ହାଇଦ୍ରାବାଦ:ଚଳିତ ସାଧାରଣ ବଜେଟରେ କେନ୍ଦ୍ର ସରକାର ଭାରତୀୟ ସହରୀକରଣ କ୍ଷେତ୍ରରେ ବଡ ପରିବର୍ତ୍ତନ ଆଣିବା ପାଇଁ ରୂପରେଖ ପ୍ରସ୍ତୁତ କରିଛନ୍ତି । ଯାହା ସହରୀ ଭିତ୍ତିଭୂମି ସୁଦୃଢ ପାଇଁ ପୁଞ୍ଜି ବିନିଯୋଗର କ୍ରମାଗତ ବୃଦ୍ଧି ଆବଶ୍ୟକ କରୁଛି । ବର୍ତ୍ତମାନ ବିଜେପି ନେତୃତ୍ବାଧୀନ ‘ଏନଡିଏ’ ସରକାର ତୃତୀୟ ପାଳିର ପ୍ରଥମ ବଜେଟରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରଣାଳୟ ପାଇଁ ମୋଟ 82576.57 କୋଟି ଟଙ୍କା ଆବଣ୍ଟିତ ହୋଇଛି । ଯାହା ଗତବର୍ଷ ବଜେଟଠାରୁ ପ୍ରାୟ 19 ପ୍ରତିଶତ ଅଧିକ । ଆର୍ଥିକ ବର୍ଷ 2023-24ରେ ଏହି ମନ୍ତ୍ରଣାଳୟ ସାଧାରଣ ବଜେଟରୁ 69270.72 କୋଟିର ଅର୍ଥରାଶି ଗ୍ରହଣ କରିଥିଲା ।
ସହରାଞ୍ଚଳ ଭିତ୍ତିଭୂମି ସୁଦୃଢୀକରଣ ପ୍ରକ୍ରିୟା ଏହି ବଜେଟ ସହାୟତା ରାଶି ସହ ଘରୋଇ ଏବଂ ବଜାରଭିତ୍ତିକ ମାଧ୍ୟମ ଦ୍ୱାରା ପୂର୍ଣ୍ଣ ହେବା ଆବଶ୍ୟକ । ସେହି ଅନୁଯାୟୀ ଆବଶ୍ୟକ ନୀତି, ବ୍ୟାଙ୍କିଂ ବ୍ୟବସ୍ଥା ଏବଂ ବଜାରଭିତ୍ତିକ ନିବେଶକୁ ସରଳ କରିବା ପାଇଁ ଚଳିତ ବଜେଟରେ ଏକ ଅନୁକୂଳ ଢାଞ୍ଚା ମଧ୍ୟ ପ୍ରସ୍ତାବିତ ହୋଇଛି । ସେହିପରି ଅର୍ଥନୈତିକ ସର୍ଭେ 2023-24 ଦ୍ବାରା ପ୍ରସ୍ତାବିତ ଢାଞ୍ଚାରେ ନଗର ସରକାର ବା ସିଟି ଗଭରମେଣ୍ଟ (CG) କୁ ସୁଦୃଢ କରିବାର ଗୁରୁତ୍ୱକୁ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଛି । ନଗରପାଳିକା ଶାସନଗୁଡିକର ଆର୍ଥିକ ସଶକ୍ତିକରଣ ହିଁ ନଗର ଉନ୍ନୟନ କ୍ଷେତ୍ରକୁ ବେସରକାରୀ ନିବେଶକମାନଙ୍କ ପାଇଁ ଆକର୍ଷିତ କରିପାରେ । ଏହା କେବଳ ନିବେଶ ନୁହେଁ ବରଂ ଆର୍ଥିକ କ୍ଷେତ୍ରର ଅଭିନବ ଉତ୍ସଗୁଡ଼ିକୁ ଆବିଷ୍କାର କରିବାରେ ସାହାଯ୍ୟ କରିଥାଏ ।
ସହରଗୁଡ଼ିକ ଆର୍ଥିକ ସ୍ଥିତି ଗମ୍ଭୀର:
