଆଇନଜୀବୀଙ୍କ ପାଇଁ ପ୍ରେରଣା ଥିଲେ ଚନ୍ଦ୍ରଚୂଡ଼ । ସେଥିପାଇଁ ଯୁବ ଆଇନଜୀବୀମାନେ ଚନ୍ଦ୍ରଚୂଡଙ୍କୁ 'ରକଷ୍ଟାର CJI' ଭାବେ ସମ୍ବୋଧନ କରୁଥିଲେ । ସେହିପରି ଗଣମାଧ୍ୟମ ପାଇଁ ମଧ୍ୟ ପ୍ରିୟର ପାତ୍ର ସେ ।
ଶକ୍ତିକାନ୍ତ ଦାସ:
ଭାରତୀୟ ରିଜର୍ଭ ବ୍ୟାଙ୍କ RBI ଗଭର୍ଣ୍ଣର ଥିବା ଓଡି଼ଆ ପୁଅ ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ଶେଷ ହୋଇଛି । କେନ୍ଦ୍ର ରାଜସ୍ୱ ସଚିବ ଦାୟିତ୍ୱରେ ଥିବା ସଞ୍ଜୟ ମଲହୋତ୍ରାଙ୍କୁ ଆରବିଆଇ ଗଭର୍ଣ୍ଣର ଭାବେ ନିଯୁକ୍ତ ପ୍ରଦାନ କରିଛି କେନ୍ଦ୍ର । ନିଜ କାର୍ଯ୍ୟକାଳରେ ଶ୍ରେଷ୍ଠ ଗଭର୍ଣ୍ଣର ଭାବେ ସମ୍ମାନିତ ହୋଇ ଚର୍ଚ୍ଚାରେ ରହିଥିଲେ ଶକ୍ତିକାନ୍ତ । ସେ ଲଗାତର ଦୁଇଟି ଟର୍ମ ପ୍ରଥମେ ୨୦୧୮ରୁ ୨୦୨୧ ଏବଂ ପରେ ୨୦୨୧ରୁ ୨୦୨୪ ପର୍ଯ୍ୟନ୍ତ RBI ଗଭର୍ଣ୍ଣର ଦାୟିତ୍ବ ସଫଳତାର ସହ ତୁଲାଇଥିଲେ । ଡିସେମ୍ବର ୧୦ ତାରିଖରେ ସରିଥିଲା ତାଙ୍କ ଦ୍ବିତୀୟ ଟର୍ମର କାର୍ଯ୍ୟକାଳ ।
ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଘର ଓଡ଼ିଶାରେ । 1957 ମସିହା ଫେବୃଆରୀ 26ର ଭୁବନେଶ୍ବରଠାରେ ତାଙ୍କର ଜନ୍ମ । ସେ ଉତ୍କଳ ବିଶ୍ବବିଦ୍ୟାଳୟରେ ଅଧ୍ୟୟନ କରିଥିଲେ । ଶକ୍ତିକାନ୍ତ 1980 ବ୍ୟାଚର ତାମିଲନାଡୁ କ୍ୟାଡରର ଆଇଏଏସ୍ ଅଧିକାରୀ । ସେ ଜଣେ ଅର୍ଥନୀତିଜ୍ଞ ହୋଇନଥିଲେ ମଧ୍ୟ ପ୍ରଶାସକରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ମୁଖ୍ୟ ପଦ ଅଳଙ୍କୃତ କରିଛନ୍ତି । 2014ରୁ 2015 ପର୍ଯ୍ୟନ୍ତ ସେ ରେଭିନ୍ୟୁ ସେକ୍ରେଟାରୀ ମଧ୍ୟ ରହିଥିଲେ । ଗ୍ଲୋବାଲ ଫାଇନାନ୍ସ ମାଗାଜିନ ଦ୍ବାରା 1994 ମସିହାରୁ ଏହି ବାର୍ଷିକ ରିପୋର୍ଟ ପ୍ରକାଶିତ ହୋଇ ଆସୁଛି। ଏଥିରେ ୟୁରୋପୀୟ ୟୁନିଅନ, ଇଷ୍ଟର୍ଣ୍ଣ କାରିବିଅନ ସେଣ୍ଟ୍ରାଲ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ସେଣ୍ଟ୍ରାଲ ଆଫ୍ରିକାନ ଷ୍ଟେଟ୍ସ ସମେତ 101 ଦେଶର କେନ୍ଦ୍ରୀୟ ବ୍ୟାଙ୍କ ମୁଖ୍ୟମାନଙ୍କୁ ସ୍ଥାନିତ କରାଯାଇଥାଏ ।
୨୦୨୪ରେ ଚର୍ଚ୍ଚିତ ନେତା:
ଆନ୍ଧପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ :
ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନରେ ତେଲୁଗୁ ଦେଶମ ପାର୍ଟି (ଟିଡିପି)କୁ ଗତ ବିଧାନସଭା ନିର୍ବାଚନରେ ମିଳିଛି ବଡ଼ ସଫଳତା । ବିରାଟ ବିଜୟ ହାସଲ କରି ଏନ. ଚନ୍ଦ୍ରବାବୁ ନାଇଡୁ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବା ସହ ଜାତୀୟ ସ୍ତରରେ ଚର୍ଚ୍ଚାରେ ଅଛନ୍ତି । ସେ କେନ୍ଦ୍ର ସରକାରରେ କିଙ୍ଗମେକର ଭୂମିକାକୁ ନେଇ ଚର୍ଚ୍ଚାରେ ରହିଛନ୍ତି ।
ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର:
ଲୋକସଭା ନିର୍ବାଚନ ପରେ ଚନ୍ଦ୍ରବାବୁଙ୍କ ପରେ ନୀତିଶ କୁମାର ମଧ୍ୟ କିଙ୍ଗମେକର ଭୂମିକାକୁ ନେଇ ଚର୍ଚ୍ଚାରେ । କାରଣ ଏମାନଙ୍କ ସମର୍ଥନ ପାଇଁ କେନ୍ଦ୍ରରେ ଏନଡିଏ ସରକାର ଗଢିବାରେ ସଫଳ ହୋଇପାରିଛି । ସବୁବେଳେ ଚର୍ଚ୍ଚାରେ ରହିଆସିଥିବା ନୀତିଶ କୁମାର ପୁଣି ଥରେ ଦେଶର ରାଜନୀତିରେ ଖବରରେ ଅଛନ୍ତି ।
ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ :
ରାହୁଲ ଗାନ୍ଧୀ ଲୋକସଭା ନିର୍ବାଚନରେ ନିଜର ସଫଳତା ପାଇଁ ଚର୍ଚ୍ଚାରେ ଥିଲେ । ସେହିପରି ପ୍ରିୟଙ୍କା ଗାନ୍ଧୀ କେରଳ ୱାୟନାଡ ଉପନିର୍ବାଚନରେ ସାଂସଦ ହୋଇ ଚର୍ଚ୍ଚାରେ ରହିଥିଲେ । କେରଳ ୱାୟନାଡ ସଂସଦୀୟ କ୍ଷେତ୍ରରୁ ଉପ-ନିର୍ବାଚନରେ ବଡ ବ୍ୟବଧାନରେ ବିଜୟୀ ହୋଇ ସକ୍ରିୟ ରାଜନୀତିରେ ପ୍ରବେଶ କରିଛନ୍ତି କଂଗ୍ରେସର ଚର୍ଚ୍ଚିତ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ।
ଦେବେନ୍ଦ୍ର ଫଡନାଭିସ୍, ଶରଦ ପାୱାର, ଉଦ୍ଧବ ଠାକରେ, ଅଜିତ ପାୱାର ଏବଂ ଏକନାଥ ସିନ୍ଦେ:
ମହାରାଷ୍ଟ୍ରର ଏହି ହାଇପ୍ରୋଫାଇଲ ରାଜନେତାମାନେ ମହାରାଷ୍ଟ୍ର ବିଧାନସଭା ଏବଂ ଲୋକସଭା ନିର୍ବାଚନକୁ ନେଇ ଚର୍ଚ୍ଚାର ବିଷୟ ପାଲଟିଥିଲେ ।
ପ୍ରଶାନ୍ତ କିଶୋର:
ନିଜର ରାଜନୈତିକ ସମୀକରଣ ଆକଳନକୁ ନେଇ ଚର୍ଚ୍ଚାରେ ରହିଥିଲେ ବିଶିଷ୍ଟ ରାଜନୀତି ବିଶ୍ଳେଷକ ପ୍ରଶାନ୍ତ କିଶୋର । ସେ ପ୍ରାୟତଃ ପିକେ(PK) ନାଁରେ ବେଶ ଜଣାଶୁଣା । ସେ ଗତ ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (BJP)ର ବଡ଼ ବିଜୟ ନେଇ ପୂର୍ବାନୁମାନ କରିଥିଲେ ।
