କୋଲକାତା:ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ସାରା ଦେଶରେ ଉତ୍ସବର ମାହୋଲ । ଏହି ଭବ୍ୟ ମୁହୂର୍ତ୍ତର ସାକ୍ଷୀ ରହିବା ଲାଗି ପ୍ରତିଟି ରାମଭକ୍ତ ହୃଦୟରେ ଉତ୍ସାହ ଭରି ରହିଛି । ଏହାରି ମଧ୍ୟରେ ମମତା ସରକାରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ବିରୋଧୀ । ଜାନୁଆରୀ 22 ତାରିଖ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବର ଐତିହାସିକ ମୁହୂର୍ତ୍ତ ଯେପରି ରାଜ୍ୟବାସୀ ଦେଖିପାରିବେ ନାହିଁ ସେଥିଲାଗି ଏହି ଦିନ ବିଦ୍ୟୁତ କାଟ୍ ଲାଗି ମମତା ସରକାର ଯୋଜନା କରିଥିବା ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଅଭିଯୋଗ କରିଛନ୍ତି ।
ରାମ ପ୍ରାଣ ପ୍ରତିଷ୍ଠା ଉତ୍ସବ ତଥା ଜାନୁଆରୀ 22 ତାରିଖ ଦିନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ 'ସନହତି ମିଛିଲ' ରାଲି କରିବେ । ଏହି ରାଲିକୁ ଅନ୍ୟ ତାରିଖକୁ ଘୁଞ୍ଚାଇବା ଲାଗି କୋଲକାତା ହାଇକୋର୍ଟରେ ଅଧିକାରୀ ଏକ ଆବେଦନ କରିଥିଲେ । ମାତ୍ର ହାଇକୋର୍ଟ ଅଧିକାରୀଙ୍କ ଆବେଦନକୁ ଖାରଜ କରିଛନ୍ତି । ଏ ନେଇ ଅଧିକାରୀ ସୋସିଆଲ ମିଡିଆ 'X'ରେ ଏକ ପୋଷ୍ଟ କରି କହିଛନ୍ତି ଯେ ଜାନୁଆରୀ 22 ତାରିଖ ଦିନ ବିଦ୍ୟୁତ କାଟ ସମୟକୁ ସ୍ବଳ୍ପ କରିବା ପାଇଁ ରାଜ୍ୟ ବିଦ୍ୟୁତ ସରବରାହ କମ୍ପାନୀକୁ କହିବା ଲାଗି ତାଙ୍କୁ ଅନେକ ବିଜେପି କର୍ମୀ ଅନୁରୋଧ କରିଛନ୍ତି ।