ଚେନ୍ନାଇ:ତାମିଲନାଡୁ ଇତିହାସରେ ପ୍ରଥମେ । ପ୍ରଥମ ଥର ପାଇଁ 2 ମିନିଟରେ ଅଭିଭାଷଣ ଶେଷ କଲେ ରାଜ୍ୟପାଳ ଆର ଏନ ରବି । ତାମିଲନାଡୁ ରାଜ୍ୟପାଳ ଆର ଏନ ରବି ଏବଂ ଡିଏମକେ ସରକାରଙ୍କ ମଧ୍ୟରେ ବିବାଦ ପୁଣି ଥରେ ସାମ୍ନାକୁ ଆସିଛି । ବିଧାନସଭା ଅଧିବେଶନରେ ଜାତୀୟ ସଙ୍ଗୀତକୁ ସମ୍ମାନ ଦିଆନଯିବା ପ୍ରସଙ୍ଗରେ ଡିଏମକେ ସରକାରଙ୍କୁ ସମାଲୋଚନା କରିଛନ୍ତି । ମାତ୍ର 2 ମିନିଟରେ ବକ୍ତବ୍ୟ ଶେଷ କରି ମୁଁ ସରକାରଙ୍କ ସହ ସହମତ ନୁହେଁ ବୋଲି କହିଛନ୍ତି ଆର୍. ଏନ୍. ରବି । ତେବେ ରାଜ୍ୟପାଳଙ୍କ ଏଭଳି ମନ୍ତବ୍ୟ ପରେ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି ।
ଏନେଇ ତାମିଲନାଡୁ ରାଜ୍ୟପାଳ ଆର୍. ଏନ୍. ରବି କହିଛନ୍ତି, "ମୋର ବାରମ୍ବାର ଅନୁରୋଧ ଏବଂ ପରାମର୍ଶ ସତ୍ତ୍ବେ ଜାତୀୟ ସଙ୍ଗୀତକୁ ଉପଯୁକ୍ତ ସମ୍ମାନ ପ୍ରଦର୍ଶନ କରାଯାଉ ନାହିଁ । ଅଭିଭାଷଣର ଆରମ୍ଭ ଏବଂ ଶେଷରେ ଜାତୀୟ ସଙ୍ଗୀତ ବଜାଇବାକୁ ରହିଥିବା ମୋର ଅନୁରୋଧକୁ ମଧ୍ୟ ଅଣଦେଖା କରାଯାଉଛି ।" ପ୍ରକାଶଥାଉକି, ବିଧାନସଭାରେ ସରକାରଙ୍କ ପକ୍ଷରୁ ଆଜି ଅର୍ଥାତ ଫେବୃଆରୀ 12 ତାରିଖରେ ଅଧିବେଶନ ଡକାଇଥିଲେ । ସରକାରଙ୍କ ଦ୍ବାରା ଲିଖିତ ଅଭିଭାଷଣକୁ ନପଢ଼ି ମାତ୍ର ୨ ମିନିଟରେ ବକ୍ତବ୍ୟ ଶେଷ କରି ଗୃହରୁ ପ୍ରସ୍ଥାନ କରିଥିଲେ ରାଜ୍ୟପାଳ।
ସେ ଆହୁରି ମଧ୍ୟ କହିଛନ୍ତି, "ଏହି ଅଭିଭାଷଣରେ ଏପରି ଅନେକ ଅଂଶ ଅଛି ଯାହା ସହିତ ମୁଁ ତଥ୍ୟାତ୍ମକ ଏବଂ ନୈତିକ ଆଧାରରେ ସହମତ ନୁହେଁ । ଏହାକୁ ପଢିବା ମୋର ସମ୍ବିଧାନକୁ ଉପହାସ କରିବା ସହିତ ସମାନ ହେବ । ତେଣୁ ଗୃହକୁ ସମ୍ମାନ ଦେଇ ମୁଁ ମୋର ଅଭିଭାଷଣ ଶେଷ କରୁଛି । ଲଙ୍ଗ୍ ଲାଇଭ ତାମିଲନାଡୁ, ଲଙ୍ଗ ଲାଇଭ ଭାରତ ।"