ମୋହନ ମାଝୀ:
ଓଡ଼ିଶାରେ୫ ଥରର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ଥାନ ନେଇଛନ୍ତି ମୋହନ ମାଝୀ । ୨୦୨୪ ନିର୍ବାଚନରେ ଓଡ଼ିଶାରେ ବିଜେପି ବାଜିମାତ କରିଥିବାବେଳେ ନୂଆ ମୁଖ୍ୟମନ୍ତ୍ରୀ ହୋଇ ଚର୍ଚ୍ଚାରେ ରହିଛନ୍ତି ମୋହନ । ଚଳିତ ଥରକୁ ମିଶାଇ ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ମୋହନ । ରାଜ୍ୟରେ ବହୁମତ ପାଇ ବିଜେପି ସରକାର ଗଢିବାକୁ ଯେତେବେଳେ ପ୍ରସ୍ତୁତ ହେଉଥିଲା ସେହି ସମୟରେ ଅନେକ ନାଁ ଚର୍ଚ୍ଚାରେ ଥିଲା । ହେଲେ ଚର୍ଚ୍ଚାର ତାଲିକାରେ ନଥିବା ମୋହନ ଅଚାନକ ସମସ୍ତଙ୍କୁ ଚମକାଇ ଦେଇଥିଲେ । ଆଉ ଓଡ଼ିଶାରେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ।
ଲକ୍ଷ୍ମଣ ବାଗ:
୨୦୨୪ ସାଧାରଣ ନିର୍ବାଚନରେ ଓଡିଶା ପାଇଲା ନୂଆ ମୁଖ୍ୟମନ୍ତ୍ରୀ ।୫ ଥରର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପ୍ରଥମ ଥର ପରାଜୟ ବରଣ କଲେ । ପାରମ୍ପିରକ ଆସନ ହିଞ୍ଜିଳିକାଟୁରେ ଜିତିଥିଲେ ମଧ୍ୟ କଣ୍ଟାବାଞ୍ଜି ଆସନରେ ନବୀନଙ୍କୁ ପରାଜୟର ସ୍ବାଦ ଚାଖିବାକୁ ପଡିଥିଲା । ଆଉ ନବୀନଙ୍କୁ ହରାଇ ଚର୍ଚ୍ଚାର ପରିସରକୁ ଆସିଥିଲେ ବିଜେପି ନେତା ଲକ୍ଷ୍ମଣ ବାଗ ।
ଅଖିଳେଶ ଯାଦବ:
ବହୁଜନ ସମାଜ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବଙ୍କ ଉତଥାନ ଏଥର ଚର୍ଚ୍ଚାରେ ରହିଥିଲା । ଭାରତର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ରାଜ୍ୟ ଉତ୍ତରପ୍ରଦେଶରେ ସବୁଠାରୁ ବଡ଼ ଦଳ ଭାବେ ଉଦୀୟମାନ ହୋଇଛି ସମାଜବାଦୀ ପାର୍ଟି । ତେଣୁ ୨୦୨୪ ଲୋକସଭା ନିର୍ବାଚନରେ ସଫଳତା ପାଇଁ ଚର୍ଚ୍ଚାରେ ରହିଥିଲେ ଅଖିଳେଶ ।
କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା:
୨୦୨୪ ମସିହାରେ ଜମି ଦୁର୍ନୀତି ମାମଲାରେ ଚର୍ଚ୍ଚାରେ ଥିଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା । ମୈସୁରୁ ନଗର ଉନ୍ନୟନ କର୍ତ୍ତୃପକ୍ଷ (MUDA) ଜମି ଦୁର୍ନୀତି ନେଇ ଅଭିଯୋଗ ରହିଥିଲା ।
