ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ସାମ୍ବାଦିକା ସୌମ୍ୟା ବିଶ୍ବନାଥ ହତ୍ୟାକାଣ୍ଡ ଘଟଣା । ସୌମ୍ୟା ମାଆଙ୍କ ଆବେଦନ ଉପରେ ଆଜି (ସୋମବାର) କୋର୍ଟ ଶୁଣାଣି କରି ଦିଲ୍ଲୀ ସରକାରଙ୍କୁ ନୋଟିସ ଜାରି କରିଛନ୍ତି । 2008ରେ ସୌମ୍ୟାଙ୍କ ହତ୍ୟା ଘଟଣାରେ ଆଜୀବନ କାରାଦଣ୍ଡ ସଜ୍ଜା ପାଇଥିବା 4 ଦୋଷୀଙ୍କୁ ଜାମିନ ମିଳିବା ରାୟକୁ ସର୍ବୋଚ୍ଚ ଅଦାଲତରେ ଚ୍ୟାଲେଞ୍ଜ କରାଯାଇଛି । ଆଜି ସୁପ୍ରିମକୋର୍ଟ ଏ ନେଇ 4 ସପ୍ତାହ ମଧ୍ୟରେ ଜବାବ ରଖିବାକୁ ଦିଲ୍ଲୀ ସରକାରଙ୍କୁ ଦେଇଛନ୍ତି ନିର୍ଦ୍ଦେଶ ।
ଜଷ୍ଟିସ ବେଲା ଏମ ତ୍ରିବେଦୀ ଓ ଜଷ୍ଟିସ ପଙ୍କଜ ମିଥାଲଙ୍କ ଏକ ବେଞ୍ଚ 4 ସପ୍ତାହ ମଧ୍ୟରେ 4 ଜଣ ଦୋଷୀ ଏବଂ ଦିଲ୍ଲୀ ସରକାରଙ୍କ ଠାରୁ ଜବାବ ମାଗିଛନ୍ତି । ପ୍ରାରମ୍ଭରେ ଖଣ୍ଡପୀଠ ଏହି ମାମଲାରେ ନୋଟିସ ଜାରି କରିବାକୁ ଅନିଚ୍ଛା ପ୍ରକାଶ କରିଥିଲେ । ମାତ୍ର ଆବେଦନକାରୀଙ୍କ ଓକିଲ ସର୍ବୋଚ୍ଚ ଅଦାଲତଙ୍କୁ ଏହି ମାମଲାରେ ଧ୍ୟାନ ଦେବାକୁ ଅନୁରୋଧ କରିଥିଲେ । ଏହାପରେ କୋର୍ଟ ନୋଟିସ ଜାରି କରିଥିବା ଜଣାପଡ଼ିଛି ।
'ବିନା କାରଣରେ ତାର ହତ୍ୟା ହୋଇଛି':ସୌମ୍ୟାଙ୍କ ମାଆଙ୍କ ଓକିଲ କୋର୍ଟଙ୍କୁ କହିଥିଲେ ଯେ ସାମ୍ବାଦିକା ସୌମ୍ୟା ନିଜ କାମ ସାରି ଘରକୁ ଫେରୁଥିଲେ । ହେଲେ ବିନା କାରଣରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ସେ ନିର୍ଦ୍ଦୋଷ ଥିଲେ । ଦୋଷୀ ସାବ୍ୟସ୍ତ ହୋଇଥିବା ଅପରାଧୀ ଏକ ଅପରାଧିକ ସିଣ୍ଡିକେଟ୍ରେ ଜଡ଼ିତ ଅଛି । ଏହାପରେ ଖଣ୍ଡପୀଠ 4 ସପ୍ତାହ ମଧ୍ୟରେ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
କଣ ଏହି ମାମଲା:ଟିଭି ସାମ୍ବାଦିକା ସୌମ୍ୟା ବିଶ୍ବନାଥନଙ୍କ ମାଆ ମାଧବୀ ବିଶ୍ବନାଥନ 2008ରେ ତାଙ୍କ ଝିଅ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା 4 ଜଣ ଦୋଷୀଙ୍କୁ ଦିଆଯାଇଥିବା ଜାମିନକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ।