ଡେରାଡୁନ: କଥାରେ ଅଛି ଯଦି ଦୃଢ ଇଚ୍ଛାଶକ୍ତି, ମନୋବଳ ରହିଥାଏ ତେବେ ଲକ୍ଷ୍ୟ ହାସଲ ନିଶ୍ଚିତ । ଯାହାକୁ ପ୍ରମାଣ କରିଛନ୍ତି ଉତ୍ତରାଖଣ୍ଡ ଗରିବ ପରିବାରରେ ଜନ୍ମ ଶିଶୁ ବୈଜ୍ଞାନିକ କିଶନ । ସେ ଏକ ଧାନ କଟା ମେସିନ ତିଆରି କରି ନିଜ ପ୍ରତିଭାର ପରିଚୟ ଦେଇଛନ୍ତି । କିଶନ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବା ବେଳେ ଏଭଳି ଅତ୍ୟାଧୁନିକ ମେସିନ ନିର୍ମାଣ କରିବା ପରେ ତାଙ୍କୁ ନେଇ ଚର୍ଚ୍ଚା । ଆଗାମୀ ଦିନରେ ତାଙ୍କ ଦ୍ବାରା ଉଦ୍ଭାବିତ ଏହି ମେସିନଟି ଜାପାନରେ ପ୍ରଦର୍ଶିତ ହେବାକୁ ଯାଉଛି ।
ଉତ୍ତରାଖଣ୍ଡ ଗଢୱାଲ ଜିଲ୍ଲାର ଶ୍ରୀକୋଟ ଗଢସାରୀ ଗାଁର ମନୋଜ କୁମାର ପୁଅ ହେଉଛନ୍ତି କିଶନ । ଯିଏକି ଗରିବ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ମଧ୍ୟ ଆଗକୁ ବୈଜ୍ଞାନିକ ହେବାକୁ ସ୍ୱପ୍ନ ଦେଖିଛନ୍ତି । ଦାରିଦ୍ରତା ତାଙ୍କ ସ୍ୱପ୍ନରେ ବାଧା ସାଜିପାରିନି । ଏବେଠୁ ସେ ଅତ୍ୟାଧୁନିକ ମେସିନ ଉଦ୍ଭାବନ କରୁଛନ୍ତି । ଶିଶୁ ବୈଜ୍ଞାନିକ କିଶନଙ୍କ କହିବା କଥା, ମାଆଙ୍କୁ କ୍ଷେତରେ ଧାନ କାଟିବା ଦେଖିବା ପରେ ସେ ଏକ ମେସିନ ତିଆରି କରିବା ଲାଗି ଚିନ୍ତା କରିଥିଲେ । ମେସିନ ତିଆରି କରିବା ପରେ ଧାନ କାଟିବା ସହଜ ହୋଇଥିଲା । ଏହି ମେସିନରେ କଟର ସାଙ୍ଗକୁ ଅନ୍ୟ ଉପକରଣ ମଧ୍ୟ ବ୍ୟବହୃତ ହୋଇଛି ।
ଏହି ମେସିନର ଖାସ କଥା ହେଉଛି, ଏହା ଧାନ ଓ ଘାସକୁ ଅଲଗା କରି କାଟିଥାଏ । ଏହାବାଦ କ୍ଷେତରେ କାମ କରିବା ସମୟରେ ସୂର୍ଯ୍ୟଙ୍କ ପ୍ରଖର କିରଣକୁ ରକ୍ଷା ପାଇବା ଲାଗି ଏଥିରେ ଏକ ଛତା ମଧ୍ୟ ସଂଯୋଗ କରାଯାଇଛି । ଏହି ଅତ୍ୟାଧୁନିକ ମେସିନଟି ତିଆରି କରିବା ଲାଗି ସେ ଗୁରୁ ଆଶିଷ ରାୱତଙ୍କ ସହାୟତା ନେଇଥିଲେ । ୨୦୨୩ ଇନ୍ସପାଏର ଆୱାର୍ଡ ପ୍ରତିଯୋଗିତାରେ କିଶନଙ୍କ ଏହି ପ୍ରକଳ୍ପକୁ ଜିଲ୍ଲାଠାରୁ ଆରମ୍ଭ କରି ରାଜ୍ୟ ସ୍ତରରେ ସ୍ଥାନ ମିଳିଥିଲା । ଏପରିକି ଜାତୀୟ ସ୍ତରରେ ମଧ୍ୟ ତାଙ୍କର ଏହି ମେସିନକୁ ଚୟନ କରାଯାଇଛି । ଆସନ୍ତା ମେ ମାସରେ ଜାପାନରେ ଅନୁଷ୍ଠିତ ହେବାକୁ ଥିବା ଏକ ପ୍ରଦର୍ଶନୀରେ କିଶନଙ୍କ ଏହି ମେସିନଟି ପ୍ରଦର୍ଶିତ ହେବ ।