କର୍ଣାଟକ ମନ୍ତ୍ରୀ ଏମବି ପାଟିଲ:
କର୍ଣ୍ଣାଟକର MSME ମନ୍ତ୍ରୀ ଏମବି ପାଟିଲ । ସେ ଏକ ବୟାନ ଦେଇ ବିବାଦକୁ ଆସିଥିଲେ । ବାଙ୍ଗାଲୋରର ଭିତ୍ତିଭୂମି ଉପରେ କହିଥିଲେ, ଅନ୍ୟ ରାଜ୍ୟରୁ ଆସୁଥିବା ଲୋକଙ୍କ ଯୋଗୁଁ ବାଙ୍ଗାଲୋରର ଭିତ୍ତିଭୂମି ଉପରେ ଚାପ ପଡୁଛି । ଶିକ୍ଷା ଏବଂ ନିଯୁକ୍ତି ସନ୍ଧାନରେ ଲୋକ ଉତ୍ତରପ୍ରଦେଶ, ତାମିଲନାଡୁ, ଆନ୍ଧ୍ର ପ୍ରଦେଶ,ଓଡ଼ିଶା ତେଲେଙ୍ଗାନା ଏବଂ ଅନ୍ୟାନ୍ୟ ରାଜ୍ୟରୁ ଆସିଥାନ୍ତି । ଏହି ବୟାନ ବିଶେଷକରି ଉତ୍ତର ଭାରତର ବ୍ୟକ୍ତିବିଶେଷ ଏବଂ ନେତାମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଥିଲା ।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ:
କୋଲକାତା ଆରଜି କର ମହିଳା ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ଦେଶବ୍ୟାପୀ ବିରୋଧ ତେଜିଥିଲା । ଡାକ୍ତରମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ । ଯାହାକୁ ନେଇ ଚର୍ଚ୍ଚାକୁ ପଶ୍ଚିମବଙ୍ଗ TMC ସରକାର । ଏତେ ବଡ଼ ଘଟଣା ପ୍ରତି ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ବର୍ଷିଥିଲେ ବିରୋଧୀ । ଏହି ଘଟଣାକୁ ନେଇ ୨୦୨୪ ଶେଷ ଭାଗରେ ଚର୍ଚ୍ଚାରେ ରହିଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ:
ଯୋଗୀ ଆଦିତ୍ୟନାଥ 'ବଟେଙ୍ଗେ ତୋ କଟେଙ୍ଗେ' ସ୍ଲୋଗାନ ଦେଇ ବେଶ ଚର୍ଚ୍ଚାରେ ରହିଥିଲେ । ବିରୋଧୀ ଏହି ସ୍ଲୋଗାନ ଉପରେ ଆପତ୍ତି ଉଠାଇଥିଲେ । ଅନ୍ୟପଟେ ସମର୍ଥକମାନେ ସଭା ସମିତିରେ ଏହି ସ୍ଲୋଗାନ ବ୍ୟବହାର କରୁଥିଲେ । ସୋସିଆଲ ମିଡିଆ ସାଇଟ୍ ଟ୍ବିଟର(X) ରେ ଏହା ଟ୍ରେଣ୍ଡ କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା ।
ଜେପି ନଡ୍ଡା:
ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆରଏସଏସ ସମ୍ପର୍କରେ ଦେଇଥିବା ବୟାନକୁ ନେଇ ଖବରରେ ଥିଲେ । ସେ କହିଥିଲେ, "ଯେତେବେଳେ ଦଳକୁ RSSର ଆବଶ୍ୟକତା ଥିଲା ସେତେବେଳେଠାରୁ ଦଳ ବୃଦ୍ଧି ପାଇଛି ଏବଂ ବର୍ତ୍ତମାନ ସକ୍ଷମ ହେବା ସହ ନିଜ କାର୍ଯ୍ୟ ନିଜେ ଚଳାଇଛି ।