ଗାନ୍ଧୀନଗର: 2022 ମସିହାରେ ଗୁଜରାଟର ଖେଡାରେ ପାଞ୍ଚଜଣ ମୁସଲମାନ ଯୁବକଙ୍କୁ ଖୁଣ୍ଟିରେ ବାନ୍ଧି ମାଡ ମାରିବା ଘଟଣାରେ ଗୁଜୁରାଟ ପୋଲିସକୁ ଭର୍ତ୍ସନା କରିଛନ୍ତି ସୁପ୍ରିମକୋର୍ଟ । କୌଣସି ବି କାରଣ ପାଇଁ ଲୋକଙ୍କୁ ପୋଲରେ ବାନ୍ଧି ପିଟିବାର ଆଇନଗତ ଅଧିକାର ପୋଲିସର ଅଛି କି ବୋଲି ସର୍ବୋଚ୍ଚ କୋର୍ଟ ପ୍ରଶ୍ନ କରିଛନ୍ତି । ପୂର୍ବରୁ ଏହି ମାମଲାରେ ଗୁଜୁରାଟ ହାଇକୋର୍ଟ ଚାରି ଜଣ ପୋଲିସ କର୍ମଚାରୀଙ୍କୁ ଦଣ୍ଡିତ କରିସାରିଛନ୍ତି । ଏହି ପୋଲିସ କର୍ମଚାରୀମାନେ ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟରେ ଦ୍ବାରସ୍ଥ ହୋଇଥିଲେ । ଜାନୁଆରୀ 23 ରେ ସୁପ୍ରିମକୋର୍ଟ ପୋଲିସ ଅଧିକାରୀଙ୍କ ଏହି ହାଇକୋର୍ଟ ରାୟର ଚ୍ୟାଲେଞ୍ଜ ଆବେଦନକୁ ଶୁଣାଣି ପାଇଁ ଗ୍ରହଣ କରିଥିଲେ । ହାଇକୋର୍ଟ ଦେଇଥିବା ଦଣ୍ଡକୁ ବର୍ତ୍ତମାନ ପର୍ଯ୍ୟନ୍ତ ରଖାଯାଇଛି । କିନ୍ତୁ ସର୍ବୋଚ୍ଚ କୋର୍ଟ ପୋଲିସର ଏପରି ଆଚରଣ ଉପରେ କଡା ମନ୍ତବ୍ୟ ମଧ୍ୟ ଦେଇଛନ୍ତି ।
ଅକ୍ଟୋବର 2022 ରେ, ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ରାସ୍ତା ମଝିରେ ଥିବା ଏକ ବିଜୁଳି ଖୁଣ୍ଟିରେ ପାଞ୍ଚ ଜଣଙ୍କୁ ବାନ୍ଧି ପୋଲିସ ଅଧିକାରୀମାନେ ପିଟୁଥିବାର ଦେଖିବାକୁ ମିଳିଥିଲା । ଏହି ଭିଡିଓଟି ଗୁଜୁରାଟର ଖେଡା ଜିଲ୍ଲାର ବୋଲି ଜଣାପଡିଥିଲା । ପୋଲିସ ବର୍ରତାର ଶିକାର ହୋଇଥିବା ପୀଡିତମାନେ ମୁସଲମାନ ସମ୍ପ୍ରଦାୟର ଥିଲେ । ଏହାକୁ ନେଇ ସେତେବେଳେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ସମ୍ପୃକ୍ତ ପୋଲିସ ଅଧିକାରୀମାନଙ୍କୁ ନଲମ୍ବିତ କରାଯାଇଥିବା ବେଳେ ବିଭାଗୀୟ ତଦନ୍ତ ଆରମ୍ଭ କରିଥିଲା ଗୁଜୁରାଟ ପୋଲିସ । ଏହା ପରେ ଜାତୀୟ ମାନବାଧିକାର କମିଶନ ମଧ୍ୟ ଏହି ମାମଲାର ତଦନ୍ତ ଆରମ୍ଭ କରିଥିଲେ । ଏହି ପାଞ୍ଚ ଜଣ ମୁସଲମାନ ସମ୍ପ୍ରଦାୟର ଯୁବକ ସ୍ଥାନୀୟ ଅଞ୍ଚଳରେ ଆୟୋଜିତ ଗାରବା କାର୍ଯ୍ୟକ୍ରମରେ ପଥର ଫିଙ୍ଗିଥିବା ଅଭିଯୋଗ ହୋଇଥିଲା । ଏହା ପରେ ଖେଡା ପୋଲିସର ଏପରି ବର୍ବରତା ସାମ୍ନାକୁ ଆସିଥିଲା ।