ପାଟନା: 'ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା'ରେ ସାମିଲ ହେଲେ ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ତେଜସ୍ୱୀ ଯାଦବ । ବିହାରର କୈମୁର ଜିଲ୍ଲାରେ ରାହୁଲ ଗାନ୍ଧୀଙ୍କ ନ୍ୟାୟ ଯାତ୍ରା ଜାରି ରହିଥିବା ବେଳେ, ଏଠାରେ ତେଜସ୍ୱୀ ଯାଦବ ସାମିଲ ହୋଇଛନ୍ତି । ତାଙ୍କ ସହ ଶତାଧିକ ଆରଜେଡି ନେତା ଓ ସମର୍ଥକ ମଧ୍ୟ ନ୍ୟାୟ ଯାତ୍ରାରେ ଯୋଡ଼ି ହୋଇଛନ୍ତି । ପ୍ରଥମ ଥର ପାଇଁ ଆରଜେଡି ନେତା ତେଜସ୍ବୀ, ରାହୁଲ ଗାନ୍ଧୀ ସହ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ।
କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ଆଜି (ଶୁକ୍ରବାର) ବିହାରର ରୋହତାସରେ ଜାରି ରହିଛି । ଏହି ଯାତ୍ରାରେ ଆଜି ଆରଜେଡି ନେତା ତେଜସ୍ୱୀ ଯାଦବ ସାମିଲ ହୋଇଥିବା ବେଳେ କଂଗ୍ରେସ ଓ ଆରଜେଡିର ଶତାଧିକ ନେତା ଓ କର୍ମୀମଧ୍ୟ ସାମିଲ ହୋଇଛନ୍ତି । ରୋହତାସର ମୁଖ୍ୟାଳୟ ସାସାରାମରେ ଆଜି ରାହୁଲ ଗାନ୍ଧୀ ବିଶାଳ ରୋଡ ଶୋ କରିଛନ୍ତି । ଏହାପରେ ସେ ଚେନାରୀକୁ ଗସ୍ତ କରିଛନ୍ତି । ଏହି ସମୟରେ ରାହୁଲ ଗାନ୍ଧୀ ଏକ ନାଲି ରଙ୍ଗର ଥାର ଗାଡିରେ ଯାଇଥିଲେ । ଯେଉଁଗାଡିକୁ ତେଜସ୍ୱୀ ଯାଦବ ଚଳାଉଥିବା ବେଳେ ରାହୁଲ ଗାନ୍ଧୀ ଆଗ ସିଟରେ ବସିଥିବା ନଜର ଆସିଥିଲେ ।
ସାସାରାମରେ ରାହୁଲ ଗାନ୍ଧୀଙ୍କୁ ଭେଟିବା ପାଇଁ ସକାଳ ସମୟରୁ ହଜାର ହଜାର ମହିଳା, ପୁରୁଷ ଓ ଯୁବକଙ୍କ ରାସ୍ତା କଡରେ ଛିଡା ହୋଇଥିବା ଦେଖିବାକୁ ମିଳିଥିଲା । ସାସାରାମରେ ରାହୁଲ ଗାନ୍ଧୀଙ୍କ ସହ ପୂର୍ବତନ ଲୋକସଭା ବାଚସ୍ପତି ମୀରା କୁମାର, ଚେନାରୀ ବିଧାୟକ ମୁରାରି ଗୌତମଙ୍କ ସମେତ ଅନେକ କଂଗ୍ରେସ ନେତା ଓ କର୍ମୀ ସାମିଲ ହୋଇଥିଲେ । ଏହି ନ୍ୟାୟ ଯାତ୍ରାକୁ ନେଇ ରୋହତାସରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସାସାରାମରେ ନ୍ୟାୟ ଯାତ୍ରା ସମୟରେ ଚାଷୀମାନଙ୍କ ସହ ରାହୁଲ ଗାନ୍ଧୀ କଥା ହୋଇଥିଲେ ।