କୋଲକାତା:ପଶ୍ଚିମବଙ୍ଗର ଦାର୍ଜିଲିଂ ଟ୍ରେନ ଦୁର୍ଘଟଣାରେ ଉଦ୍ଧାର ଅପରେସନ ସହ ମୃତ୍ୟୁସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା 15 ଜଣଙ୍କ ମୃତ୍ୟୁ ହୋଇଥିବା ଓ 30ରୁ ଅଧିକ ଆହତ ଯାତ୍ରୀ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି । ମୃତକଙ୍କ ମଧ୍ୟରେ ମାଲବାହୀ ଟ୍ରେନର ଲୋକୋପାଇଲଟ ଓ ସହକାରୀ ଲୋକୋପାଇଲଟଙ୍କ ସହ ଏକ୍ସପ୍ରେସ ଟ୍ରେନର ଜଣେ ଗୁଡ୍ସ ଗାର୍ଡ ରହିଥିବା ରେଳବାଇ ସ୍ପଷ୍ଟ କରିଛି ।
ଏବେ ମଧ୍ୟ ସମସ୍ତ ଦୁର୍ଘଟଣାଗ୍ରସ୍ତ ବଗି ଟ୍ରାକରୁ ହଟାଯାଇନଥିବା କାରଣରୁ ମୃତ୍ୟୁସଂଖ୍ୟା ବଢିବାର ଯଥେଷ୍ଟ ଆଶଙ୍କା ରହିଛି । ଭାରତୀୟ ରେଳବାଇ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛି । ଅଘଟଣରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି । ଏହାସହ ନିଜେ ରେଳମନ୍ତ୍ରୀ ଅଶ୍ବିନୀ ଦୁର୍ଘଟଣାସ୍ଥଳ ଅଭିମୁଖେ ବାହାରିଛନ୍ତି ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଘଟଣାରେ ଶୋକବ୍ୟକ୍ତ କରିବା ସହ ଟ୍ବିଟ୍ କରି ଆହତଙ୍କୁ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏପରି ସମୟରେ ତାଙ୍କ ସମବେଦନା ପୀଡିତ ପରିବାର ସଦସ୍ୟଙ୍କ ରହିଛି ଓ ଯଥାଶୀଘ୍ର ଉଦ୍ଧାର ଅପରେସନ ଶେଷ ବୋଲି ମଧ୍ୟ କହିଛନ୍ତି ରାଷ୍ଟ୍ରପତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଅଘଟଣରେ ଶୋକ ପ୍ରକାଶ କରିବା ସହ ପୀଡିତ ପରିବାରକୁ ସମବେଦନା ଜଣାଇଛନ୍ତି । ସେ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଘଟଣାସ୍ଥଳକୁ ଗସ୍ତ କରିଥିବା ମଧ୍ୟ ପ୍ରଧାନମନ୍ତ୍ରୀ ଟ୍ବିଟରେ ସୂଚନା ଦେଇଛନ୍ତି ।
ଏହା ପୂର୍ବରୁ ସ୍ଥାନୀୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟ୍ବିଟ କରି ଶୋକ ପ୍ରକାଶ କରିବା ପରେ ଉଦ୍ଧାର ଅପରେସନକୁ ଜୋରଦାର କରାଯାଉଥିବା କହିଥିଲେ । ସ୍ଥାନୀୟ ପ୍ରଶାସନର ତମାମ ବରିଷ୍ଠ ଅଧିକାରୀ, ଜିଲ୍ଲାଧିକାରୀ, ଏସପି ଓ ମେଡିକାଲ ଟିମ ସମ୍ପୂର୍ଣ୍ଣ ପ୍ରସ୍ତୁତି ସହ ଘଟଣାସ୍ଥଳରେ ପହଞ୍ଚି ସାରିଥିବା ମମତା ସୂଚନା ଦେଇଥିଲେ ।