ତଥାପି ସହରଗୁଡ଼ିକର ଖରାପ ଆର୍ଥିକ ସ୍ଥିତି ଏକ ଗମ୍ଭୀର ନୀତିଗତ ଚିନ୍ତାର ବିଷୟ ଭାବେ ସାମ୍ନାକୁ ଆସିଛି । ଭାରତରେ ନଗରପାଳିକା ସଂସ୍ଥାଗୁଡ଼ିକର ନିଜସ୍ୱ ରାଜସ୍ୱ କେନ୍ଦ୍ର-ରାଜ୍ୟ ଏବଂ ସହରଗୁଡ଼ିକର ମିଳିତ ରାଜସ୍ୱର ମାତ୍ର 2.6 ପ୍ରତିଶତ ରହୁଛି । ତୁଳନାତ୍ମକ ଭାବେ ବିଚାରକୁ ନେଲେ ମେକ୍ସିକୋରେ 4.2 ପ୍ରତିଶତ ଓ ଡେନମାର୍କରେ 27.2 ପ୍ରତିଶତ ଅନୁପାତ ତୁଳନାରେ ଏହା ଖୁବ କମ । ଭାରତରେ ଛୋଟ ସହରଗୁଡ଼ିକରେ ଦୁର୍ବଳ ଆର୍ଥିକ ସମସ୍ୟା ଆହୁରି ମଧ୍ୟ ଗମ୍ଭୀର । ଭାରତରେ ମ୍ୟୁନିସିପାଲିଟି ଫାଇନାନ୍ସ ବ୍ୟବସ୍ଥା ମୁଖ୍ୟତଃ ଦୁଇଟି ମୌଳିକ ସମସ୍ୟାର ସମ୍ମୁଖୀନ ହେଉଛି ।
ପ୍ରଥମଃ ସହରଗୁଡିକ ବିଭିନ୍ନ ପ୍ରକାରର ନିଜସ୍ୱ ଟିକସ ବ୍ୟବସ୍ଥାରେ ପ୍ରବେଶ କରିପାରନ୍ତି ନାହିଁ । 74ତମ ସମ୍ବିଧାନ ସଂଶୋଧନ ଅଧିନିୟମ ଅନୁସାରେ ସହରଗୁଡିକର କାର୍ଯ୍ୟକ୍ଷେତ୍ର ଆଧିପତ୍ୟକୁ ପ୍ରାଧାନ୍ୟ ମିଳିଛି । କିନ୍ତୁ ସେଥିରେ ସହରଗୁଡିକ ପାଇଁ ନିଜସ୍ବ ରାଜସ୍ୱ ସୃଷ୍ଟି କରିବାର ଉତ୍ସଗୁକିକ ସମ୍ପର୍କରେ ସ୍ପଷ୍ଟ ଭାବରେ ଦର୍ଶାଯାଇନାହିଁ । କେବଳ ରାଜ୍ୟ ସରକାରମାନେ ହିଁ ନଗରପାଳିକା ଦ୍ବାରା ସଂଗ୍ରହ କରାଯାଉଥିବା ଟ୍ୟାକ୍ସ ଓ ତାର ଖର୍ଚ୍ଚ ପ୍ରଣାଳୀ ସ୍ଥିର କରନ୍ତି । ଦ୍ୱିତୀୟ ସମସ୍ୟାଟି ହେଉଛି, ଉପଲବ୍ଧ ହେଉଥିବା ବା ସଂଗୃହିତ ହେଉଥିବା କର ବା ଟ୍ୟାକ୍ସ ନଗରପାଳିକା ଦ୍ବାରା ସଠିକ ଭାବରେ ବ୍ୟବହୃତ ହୋଇପାରେ ନାହିଁ ।
ପ୍ରପର୍ଟି ଟ୍ୟାକ୍ସର ଭୂମିକା:-
ପ୍ରପର୍ଟି ଟ୍ୟାକ୍ସ (PT) ହେଉଛି ଭାରତର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସହରାଞ୍ଚଳ ସ୍ଥାନୀୟ ଟ୍ୟାକ୍ସ । ‘ଜିଏସଟି’ ପରବର୍ତ୍ତୀ ସମୟରେ ଏହାର ଗୁରୁତ୍ୱ ବୃଦ୍ଧି ପାଇଛି । ଅବଶ୍ୟ, OECD (Organization for Economic Cooperation and Development) ଦେଶଗୁଡିକ ପ୍ରପର୍ଟି ଟ୍ୟାକ୍ସ କ୍ଷେତ୍ରରେ ନିଜର ଜାତୀୟ ଜିଡିପିରେ ପ୍ରାୟ 1 ପ୍ରତିଶତ ଅଂଶଧନ ରଖନ୍ତି । କାନାଡା ଏବଂ ଆମେରିକା ପରି ବିକଶିତ ଦେଶରେ ଏହି ପ୍ରତିଶତ ପ୍ରାୟ 3 ରୁ 4% । ଏହା ତୁଳନାରେ, ଭାରତରେ ସମ୍ପତ୍ତି କର (PT) ଜାତୀୟ ଜିଡିପିର ପ୍ରାୟ 0.15% ଯୋଗଦାନ କରିଥିବାର ଦେଖାଯାଏ ।