ହାଇଦ୍ରାବାଦ:ଆଜି ଠାରୁ ଆଉ ହାଇଦ୍ରାବାଦ ସଂଯୁକ୍ତ ରାଜଧାନୀ ଭାବେ ପରିଚିତ ହେବ ନାହିଁ । ଆନ୍ଧ୍ର ପ୍ରଦେଶ ପୁନଃଗଠନ ଅଧିନିୟମ ୨୦୧୪ ଅନୁସାରେ ଆଜି ଠାରୁ ହାଇଦ୍ରାବାଦ କେବଳ ତେଲେଙ୍ଗାନାର ରାଜଧାନୀ ଭାବେ ଚିହ୍ନିତ ହେବ । ୨ ଜୁନ ୨୦୧୪ ରେ ଆନ୍ଧ୍ରପ୍ରଦେଶର ବିଭାଜନ ହୋଇ ଉଭୟ ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନା ଭଳି ୨ଟି ରାଜ୍ୟ ଅସ୍ତିତ୍ବକୁ ଆସିଥିଲା । ସେହି ଦିନ ଠାରୁ ତତ୍କାଳୀନ ରାଜଧାନୀ ହାଇଦ୍ରାବାଦକୁ ୧୦ ବର୍ଷ ପାଇଁ ୨ ଟି ରାଜ୍ୟର ରାଜଧାନୀ ଭାବେ ସ୍ବୀକୃତି ଦିଆଯାଇଥିଲା ।
ଏହି କ୍ରମରେ ଆଜି (ରବିବାର) ସିକନ୍ଦରାବାଦର ପ୍ୟାରେଡ ଗ୍ରାଉଣ୍ଡରେ ତେଲେଙ୍ଗାନା ରାଜ୍ୟ ଗଠନ ଦିବସ ସମାରୋହ ଆୟୋଜିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ ଯୋଗ ଦେଇ କହିଥିଲେ, "ତେଲେଙ୍ଗାନାର ଜୀବନ ଶୈଳୀ ହେଉଛି ସ୍ବତନ୍ତ୍ରତା । ଏଠାକାର ଲୋକ ଅଧୀନତାକୁ ବରଦାସ୍ତ କରିବେ ନାହିଁ । ସମସ୍ତଙ୍କୁ ଭଲ ପାଇବା ଓ ପ୍ରଶ୍ନ ପଚାରିବା ଏହି ରାଜ୍ୟର ଲୋକଙ୍କ ଜୀବନ ଦର୍ଶନ ଅଟେ । ସେ ଆହୁରି ମଧ୍ୟ କହିଛନ୍ତି, "ଏଠାକାର ସମାଜ ଜନ କଲ୍ୟାଣ ଆଢୁଆଳରେ ଶୋଷଣକୁ କଦାପି ବରଦାସ୍ତ କରିବ ନାହିଁ । କଂଗ୍ରେସ ସମୟରେ ଶାସକ ଓ ଶାସିତଙ୍କ ମଧ୍ୟରେ ଥିବା ବୃହତ ପାଚେରୀ ଭାଙ୍ଗିଯାଇଛି ।" ସେ କହିଛନ୍ତି ଯେ ଇନ୍ଦିରା ପାର୍କରେ ବିରୋଧ ଓ ଧାରଣା ପ୍ରଦର୍ଶନ ପାଇଁ ଆମେ ଅନୁମତି ପ୍ରଦାନ କରିଛୁ । ସେ ବିରୋଧୀ ପକ୍ଷଙ୍କୁ ସମ୍ମାନ ଦେଇ ଆସିଛୁ ।